
ବଲାଙ୍ଗିର, (କେପିଏନ୍ଏସ୍) : ସାମାନ୍ୟ କଥାକୁ ନେଇ ବଚସା । ପରେ ହାତାହାତି ଏବଂ ଶେଷରେ ପଥରରେ ଆକ୍ରମଣ । ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ । ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ଝାରମୁଣ୍ଡା ପଞ୍ଚାୟତର ମନସାପାଲି ଗ୍ରାମରେ । ମୃତକ ହେଉଛନ୍ତି ଅର୍ଜୁନ କୁଦେଇ । ସୂଚନା ଅନୁସାରେ, ଅର୍ଜୁନ କୁଦେଇ ଓ ତାଙ୍କ ସମ୍ପର୍କୀୟ ଆକାଶ କୁଦେଇଙ୍କ ମଧ୍ୟରେ କୌଣସି କଥାକୁ ନେଇ ପ୍ରଥମେ ବଚସା ହୋଇଥିଲା । ପରେ ଏହା ହାତାହାତିର ରୂପ ନେଇଥିଲା । ଏହି ସମୟରେ ଆକାଶ ଏକ ବଡ଼ ପଥରରେ ଅର୍ଜୁନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ଅର୍ଜୁନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି । ଅନ୍ୟପଟେ, ପରିବାର ପକ୍ଷରୁ ସରକାରୀ ସହାୟତା ସହ ଅଭିଯୁକ୍ତଙ୍କ ବିରୋଧରେ କଠୋର ଆଇନଗତ କାର୍ୟ୍ୟାନୁଷ୍ଠାନ ଦାବି କରାଯାଇଛି ।