ପଦ୍ମପୁର ସହରରେ ପାନୀୟ ଜଳଯୋଗାଣ ଠପ୍‌ : ଟେଙ୍କର ଯୋଗେ ଜଳଯୋଗାଣ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏନଏସିରେ ଗତ କିଛି ଦିନ ହେଲା ପାନୀୟ ଜଳଯୋଗାଣ ସମ୍ପୂର୍ଣ୍ଣ ରୂପେ ଠପ୍‌ ହୋଇ ପଡିଛି । ସହରର ମୁଖ୍ୟ ରାସ୍ତା କଡରେ ଥିବା କିଛି ଘରକୁ ଛାଡି ଦେଲେ ଅନ୍ୟ ସମସ୍ତ ଅଂଚଳରେ ଜଲଯୋଗଣ ବନ୍ଦ ହୋଇଯାଇଛି । ଏହା ଫଳରେ ସକାଳ ପାହିବା ମାତ୍ରେ ପଦ୍ମପୁରବାସୀଙ୍କୁ ଘାରୁଛି ପାନୀୟ ଜଳ ଚିନ୍ତା ଓ ଏଥିପାଇଁ ଲୋକଙ୍କୁ ବହୁ ହଇରାଣର ସମ୍ମୁଖୀନ ମଧ୍ୟ ହେବାକୁ ପଡୁଛି । ଗୋଟିଏ ପଟେ ଅଦିନିଆ ବର୍ଷା ଯୋଗୁଁ ନାଳ ନାର୍ଦମା ଗୁଡିକ ଠିକ ଭାବରେ ସଫା କରାଯାଉ ନ ଥିବାରୁ ନାଳ ପାଣି ସବୁ ଘରଗୁଡିକୁ ପଶୁଥିବା ବେଳେ ଅନ୍ୟ ପଟେ ପାନୀୟ ଜଳ ପଦ୍ମପୁରବାସୀଙ୍କୁ ଚିନ୍ତାରେ ପକାଇଛି । ଅନେକ ସ୍ଥାନରେ ପାଇପ ଫାଟି ନାଳ ପାଣି ପାଇପ ଭିତରକୁ ପଶୁଛି, ତଥାପି ଶୁଣିବାକୁ କେହି ନାହାନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପଦ୍ମପୁର ଜନସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ଭାବେ ଭଗବାନ ଭରସରେ ଚାଳିଛି ବୋଲି ଲୋକେ ଆଲୋଚନା କରୁଛ‌ନ୍ତି । ଦୀର୍ଘ ଦିନ ହେଲା ଏହି କାର୍ୟ୍ୟାଳୟକୁ କେହି ଅଭିଯୋଗ ପାଇଁ ଗଲେ କେହି ମିଳୁ ନଥିବା ସହ ଫୋନ କଲେ ମଧ୍ୟ କେହି ରିସିଭ୍‌ କରୁ ନ ଥିବା ଅଭିଯୋଗ ହୋଇ ଆସୁଛି । ସହରକୁ ଜଳଯୋଗାଣ ହେଉଥିବା ଅଙ୍ଗ ନଦୀରେ ଧାର କମି ନ ଥିବା ସହ ଏବେ ଲୋ-ଭୋଲଟେଜ ସମସ୍ୟା ମଧ୍ୟ ନାହିଁ । ତଥାପି ଜଳଯୋଗାଣ ବ୍ୟାହତ କାହିଁକି ହେଉଛି ସେ ବିଷୟରେ କେହି ସଠିକ୍‌ ଉତ୍ତର ଦେଇ ପାରୁ ନାହାନ୍ତି । ଖରା ଦିନେ ସହରରେ ପାନୀୟ ଜଳ ସମସ୍ୟା ଏକ ସାଧାରଣ କଥା ହୋଇଥିବା ବେଳେ ଦଶହରା ସମୟରୁ ପାନୀୟ ଜଳ ସଙ୍କଟ ଦେଖା ଦେଇଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲା ପ୍ରଶାସନ ପଦ୍ମପୁରବାସୀଙ୍କ ଏହି ସମସ୍ୟାକୁ ଗୁରୁତ୍ବର ସହ ବିଚାର କରି ସହରର ଆଭ୍ୟନ୍ତରୀଣ ଅଂଚଳଗୁଡିକୁ ଟେଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦେବାକୁ ସହରରେ ଦାବୀ ଉଠୁଛି ।

Leave A Reply

Your email address will not be published.