
ଆଗାମୀ ଛାତ୍ର ସଂସଦରେ କୋଶଳାଂଚଳର ସବୁ ଛାତ୍ରଛାତ୍ରୀ କୋଶଳ ପ୍ରସଙ୍ଗକୁ ନେଇ ନିର୍ବାଚନରେ ଅଂଶଗ୍ରହଣ କରନ୍ତୁ : ପ୍ରମୋଦ ମିଶ୍ର
ବଲାଙ୍ଗିର, (କେପିଏନ୍ଏସ୍) : ଆଗାମୀ ଅକ୍ଟୋବର ୧୫ ତାରିଖରେ ଦୀର୍ଘଦିନ ପରେ କଲେଜମାନଙ୍କରେ ସାଂସଦ ନିର୍ବାଚନ ଅନୁଷ୍ଠିତ ହେବ । ଲିଙ୍ଗଡୋ କମିଟିର ସୁପାରିସ ଆଳରେ ଦୀର୍ଘଦିନ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇ ଯିବାରୁ ଦେଶ ଓ ରାଜ୍ୟର ବିଭିନ୍ନ କ୍ୟାମ୍ପସରୁ ଛାତ୍ର ରାଜନୀତି ପ୍ରାୟତଃ ଉଭେଇ ଯାଇଥିଲା । କେବଳ ଜେ.ଏନ୍.ୟୁ ଓ ଡି.ୟୁ. ଭଳି କିଛି ପ୍ରତିଷ୍ଠାନ ଶିକ୍ଷାନୁଷ୍ଠାନକୁ ଛାଡି ଦେଲେ ଆଦର୍ଶ ଗତ ଛାତ୍ର ରାଜନୀତି ଆଉ ପ୍ରାୟତଃ ଦେଖିବାକୁ ମିଳୁ ନଥିଲା । ନିକଟ ଅତୀତରେ ନିଟ୍ ଘଟଣାରେ ଦେଶରେ ଜେଡ-ଜି ଓ ଜେଡ-ଆଲଫାଙ୍କ ସରକାର ବିରୋଧି ଓ ବ୍ୟବସ୍ଥା ବିରୋଧି ଆନ୍ଦୋଳନ ଓ ପ୍ରତିକ୍ରୀୟା ପରେ ଯୁବଛାତ୍ର ଗୋଷ୍ଠୀକୁ ପୁଣିଥରେ ଆକର୍ଷିତ କରିବା ପାଇଁ ସରକାର ହୁଏତ ଛାତ୍ର ସଂସଦ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଥାଇପାରନ୍ତି । କିନ୍ତୁ ସେ ଯାହା ବି ହେଉ ଏହା ଏକ ଐତିହାସିକ ପଦକ୍ଷେପ ଅଟେ । ଛାତ୍ରମାନେ ଯଦି କ୍ୟାମ୍ପସ ରାଜନୀତିରେ ରହିବେ ନାହିଁ ତେବେ ଦେଶର ଗଣତନ୍ତ୍ର ସମୃଦ୍ଧ ହୋଇ ପାରିବ ନାହିଁ । ତେଣୁ ଦେଶର ବିକାଶ ଓ ଗଣତନ୍ତ୍ରର ସମୃଦ୍ଧି କରଣ ପାଇଁ ଛାତ୍ର ରାଜନୀତି ନିହାତି ଆବଶ୍ୟକ । ଦୀର୍ଘ ୨୮ ବର୍ଷ ହେଲା କୋଶଳାଂଚଳର ମୁକ୍ତି ପାଇଁ ଓ ସମ୍ବିଧାନର ଧାରା ୩ ଅନୁଯାୟୀ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ପାଇଁ ପ୍ରୟାସ ଚାଲିଛି । ଏହି ପ୍ରୟାସରେ କୋଶଳାଂଚଳର ସଂଗ୍ରାମୀ ଯୁବ ଛାତ୍ରମାନଙ୍କର ଏକ ମହତ୍ ଭୂମିକା ରହିଛି । ତେଣୁ ଯେ, ଯେଉଁ ସଂଗଠନର ହୁଅନ୍ତୁ ନାଁ କାହିଁକି ଆଗାମୀ ଛାତ୍ର ସଂସଦ ନିର୍ବାଚନରେ କୋଶଳାଂଚଳର ଛାତ୍ର ଛାତ୍ରୀମାନେ କୋଶଳ ରାଜ୍ୟ ଗଠନର ଦାବିକୁ ନେଇ ହିଁ ଆଗାମୀ ଛାତ୍ର ସଂସଦ ନିର୍ବାଚନରେ ଅଂଶଗ୍ରହଣ କରିବା ଆବଶ୍ୟକ । ତେଣୁ କୋଶଳାଂଚଳର ବିପ୍ଲବୀ ଛାତ୍ର ସମାଜ ଆଗାମୀ ଛାତ୍ର ସଂସଦ ନିର୍ବାଚନରେ କୋଶଳକୁ ହିଁ ମୁଖ୍ୟ ମୁଦ୍ଦା କରି ନିର୍ବାଚନରେ ଅଂଶ ଗ୍ରହଣ କରନ୍ତୁ ବୋଲି କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ର ଆହ୍ୱାନ ଦେଇଛନ୍ତି ।