pakka

ଜାଲ୍‌ ପ୍ରମାଣ ପତ୍ର ଦେଇ ସାଜିଲେ ବିଦ୍ୟୁତ କର୍ମଚାରୀ ଘଟଣା : ସଇଁନ୍ତଲା ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ଆଦିବାସୀ କଲ୍ୟାଣ ସଂଘ ଓ କୋଶଳ ଯୁବ ସମନ୍ୱୟ ସମିତି ପକ୍ଷରୁ ଧାରଣା ଓ ବିକ୍ଷୋଭ

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଅନ୍ତର୍ଗତ କରମତଲା ଗ୍ରୀଡ଼ରେ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଅନିୟମିତତା ହୋଇଥିବା ସହ ଜାଲ୍‌ ପ୍ରମାଣ ପତ୍ର ଦେଇ ସାଜିଲେ ବିଦ୍ୟୁତ କର୍ମଚାରୀ ଘଟଣାକୁ ନେଇ ଗତ ୯ ତାରିଖରେ ଖବର ପ୍ରସାରଣ ହୋଇଥିଲା । କିନ୍ତୁ ଦୁଃଖର ବିଷୟ, ଏତେ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଶେଷରେ ଆଜି ସଇଁନ୍ତଲା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀ କଲ୍ୟାଣ ସଂଘ ସଭାପତି ଟଙ୍କଧର ଧରୁଆଙ୍କ ନେତୃତ୍ୱରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଓ କୋଶଳ ଯୁବ ସମନ୍ୱୟ ସମିତି ସଦସ୍ୟ ସିପୁନ ଖମାରୀ ସମେତ ସ୍ଥାନୀୟ ଲୋକେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ସୂଚନାଯୋଗ୍ୟ ଯେ, ଜଣଙ୍କର ପ୍ରମାଣ ପତ୍ରକୁ ଚଞ୍ଚକତା କରି ଅନ୍ୟ ଜଣେ ଚାକିରୀ ହାତେଇବା ପରି ସଂଗୀନ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରୁ । ଯେତେବେଳେ ବି ନିଯୁକ୍ତି ପ୍ରସଙ୍ଗ କଥା ଉଠେ, ବଲାଙ୍ଗିର ଜିଲ୍ଲା ବେଶ୍‌ ଚର୍ଚ୍ଚାକୁ ଆସିଥାଏ । କାରଣ ଏଠି ଅନେକ କ୍ଷେତ୍ରରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନୁହେଁ ଅର୍ଥର ପରିମାଣକୁ ଦେଖି ପ୍ରାର୍ଥୀ ଚୟନ ହୋଇଥାଏ । ଅଭିଯୋଗ ମୁତାବକ, ସଇଁତଲା ବିଦ୍ୟୁତ ବିଭାଗ ଅଧୀନସ୍ଥ କରମତଲାର ନବ ନିର୍ମିତ ବିଦ୍ୟୁତ ଗ୍ରୀଡ଼ କେନ୍ଦ୍ରକୁ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ଡବ୍ଲୁଓଡିସି ଅଧ୍ୟକ୍ଷ ଅସିତ ତ୍ରିପାଠୀ ଗତ ଜୁଲାଇ ମାସରେ ଉଦଘାଟନ କରିଥିଲେ । ଯାହା ଫଳରେ ଅନେକ ସ୍ଥାନୀୟ ଯୁବକମାନେ ବେକାରୀ ସମସ୍ୟାରୁ ରକ୍ଷା ପାଇଁ ନିଯୁକ୍ତି ପାଇଁ ପାରିବେ ବୋଲି ଅନେକ ଆଶା ବିଶ୍ୱାସ କରିଥିଲେ । ହେଲେ ସ୍ଥାନୀୟ ଯୁବକମାନେ ନିଯୁକ୍ତିରୁ ବାଦ୍‌ ପଡି ବିଭାଗୀୟ ଅଧିକାରୀମାନେ ଲକ୍ଷ ଲକ୍ଷ ଟଙ୍କାର କାରବାର କରିବା ସହ ନକଲି ପ୍ରମାଣ ପତ୍ର ଦେଇ ଚାକିରୀ କରୁଥିବା ବେଳେ ମାଲେମାଲ୍‌ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ଜଣେ ନକଲି ପ୍ରମାଣ ପତ୍ର ଦେଇ ଚାକିରୀ କରୁଥିବା ଅଭିଯୋଗ ହେବା ପରେ ଏବେ ନକଲି ପ୍ରମାଣ ପତ୍ର ଦେଇ ଚାକିରୀ କରୁଥିବା ବ୍ୟକ୍ତିମାନେ ଛାନିଆଁ ହୋଇ ପଡିଛନ୍ତି । ତେବେ ଦୁଷ୍ମନ୍ତ ସାହୁ ନକଲି ଆଇଟିଆଇ.ର ପ୍ରମାଣ ପତ୍ର ଦେଇ ଲାଇନ୍‌ ମ୍ୟାନ ଭାବରେ ନିଯୁକ୍ତି ପାଇ ଚାକିରୀ କରୁଛନ୍ତି । ଏମିତିକି କର୍ମଚାରୀ ଉପସ୍ଥାନରେ ଗତ ଦୁଇ ମାସର ବେଶ୍‌ ହାଜିରା ବି ପଡିଛି । ଶୁଣି ଚକିତ ମଧ୍ୟ ହେବେ, ଏହି ବାବୁ ଯେଉଁ ସାର୍ଟିଫିକେଟ ଦେଇଛନ୍ତି ତାହା ତାଙ୍କର ନୁହେଁ ପ୍ରମାଣପତ୍ର ଆଉ ଜଣକର । ନାଁ ଚଞ୍ଚକତା କରି ଅନ୍ୟ ଜଣକର ପ୍ରମାଣ ପତ୍ରରେ ନିଜ ନାମ ବସାଇ ବେଶ୍‌ ଆରାମରେ ଚାକିରୀ କରୁଛନ୍ତି । ଅଭିଯୋଗ ହେବା ପରେ ଏଭଳି ଘଟଣା ସାମ୍ନାକୁ । ପ୍ରକାଶ ଥାଉକି ରୋଲ ନମ୍ବର ୦୦୧୪୦୮୨୧୦୧୧୫୨୧ ଏବଂ ପ୍ରମାଣପତ୍ର ନମ୍ବର ୧୬୨୧୪୦୭୧୬୧ ଅନୁଯାୟୀ ମୋହନ ଗହୀରଙ୍କ ନାମରେ ରହିଛି, ଯାହାର ବାରକୋଡ଼ ବି ରହିଛି । ହେଲେ ସେହି ପ୍ରମାଣପତ୍ର ନମ୍ବର ଏବଂ ବାରକୋଡ଼କୁ ଚଞ୍ଚକତା କରି ମୋହନ ଗହୀର ନାମ ବଦଳରେ ଦୁଷ୍ମନ୍ତ ସାହୁ କରି ବେଶ ଆରାମରେ ଚାକିରୀ ହାତେଇଛନ୍ତି । ଅଭିଯୋଗ ହୋଇଛି ଯେ, ଅସଲି ପ୍ରାର୍ଥୀମାନଙ୍କୁ ବାଦ୍‌ ଦେଇ ନକଲି ପ୍ରାର୍ଥୀ ମାନଙ୍କୁ ଚାକିରୀ ଦିଆ ଯାଉଛି । ଆଉ ଏହାରି ପଛରେ ଏକ ବଡ଼ ଧରଣର ଅର୍ଥ କାରବାର ହେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଶାସକ ଦଳର କର୍ମୀମାନଙ୍କୁ ଥଇ ଥାନ କରାଯାଉଥିବା ବି ଅଭିଯୋଗ ହୋଇଥିବା ନେଇ ସ୍ଥାନୀୟ ଗ୍ରୀଡ଼ ସାମ୍ନାରେ କିଛି ଦିନ ତଳେ ଆଦିବାସୀ ସଂଘ ଧାରଣା ଦେଇଥିଲା । ହେଲେ କୌଣସି ପ୍ରକାରର ସମସ୍ୟାର ସମାଧାନ ହୋଇନଥିଲା ।

