
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶୁକ୍ରବାର ରାତିରେ କିଛି ଅଜଣା ବ୍ୟକ୍ତି ଧବଳେଶ୍ୱର ମନ୍ଦିର ପରିସରରେ ଲାଗିଥିବା ସିସିଟିଭିକୁ ଅକାମୀ କରି ଚୋରି କରିଥିବା ଅଭିଯୋଗ କରିଥିଲେ ମନ୍ଦିର ପୂଜକ ସୁମନ୍ତ ପାଢ଼ୀ । ଖବର ପାଇବା ମାତ୍ରେ ଟିଟିଲାଗଡ଼ ଥାନାଧିକାରୀ କଲ୍ୟାଣୀ ବେହେରା, ଏସ୍ଆଇ କିରଣ ଜାନି, ପି. କେ. ଦୁରିଆ, ହୀରା ଖାଲକୋ, ଏଏସ୍ଆଇ କାର୍ତ୍ତିକ ପ୍ରଧାନ, ସୁବାସ ସାହୁ, ଏଏସ୍ଆଇ ଅହଲ୍ୟା ସୁନାନି, ଏସ୍.କେ. ପାଣିଗ୍ରାହୀ ମନ୍ଦିରକୁ ଯାଇ ଯାଞ୍ଚ ଆରମ୍ଭ କରିଥିଲେ । ସେଠାରୁ ଖୋଜି ଖୋଜି ସ୍ଥାନୀୟ ମାଲଗୋଦାମ ପଡ଼ାରୁ ଚୋରି ହୋଇଥିବା ସାମଗ୍ରୀ ସହିତ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ଟିଟିଲାଗଡ଼ ପୋଲିସ । ସେମାନଙ୍କ ଠାରୁ ତିନୋଟି ବଡ଼ ପିତ୍ତଳ ଥାଳି, ଦୁଇଟି ବାଲ୍ଟି, ତିନୋଟି ଗରା, ଗୋଟିଏ ଘଣ୍ଟି, ତିନୋଟି ଛୋଟ ବଡ ଗରା ଜବତ ହୋଇଛି । ଗିରଫ ଦୁଇ ଜଣ ହେଲେ ଛତିଶଗଡ ରାଜ୍ୟ ମହାସମୁନ୍ଦ ଅଞ୍ଚଳର ଅରୁଣ କୁମାର ବରିହା (୨୬), ନୂଆପଡ଼ା ଜିଲ୍ଲାର ରାଜେଶ ରାଉତ (୨୬) । ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ କଲ୍ୟାଣୀ ବେହେରା ସୂଚନା ଦେଇଛନ୍ତି । ପୋଲିସ ଯଥା ଶୀଘ୍ର ଗିରଫ କରିବାରେ ସଫଳ ହୋଇଥିବା ଯୋଗୁଁ ଧବଳେଶ୍ଵର ମନ୍ଦିରର କର୍ମକର୍ତ୍ତା ଓ ଟିଟିଲାଗଡ଼ ଜନ ସାଧାରଣ ପୋଲିସକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ତା ସଙ୍ଗେ ଟିଟିଲାଗଡ଼ ସହରର ବିଭିନ୍ନ ସ୍ଥାନରେ ରୋହିଜ୍ଞା ପଠାଣ ମାନେ ଆସି ବସବାସ କରୁଥିବା ଲୋକଙ୍କୁ ଖୋଜି ବାହାର କରିବାକୁ ସାଧାରଣରେ ଦାବି ହେଉଛି ।