oum

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା : ଜଣେ ମୃତ, ୩ ଆହତ

jsm

କୋରାପୁଟ : କୋରାପୁଟ ୨୬ ନମ୍ବର ଜାତୀୟ ରାଜପଥର ଭବାନୀନଗରଠାରେ ରବିବାର ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଜରାପଡିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ବିଲ୍‌ କୁଲଦୀପ, ତାଙ୍କ ଘର କୋରାପୁଟର ଝଡିଗୁଡ଼ା ଗ୍ରାମ ବୋଲି ଜଣାପଡିଛି । ଆହତମାନଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଶଙ୍କର ନାମକ ଜଣେ ଯୁବକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ମିଳିଥିବା ସୂଚନା ମୁତାବକ, କୋରାପୁଟରୁ ସୁନାବେଡ଼ା ଯାଉଥିବା ଏକ ବାଇକ୍‌(ନଂ.ଓଡି ୦୮-ଆର୍‌-୦୧୪୨) ସହ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ୍‌(ନଂ.ଓଡି-୧୦ଏଚ୍‌-୮୪୪୬) ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ବିଲ୍‌ କୁଲଦୀପଙ୍କ ମୁଣ୍ଡ ପଛପଟେ ଗଭୀର ଆଘାତ ଲାଗିଥିଲା । ଏପରିକି ଅନ୍ୟ ୩ ଜଣ ମଧ୍ୟ ରାସ୍ତାରେ ଛିଟିକି ପଡ଼ି ଆହତ ହୋଇଥିଲେ । ଆହତମାନଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଏକ ଅଟୋ ଯୋଗେ ମେଡିକାଲ ପଠାଇଥିଲେ । ସେଠାରେ ବିଲ୍‌ କୁଲଦୀପଙ୍କୁ ମୃତ ଘୋଷଣା କରାଯାଇଥିଲା । ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଟାଉନ ଥାନା ଅଧିକାରୀ ଧୀରେନ ପଟ୍ଟନାୟକଙ୍କୁ ସୂଚନା ଦେଇଥିଲେ । ଟାଉନ ଥାନା ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ବାଇକ୍‌ ଦ୍ୱୟକୁ ଜବତ କରିଥିଲା । ପ୍ରାଥମିକ ଚିକିତ୍ସା ପରେ ଦୁର୍ଘଟଣା ଘଟାଇଥିବା ବାଇକ୍‌ରେ ଥିବା ୨ ଯୁବକଙ୍କୁ ଟାଉନ ଥାନାରେ ଅଟକ ରଖି ପୋଲିସ ଘଟଣାର ତଦନ୍ତ ଚଳାଇଛି । ଏନେଇ ଟାଉନ ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ ହୋଇଛି । ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.