pakka

ଗାଈ ଓ ଛେଳି ଖାଇଗଲେ ୧୦ ଲକ୍ଷ ଟଙ୍କାର ଗଛ

bbehera

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ବନଖଣ୍ଡ ଜଙ୍ଗଲ ଜମିରେ ହୋଇଥିଲା ବ୍ୟାପକ ବୃକ୍ଷରୋପଣ । ଖର୍ଚ୍ଚ ହୋଇଥିଲା ୧୦ ଲକ୍ଷରୁ ଅଧିକ ଟଙ୍କା । କିନ୍ତୁ ଗଛମାନଙ୍କର ଦେଖାମିଳୁନି । ଯେଉଁ ଜାଗାରେ ବନୀକରଣ ହୋଇଥିବା ଦର୍ଶାଯାଇଛି, ତାହା ଏବେ ଟାଙ୍ଗରା ଭୂଇଁ । ଏହା ହେଉଛି ବୌଦ୍ଧ ବନଖଣ୍ଡ ଖଜୁରିପଡ଼ା ସେକ୍ସନ ଅନ୍ତର୍ଗତ ଅନାମୁଣ୍ଡା ଗ୍ରାମରେ ବନବିଭାଗ ତରଫରୁ ହୋଇଥିବା ବୃକ୍ଷରୋପଣ ସ୍ଥାନର ଚିତ୍ର । ସ୍ଥିତିକୁ ଦେଖିଲେ ଏଥିରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହୋଇପଡୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ମିଳିଥିବା ତଥ୍ୟ ଅନୁସାରେ ୨୦୨୩ -୨୪ ଆର୍ଥିକ ବର୍ଷରେ ମନରେଗାରେ ସଂପୃକ୍ତ ସ୍ଥାନରେ ୫ ଏକର ଜଙ୍ଗଲ ଜମିରେ ଚାରାରୋପଣ କରାଯାଇଥିଲା । ସେଠାରେ ମୋଟ ୬୨୫୦ଟି ଚାରାରୋପଣ କରାଯାଇଥିବା ବେଳେ ମଜୁରି ବାବଦ ୬,୫୦,୪୪୬ ଟଙ୍କା, ଆନୁଷଙ୍ଗିକ ଖର୍ଚ୍ଚ ବାବଦ ୩, ୭୩, ୧୮୮ ଟଙ୍କାକୁ ମିଶାଇ ମୋଟ ୧୦, ୨୩, ୬୩୪ ଟଙ୍କା ବ୍ୟୟ ହୋଇଛି । ତେବେ ଏତେ ସଂଖ୍ୟକ ଚାରାରୋପଣ ହୋଇଥିବା ବେଳେ ମାତ୍ର ବର୍ଷଟିଏ ନପୂରୁଣୁ ସେ ସବୁ ଉଭାନ ହୋଇଗଲାଣି । କେତେକ ଗଛର ଥଣ୍ଡା ମୂଳ ବଞ୍ଚି ରହିଥିବା ଦେଖାଯାଉଛି । ଚାରାରୋପଣ ପରେ ସେଗୁଡ଼ିକର ସୁରକ୍ଷା ଓ ରକ୍ଷଣାବେକ୍ଷଣକୁ ଅଣଦେଖା କରାଯିବାରୁ ଏଭଳି ସ୍ଥିତି ହୋଇଥିବା କିଛି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ନେଇ ଖଜୁରିପଡ଼ା ଫରେଷ୍ଟର ସୁଶୀଳ ହୋତାଙ୍କୁ ପଚାରିବାରେ ବୁଲା ଗୋରୁ ଓ ଛେଳି ଚାରା ସବୁ ଖାଇ ନଷ୍ଟ କରି ଦେଇଥିବା କହିଛନ୍ତି । ତେବେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ଖର୍ଚ୍ଚ କରାଯାଇ ଚାରାରୋପଣ କରାଯାଇଥିବା ବେଳେ ସେଗୁଡ଼ିକର ରକ୍ଷଣାବେକ୍ଷଣକୁ କାହିଁକି ଅଣଦେଖା କରାଗଲା ? ଏଭଳି ଗୋରୁ, ଛେଳିଙ୍କ ମୁହଁରେ ଛାଡ଼ିଦେବା କେତେ ଯଥାର୍ଥ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ପ୍ରଶାସନ ଏ ଦିଗରେ ଦୃଷ୍ଟିଦେଇ ତଦନ୍ତ କରିବା ସହ ଦୃଢ଼ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଏ ନେଇ ଲୋକପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ସ୍ଥାନୀୟ ଅଧିବାସୀ । ଅଭିଯୋଗ କ୍ରମେ ଲୋକପାଳ ଡ. ଦିଲ୍ଲୀପ କୁମାର ମହାପାତ୍ର ଉକ୍ତ ସ୍ଥାନ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ଜିଲ୍ଲା ମନରେଗା କୋର୍ଡିନେଟର୍‌, ଜିଲ୍ଲା ସୋସିଆଲ୍‌ ଆଡିଟର୍‌, ଜିଲ୍ଲା ପରିଷଦ ପିଏଙ୍କ ସମେତ ଜଙ୍ଗଲ ବିଭାଗର ଅଧିକାରୀମାନେ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

19 + 17 =