
ଭୁବନେଶ୍ୱର : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା ଆଶଙ୍କା । ଗଭୀର ଅବପାତରେ ପରିଣତ ହୋଇଥିବା ସାମୁଦ୍ରିକ ପ୍ରଣାଳୀ ଧୀରେ ଧୀରେ ଅଧିକ ଶକ୍ତିଶାଳୀ ହେଉଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଏହା ସୋମବାର ସକାଳ ସୁଦ୍ଧା ବାତ୍ୟାର ରୂପ ନେଇପାରେ । ପରବର୍ତ୍ତୀ ସମୟରେ ଏହା ଭୀଷଣ ବାତ୍ୟାରେ ପରିଣତ ହୋଇ ଆସନ୍ତା ୨୮ ତାରିଖ ସକାଳେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ସମ୍ଭାବ୍ୟ ବାତ୍ୟାଟି ଆନ୍ଧ୍ରପ୍ରଦେଶ ଉପକୂଳର ବାପଟ୍ଲା ଓ ବିଶାଖାପାଟଣା ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଅତିକ୍ରମ କରିପାରେ । ଏହା ବର୍ତ୍ତମାନ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଥିବା ବେଳେ ୨୭ରୁ ୨୮ ତାରିଖ ମଧ୍ୟରେ ଅଧିକ ଶକ୍ତିଶାଳୀ ହେବାର ଆଶଙ୍କା ରହିଛି । ସମୁଦ୍ର ଅଶାନ୍ତ ହୋଇପଡ଼ିଥିବା ବେଳେ ବର୍ତ୍ତମାନ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ରହିଛି । ଝଟକା ପବନର ବେଗ ୭୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚୁଛି । ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୪୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ । ଏପଟେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶାରେ ମଧ୍ୟ ଅନୁଭୂତ ହେବା ଆଶଙ୍କା ରହିଛି । ରାଜ୍ୟର କୋରାପୁଟ, ରାୟଗଡ଼ା, ଗଜପତି, ମାଲକାନଗିରି ଓ ଗଞ୍ଜାମ ଜିଲ୍ଲାରେ ବର୍ଷା ସହ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସତର୍କତା ଜରୁରୀ ହୋଇପଡ଼ିଛି । ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନା ଓ ପ୍ରଶାସନର ନିର୍ଦ୍ଦେଶ ପ୍ରତି ନଜର ରଖିବାକୁ ପରାମର୍ଶ ଦିଆଯାଉଛି ।