ଦଳିତଙ୍କ ଘର ଭାଙ୍ଗି ଦେଇଛି ପ୍ରଶାସନ : ସାଧାରଣରେ ନିନ୍ଦା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଲୋକଙ୍କୁ ନ୍ୟାୟୋଚିତ ସେବା ଯୋଗାଇବା ପ୍ରଶାସନର ଧର୍ମ । ବେଳେ ବେଳ ପ୍ରଶାସନ ନିଜର ଧର୍ମପଥରୁ ଓହରି ବେନିୟମ କାର୍ୟ୍ୟ କରୁଥିବାର ଦୃଷ୍ଟାନ୍ତ ବି କିଛି କମ୍ ନାହିଁ । ଦଳିତ ଆଦିବାସୀଙ୍କୁ ସହଯୋଗ କରିବା ପରିବର୍ତ୍ତେ ଘର ଭାଙ୍ଗିଦେଇଛି ପ୍ରଶାସନ । ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଜାମପାଲି ଗାଁରେ ଘଟିଛି ଏଭଳି ଘଟଣା । ଜାମପାଲି ଗାଁର ଲତା ସୁନାଙ୍କ ଘର ଭାଙ୍ଗି ଦେଇଛି ପ୍ରଶାସନ । ଏପରିକି ଲତାଙ୍କ ପରିବାରକୁ ଗାଁରୁ ବାହାର କରାଯାଇଛି । ଭୟଭୀତ ହୋଇ ଅସହାୟ ଲତା ପରିବାର ସହ ଜଙ୍ଗଲରେ ପଲିଥିନ୍ ଟାଣି ଜୀବନ ବିତାଉଛନ୍ତି । ପ୍ରଶାସନର ଏଭଳି ନିଷ୍ଠୁର କାର୍ୟ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି ।
ଜାଗାବାଡ଼ି ମାମଲାକୁ ନେଇ ପଡ଼ୋଶୀଙ୍କ ସହ ଲତାଙ୍କ ଝଗଡ଼ା ହୋଇଥିଲା । ମାମଲା ଥାନାଠାରୁ ଆରମ୍ଭ କରି ଦଳିତ ସଂଘ ଓ ମାନବ ଅଧିକାର କମିଶନରଙ୍କ ପର୍ୟ୍ୟନ୍ତ ଯାଇଥିଲା । ମାତ୍ର ଏହି ବିବାଦର କିଛି ସ୍ଥାୟୀ ସମାଧାନ ହୋଇନଥିଲା । ଶେଷରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ନିର୍ଦ୍ଦେଶରେ ଝାରବନ୍ଧ ତହସିଲଦାର ଲତାଙ୍କ ଘର ଭାଙ୍ଗିଦେଇଥିବା ଜଣାପଡ଼ିଛି । ଆବାସ ଯୋଜନାରେ ପକ୍କାଘର ପାଇଥିବା ଘରକୁ ଜେସିବି ଲଗାଇ ଭଙ୍ଗା ଯାଇଥିଲା । ସରକାରୀ ଜମିରେ ଘର କରିଥିବାରୁ ଭଙ୍ଗା ଯାଇଥିବା ତହସିଲଦାର କହିଥିଲେ । ତେବେ ଜନସାଧାରଣରେ ପ୍ରଶ୍ନ ଉଠୁଛି, ଯଦି ସେ ସରକାରୀ ଜମିରେ ଆବାସ ଯୋଜନାରେ ଘର କରିବା ଲାଗି ଆଦେଶ ପାଇଲେ କେମିତି ? ଘର ତିଆରି ହେଲା ବେଳେ କାହାର କିଛି ଅଭିଯୋଗ ନଥିଲା । ଏବେ କାହିଁକି ଭଙ୍ଗାଗଲା ? ଥଇଥାନ ଲାଗି କୌଣସି ସୁବିଧା ନକରାଇ ଏଭଳି ନିଷ୍ପତ୍ତି ପ୍ରଶାସନ ନେଲା କିପରି ? ପ୍ରଶାସନର ଏଭଳି ନିଷ୍ପତ୍ତି ବୁଦ୍ଧିଜୀବୀଙ୍କୁ ବ୍ୟଥିତ କରିଛି । ସେମାନେ ଘଟଣାକୁ ଘୋର ନିନ୍ଦା କରିଛନ୍ତି । ସେପଟେ ଘର ଭାଙ୍ଗିବା ପରେ ଜଙ୍ଗଲରେ ଅତି ଦୟନୀୟ ଜୀବନ ବିତାଉଛନ୍ତି ଲତାଙ୍କ ପରିବାର ସମାଜ ଗଣମାଧ୍ୟମ ଜରିଆରେ ନିଜର ଦୁଃଖ ସରକାରଙ୍କୁ ଜଣାଇବା ଲାଗି ଲତା କରିଛନ୍ତି ଆକୁଳ ନିବେଦନ ।

Leave A Reply

Your email address will not be published.