ଏନେଇ ସମ୍ପୃକ୍ତ ନକଲି ପ୍ରମାଣପତ୍ର ଦେଇ ଚାକିରୀ କରୁଥିବା ଦୁଷ୍ମନ୍ତ ସାହୁ ନକଲି ସାର୍ଟିଫିକେଟ ଦେଇ ଚାକିରୀ କରୁଥିବା କଥା ସ୍ୱୀକାର ବି କରିଛନ୍ତି । ସେ ଭୁବନେଶ୍ୱରର ଜନୈକ ବ୍ୟକ୍ତିକୁ ବଲାଙ୍ଗିରରେ ଦେଖା କରିଥିଲେ । ଉକ୍ତ ବ୍ୟକ୍ତି ଠାରୁ ପ୍ରମାଣପତ୍ର ଆଣିଥିବା ନେଇ ଦୁଷ୍ମନ୍ତ ସ୍ୱୀକାର କରିଥିବା ବେଳେ କିଭଳି ଭାବେ ବିଭାଗୀୟ ଅଧିକାରୀ ମାନେ ପ୍ରମାଣ ପତ୍ରକୁ ବିନା ଯାଞ୍ଚରେ ନିଯୁକ୍ତି ଦେଇଛନ୍ତି, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାରି ଭିତରେ ଏକ ବଡ଼ ରାକେଟ କାମ କରୁଥିବା ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି ।

ଦୁଷ୍ମନ୍ତ ଭାତ ହାଣ୍ଡିରୁ ଗୋଟିଏ ଭାତ ସାଜିଥିବା ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି । ଏମିତି ଅନେକ ବ୍ୟକ୍ତି ଲକ୍ଷ ଲକ୍ଷ ଟଙ୍କା ଦେଇ ଚାକିରୀ ହାତେଇଥିବା କୁହାଯାଉଛି । ବିଦ୍ୟୁତ ବିଭାଗର କର୍ମଚାରୀମାନେ ଜଡିତ ଅଛନ୍ତି ନା’ ସୂର୍ୟ୍ୟା କମ୍ୟୁନିକେସନ ଠିକା ସଂସ୍ଥା ନିଯୁକ୍ତିରେ ସାମିଲ ଅଛି ନା’ ଟାଟା ପାୱାର ଠିକା ସଂସ୍ଥା ଏହି ଦୁର୍ନୀତିରେ ସାମିଲ ରହିଛନ୍ତି, ତାହା ଲୋକେ ଏବେ ପ୍ରଶ୍ନ କରିଛନ୍ତି । ଏହି ଘଟଣାରେ ବ୍ୟାପକ ଦୁର୍ନୀତି ଅର୍ଥ କାରବାର ହୋଇଥିବା ବେଶ୍‌ ସ୍ପଷ୍ଟ ଅନୁମାନ କରାଯାଉଥିବା ଜୋର୍‌ ଅଭିଯୋଗ ହେଉଛି । ତେବେ ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ କରିବା ସହିତ ଜାଲ ପ୍ରମାଣ ପତ୍ର ଦେଇ ଚାକିରୀ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଆଦିବାସୀ ସଂଘ ଓ କୋଶଳ ଯୁବ ସମନ୍ୱୟ ସମିତିର ସଭ୍ୟମାନେ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

2 × two =

error: Content is protected !!