ଚନ୍ଦ୍ରାସେଣୀ ମନ୍ଦିରର ପୁନଃର୍ବିନ୍ୟାସ : ଦଶହରାପୂଜା ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବରପାଲିପଡା ଓ ତାଲପାଲିପଡାର ମଧ୍ୟଭାଗରେ ଥିବା ଚନ୍ଦ୍ରାସେଣୀ ମନ୍ଦିରକୁ ଚଳିତ ବର୍ଷ ପୁନର୍ବିନ୍ୟାସ କରାଯାଇଛି । ଭକ୍ତଙ୍କ ଦ୍ୱାରା ନିଜସ୍ୱ ଉଦ୍ୟମରେ ଏହାର ମନ୍ଦିର ଚୁଡା ନିର୍ମାଣ ସହିତ ରଙ୍ଗ କରାଯାଇ ତଥା ଚିତ୍ର ଅଙ୍କା ଯାଇ ନୂତନ ରୂପ ଦିଆଯାଇଥିବା କୁହାଯାଇଛି । ସ୍ଥାନୀୟ ବୟସ୍କ ଲୋକଙ୍କ ପରାମର୍ଶ ଓ ଉତ୍ସାହୀ ଯୁବକମାନଙ୍କ ଉଦ୍ୟମରେ ଚନ୍ଦ୍ରାସେଣୀ ଛକର ସୌନ୍ଦର୍ଯ୍ୟକରଣ ମଧ୍ୟ କରାଯାଇଛି । ପ୍ରକାଶ୍ୟ ଯେ, ପୂର୍ବରୁ ଏହି ଅଞ୍ଚଳ ତାଲପାଲି ଗଉଁତିଆ ଦୁର୍ଗାପ୍ରସାଦ ସାଏଙ୍କର ଚାଷ ଜମି ରହିଥିଲା । ଏକ ପଥର ଟିକ୍ରାରେ ଦେବୀଙ୍କୁ ପୂଜା କରାଯାଉଥିଲା । ଗଉଁତିଆ ପ୍ରତିବର୍ଷ ଏଠାରେ ପୂଜାପାର୍ବଣ କରୁଥିଲେ । ପରବର୍ତ୍ତିର୍ ସମୟରେ ଏହି ଜମିଗୁଡିକ ବାସପୋଯୋଗୀ ଘର ନିର୍ମାଣରେ ବ୍ୟବହାର କରାଗଲା । ଦେବୀପୀଠର ଚାରିକଡେ ଘର ନିର୍ମାଣ ହୋଇ ପଡାବସିଲା । ଆସ୍ତେ ଆସ୍ତେ ପଡା ବଢିବାରୁ ପଡାର ମଧ୍ୟଭାଗରେ ଥିବା ଚାରିଛକର କଡ଼ରେ ମନ୍ଦିରଟି ରହିଲା । ଗତ ୨୦୦୩ ମସିହାରେ ପଣ୍ଡିତ ଚ୍ୟବନ ମିଶ୍ର ଓ ଅନ୍ୟମାନଙ୍କ ଉଦ୍ୟମରେ ପ୍ରଥମକରି ଦେବୀଙ୍କର ଏକ ଛୋଟ ମନ୍ଦିର ନିର୍ମାଣ କରାଯାଇଥିଲା । ଏବେ ଭକ୍ତଙ୍କ ଆଗ୍ରହରେ ୧୭ ବର୍ଷ ପରେ ପୁଣି ଏହାର ପୁନଃର୍ବିନ୍ୟାସ କରାଯାଇଛି । ଦେବୀପୀଠଟି ଏକ ଛୋଟମନ୍ଦିରରେ ପରିଣତ ହୋଇ ସୁନ୍ଦର ଦେଖାