
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗାଁ ସାଥୀ ମଜଦୂର ସଂଘର ସେମି-ସ୍କିଲ୍ ଭାବେ ମାସିକ ଦରମା ପ୍ରାପ୍ୟ ପ୍ରଦାନ ସାଂଗକୁ ବ୍ଲକ୍ କ୍ୟାଡର୍ ଭୁକ୍ତ କରିବା, ସାମାଜିକ ସୁରକ୍ଷା ପ୍ରଦାନ କରିବା ଦାବୀ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗଞ୍ଜାମ ଜିଲ୍ଲାର ସର୍ବମୋଟ ୧୭ ଶହ ସଂଖ୍ୟା ବିଶିଷ୍ଟ ଗାଁ ସାଥୀ (ମେଟ୍) ମଜଦୂର ସଦସ୍ୟ ସଦସ୍ୟାମାନେ ଏହି ରାଲିରେ ଯୋଗ ଦେଇ ୨୦୦୮ ମସିହାରୁ ନିଯୁକ୍ତି ପ୍ରାପ୍ତି ପାଇଥିଲେ ମଧ୍ୟ ସେମାନଙ୍କର ଦୈନିକ ୫ଶହ ଟଙ୍କା ପାରିଶ୍ରମିକ ଦିଆଯିବା ମଧ୍ୟ ବନ୍ଦ କରି ଦିଆଯାଇଛି । ସମସ୍ତ ନିଯୁକ୍ତି ପାଇଥିବା ଗାଁସାଥୀ ମେଟ୍ ମଜଦୂର ସଦସ୍ୟ ସଦସ୍ୟାଙ୍କୁ ମାସିକ ସର୍ବନିମ୍ନ ୧୫ ହଜାର ଟଙ୍କା ଦରମା ପ୍ରାପ୍ୟ ପ୍ରଦାନ କରିବାକୁ ଦାବି ହୋଇଛି । ଦାବୀ ପୂରଣ ନ ହେଲେ ଆଗମୀ ଦିନରେ ରାଜ୍ୟବ୍ୟାପି ଜନ ଆନ୍ଦୋଳନର ଡାକରା ଦେଇ ରାଜଧାନୀ ଭୁବନେଶ୍ୱରରେ ଲଗାତାର ଆନ୍ଦୋଳନରେ ବସିବେ ବୋଲି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଗାଁ ସାଥୀ (ମେଟ୍) ମଜଦୂର ସଂଘର ଗଞ୍ଜାମ ଜିଲ୍ଲା ସଭାପତି ରବିନ୍ଦ୍ର ନାଥ ଗୌଡ଼, ଜିଲ୍ଲା ସମ୍ପାଦକ ସୁଧାଂଶୁ ଶେଖର ଶତପଥୀ, ଛତ୍ରପୁର ବ୍ଲକ୍ ଗାଁ ସାଥୀ ସଂଘ ସଂଗଠନର ପୂର୍ବତନ ସମ୍ପାଦକ ଏସ୍. ଯୁଧିଷ୍ଠିର ରେଡ୍ଡୀଙ୍କ ନେତୃତ୍ୱରେ ବିରାଟ ଶୋଭାଯାତ୍ରାରେ ବାହାରି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।