pakka

ଜଗତୁଗୁଡା ସ୍କୁଲ ମିଶ୍ରଣକୁ ବିରୋଧ କରି ଦାବୀପତ୍ର ପ୍ରଦାନ

bbehera

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : କୋଷାଗୁମୁଡା ବ୍ଲକ କୋଡ଼ିଙ୍ଗା ପଞ୍ଚାୟତ ଅନ୍ତର୍ଗତ ଜଗତୁଗୁଡା ଗ୍ରାମର ଗ୍ରାମବାସୀ ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ମିଶ୍ରଣକୁ ବିରୋଧ କରି ନବରଙ୍ଗପୁର ଜିଲ୍ଲାପାଳଙ୍କୁ କୋଷାଗୁମୁଡା ବିଡ଼ିଓଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ, କମ ଛାତ୍ର ଛାତ୍ରୀ ଥିବା ବିଦ୍ୟାଳୟଗୁଡିକୁ ବନ୍ଦ କରି ନିକଟରେ ଥିବା ବିଦ୍ୟାଳୟରେ ମିଶେଇ ଦେବାକୁ ଘୋଷଣା କରିଥିଲେ । ଏହି ଘୋଷଣାରେ ଜଗତୁଗୁଡା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ନିକଟସ୍ଥ ନୂଆଗୁଡା ଗ୍ରାମରେ ଥିବା ବିଦ୍ୟାଳୟରେ ମିଶ୍ରଣ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ଏହାକୁ ଜଗତୁଗୁଡା ଗ୍ରାମବାସୀ ବିରୋଧ କରିଛନ୍ତି । ସୂଚନା ଅନୁସାରେ ପୂର୍ବରୁ ଜଗତୁଗୁଡା ଗ୍ରାମରେ ବିଦ୍ୟାଳୟ ନଥିଲା । ଏଠାକାର ଛାତ୍ର ଛାତ୍ରୀ ପ୍ରାୟ ୪ କିଲୋମିଟର କୋଡ଼ିଙ୍ଗା ଗ୍ରାମରେ ଥିବା ବିଦ୍ୟାଳୟ ଉପରେ ନିର୍ଭର କରୁଥିଲେ । ଗ୍ରାମବାସୀ ଗ୍ରାମରେ ବିଦ୍ୟାଳୟ ଖୋଲିବା ପାଇଁ ବାରମ୍ବାର ଦାବୀ କରିବାରୁ ଗତ ୨୦୦୧ ମସିହାରେ ଗ୍ରାମରେ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । କିନ୍ତୁ ବର୍ତ୍ତମାନ ଏଠାରେ କମ ସଂଖ୍ୟକ ପିଲା ଥିବା ଦର୍ଶାଇ ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ନିଷ୍ପତ୍ତିକୁ ଗ୍ରାମବାସୀ ସମ୍ପୂର୍ଣ୍ଣ ବିରୋଧ କରିଛନ୍ତି । ଦାବୀପତ୍ର ରେ ଉଲ୍ଲେଖ କରାଯାଇଛି ଯେ, ଜଗତୁଗୁଡା ବିଦ୍ୟାଳୟରେ ବର୍ତ୍ତମାନ ୨୫ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । କିନ୍ତୁ ରାଜ୍ୟ ସରକାର ଘୋଷଣା କରିଛନ୍ତି କି ୨୦ରୁ କମ୍‌ ଥିବା ପିଲାଙ୍କ ବିଦ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି । କିନ୍ତୁ ଏଠାରେ ୨୫ରୁ ଅଧିକ ପିଲା ରହିଛନ୍ତି । ଏଭଳି ଘୋଷଣା ହେବାରୁ ଚଳିତ ବର୍ଷ ପିଲାମାନେ ପୋଷାକ, ଜୋତା, ବହିପତ୍ର, ମଧ୍ୟାହ୍ନ ଭୋଜନର ଚାଉଳ ଓ ଟଙ୍କା ପାଇବାରୁ ବଞ୍ଚିତ ରହିଛନ୍ତି । ଏନେଇ ଗତ ୨୦୨୦ ମସିହାରେ ସମସ୍ତଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଆଗାମୀ ୧୫ ଦିନ ମଧ୍ୟରେ ଯଦି ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ପ୍ରତ୍ୟାହାର କରାନଯାଏ ତେବେ ଗ୍ରାମବାସୀମାନେ ସମସ୍ତ ପିଲାଙ୍କୁ ବିଦ୍ୟାଳୟକୁ ନ ପଠେଇ ଅଧାରୁ ପାଠ ଛଡାଇ ଦେବୁ, ଏହାର ଦାୟୀ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ରହିବେ ବୋଲି କହିଛନ୍ତି । ଏଣୁ ଜଗତୁଗୁଡା ଗ୍ରାମର ଥିବା ବିଦ୍ୟାଳୟକୁ ପୁର୍ନବାର ଆରମ୍ଭ କରିବା ପାଇଁ ଗ୍ରାମବାସୀ ଦାବୀପତ୍ରରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.

ten + 18 =