ରେଳ ଉପଭୋକ୍ତା ସଂଘ ତରଫରୁ ଆନ୍ଦୋଳନ ଡାକରା : ସମର୍ଥନ କଲେ ସାଂସଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟାଉନ ଉଚ୍ଚ ବାଳିକା ବିଦ୍ୟାଳୟଠାରେ ରେଳ ଉପଭୋକ୍ତା ସଂଘର ଏକ ସାଧାରଣ ବୈଠକ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭିକ ପୂଜାର୍ପଣ ମନ୍ତ୍ର ଧ୍ୱନୀ ପରେ ଉପସଭାପତି ଅଶୋକ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । ସହସଂପାଦକ ଦିବାକର ହୋତା ବାର୍ଷିକ ବିବରଣୀ ଓ କୋଷାଧ୍ୟକ୍ଷ ବାର୍ଷିକ ଆୟବ୍ୟୟର ହିସାବ ଉପସ୍ଥାପନ କରିଥିଲେ । ନୂତନ ସଭ୍ୟମାନଙ୍କୁ ସ୍ୱାଗତ କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗ ଦେଇଥିଲେ । ସଭାପତି ପ୍ରଫେସର ମିଶ୍ର ମୁଖ୍ୟ ଅତିଥିଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଏବଂ ବିକ୍ରମାନନ୍ଦ ବହିଦାର ଉପଢୌକନ ଦେଇ ସମ୍ମାନିତ କରିଥିଲେ । ନିଜ ବକ୍ତବ୍ୟରେ ସାଂସଦ ରେଳ ବିଭାଗ ଦ୍ୱାରା ବଲାଙ୍ଗିର ପ୍ରତି ବୈମାତୃକ ଭାବନାକୁ ସମାଲୋଚନା କରି କେବଳ ଲାଭକୁ ନ ଦେଖି ପଛୁଆ ଅଞ୍ଚଳର ଲୋକଙ୍କ ସୁବିଧା ପାଇଁ ରେଳ ସେବାରୁ ବଂଚିତ ନ କରିବା ପାଇଁ କହିଥିଲେ ଏବଂ ଦରକାର ପଡିଲେ ସଂଘ ତରଫରୁ ଦିଆଯାଇଥିବା ଆନ୍ଦୋଳନ ବା ରେଳ ରୋକରେ ନିଜେ ସାମିଲ ହେବେ ବୋଲି ପ୍ରକାଶ କରିଥିଲେ । ସଭାପତି ପ୍ରଫେସର ମିଶ୍ର ସଂଘ ତରଫରୁ ଏକ ୧୫ ଦଫା ଦାବୀପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସାଂସଦଙ୍କୁ ପ୍ରଦାନ କରିଥିଲେ । ଯେଉଁଥିରେ ବଲାଙ୍ଗିର ରେଳ ଷ୍ଟେସନରେ ତୁରନ୍ତ ଦୁଇଟି ଲିଫ୍ଟର ବ୍ୟବସ୍ଥା, ରାମ୍ପ, ଆଉ ଗୋଟିଏ ପାଦଚଲା ଓଭରବ୍ରିଜର ନିର୍ମାଣ, ଷ୍ଟେସନକୁ ବି ଗ୍ରେଡରୁ ଏ ଗ୍ରେଡରେ ପରିଣତ, ପ୍ରଚଣ୍ଡ ରୌଦ୍ର ତାପକୁ ଆଖି ଆଗରେ ରଖି ୨ ଓ ୩ ନଂ. ପ୍ଲାର୍ଟଫମ୍ପରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ତଥା ଯାତ୍ରୀମାନଙ୍କ ଉପରେ ଶୀତଳ ଜଳ ବୃଷ୍ଟି, ବଲାଙ୍ଗିରରୁ ସିଧାସଳଖ ପ୍ରୟାଗରାଜ ଓ ଦିଲ୍ଲୀକୁ ଟ୍ରେନ୍‌ ସେବା ଯୋଗାଇବା ତଥା ଭୁବନେଶ୍ୱରକୁ ଗୋଟିଏ ଦିନରେ ଯାଇ ଫେରିବା ପରି ଏକ ଟ୍ରେନ୍‌ ଚଳାଇବା, ସମ୍ବଲପୁର ଇଣ୍ଟରସିଟିକୁ ଦୁଇଟି ରେକରେ ପରିଣତ କରି ବଲାଙ୍ଗିର ପର୍ଯ୍ୟନ୍ତ ସଂପ୍ରସାରଣ କରିବା, ହୀରାକୁଦ ଏକ୍ସପ୍ରେସକୁ ତିନିଦିନ ବିଶାଖପାଟଣାରୁ ରାୟଗଡା-ଟିଟିଲାଗଡ-ସମ୍ବଲପୁର ଦେଇ ଚଳାଚଳ କରିବା ଆଦି ଦାବୀ ଉପସ୍ଥାପନ କରିଥିଲେ । ଏଡଭୋକେଟ୍‌ ଭବାନୀ ଶତପଥୀ ବିଭିନ୍ନ ସମସ୍ୟାକୁ ନେଇ ଏକ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀ ତଥା ରେଳମନ୍ତ୍ରୀଙ୍କୁ ଭେଟିବା, ଗୋପବନ୍ଧୁ ପୁରୋହିତ ଆନ୍ଦୋଳନକୁ ଜୋର୍‌ କରିବା ଆଦି ମତାମତ ମାନ ରଖିଥିଲେ । ସମସ୍ତ ଦାବୀକୁ ସାଂସଦ ଧର୍ଯ୍ୟ ସହକାରରେ ଶୁଣି ରାଜ୍ୟସଭାରେ ତଥା ରେଳମନ୍ତ୍ରୀଙ୍କଠାରେ ଏ ସବୁ ଅବଗତ କରାଇ ଦୃଢ ଦାବୀ ରଖିବେ ବୋଲି ପ୍ରତିଶୃତି ରଖିଥିଲେ । ଶେଷରେ ଅଶୋକ ଚନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ବୈଠକରେ ଯୁଧିଷ୍ଟିର ମିଶ୍ର, ବିଷ୍ଣୁ ପ୍ରସାଦ କେଡିଆ, ପ୍ରଭାକର ମିଶ୍ର, ମନୋରଂଜନ ପୁରୋହିତ, ମୋତିଲାଲ ସାହୁ, ନରେନ୍ଦ୍ର କବାଟ, ସୁରେନ୍ଦ୍ର ନେଗୀ, ମାଲିଆ ଗଡୁଆ, ମହେଶ୍ୱର ସାହୁ, ନିତ୍ୟାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ରହି ନିଜର ମତାମତ ରଖିଥିଲେ ।

Leave A Reply

Your email address will not be published.

fifteen + 19 =