ହାତୀ ଛୁଆ ମୃତ

ଢେଙ୍କାନାଳ : କିଛିଦିନ ପୂର୍ବରୁ ସାତକୋଶିଆ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏବେ ସେହି ସାତକୋଶିଆରୁ କପିଳାସକୁ ଅଣାଯାଇଥିବା ଏକ ହାତୀ ଛୁଆର ମୃତ୍ୟୁ ଘଟିଛି । ସଂପୂର୍ଣ୍ଣ ଶରୀର ସଂକ୍ରମଣ ହୋଇଯିବାରୁ ହାତୀଟିର ମୃତ୍ୟୁ ହୋଇଥିବା ଜିଲ୍ଲା ବନଖଣ୍ତ ଅଧିକାରୀ ପ୍ରକାଶଚାନ୍ଦ ଗୋଗିନେନୀ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ସାତକୋଶିଆ ଅଭୟାରଣ୍ୟରେ ଗତ ୩୦ ତାରିଖରେ ମା’ ଓ ହାତୀ ଛୁଆ ଅସହ୍ୟ ଯନ୍ତ୍ରଣାରୁ ଛଟପଟ ହେଉଥିବା ଖବରପାଇ ସ୍ଥାନୀୟ ବନଖଣ୍ତ ଅଧିକାରୀ, ଚିକିତ୍ସକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେମାନେ ଏହାର କାରଣ ସଂପର୍କରେ ଜାଣିବା ପାଇଁ ମା’ ଓ ଛୁଆ ହାତୀକୁ ନିଶ୍ଚେତକ ଦେଇ ଚିକିତ୍ସା ଆରମ୍ଭ କରିଥିଲେ । ହାତୀ ଛୁଆର ପାଟିରେ ଘା’ ହୋଇଥିବାରୁ ଏପରି ଯନ୍ତ୍ରଣା ପାଉଥିବା ଜଣାପଡ଼ିଥିଲା । ହାତୀ ଛୁଆର ଅଧିକ ଚିକିତ୍ସା ଆବଶ୍ୟକ ପଡୁଥିବାରୁ ଗତ ୧ତାରିଖ ରାତିରେ ତାକୁ ଢେଙ୍କାନାଳ କପିଳାସ ପ୍ରାଣୀ ଉଦ୍ୟାନସ୍ଥିତ ହାତୀ ଉଦ୍ଧାର କେନ୍ଦ୍ରକୁ ଅଣାଯାଇଥିଲା । ପାଟିରେ ଘା’ ହୋଇଥିବାରୁ ସେ ଖାଦ୍ୟ ଖାଇପାରୁ ନଥିଲା । କପିଳାସ ପ୍ରାଣୀ ଉଦ୍ଧାର କେନ୍ଦ୍ରରେ ଅନ୍ୟ ହାତୀଙ୍କଠାରୁ ତାକୁ ପୃଥକ୍‌ଭାବେ ରଖାଯାଇ ଚିକିତ୍ସା କରାଯାଉଥିଲା । ରବିବାର ସଂଧ୍ୟା ୬ଟା ୧୦ ମିନିଟ୍ ସମୟରେ ଏହି ହାତୀ ଛୁଆର ମୃତ୍ୟୁ ହୋଇଯାଇଛି । ସୋମବାର ଦିନ ମୃତ ହାତୀ ଛୁଆର ବ୍ୟବଚ୍ଛେଦ କରିବା ପରେ ସେହିଠାରେ ତାକୁ ପୋତି ଦିଆଯାଇଛି । ହାତୀ ଛୁଆର ନମୁନା ସଂଗ୍ରହ କରି ଭୁବନେଶ୍ୱର ଓୟୁଏଟିକୁ ପଠାଯାଇଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

seven + 3 =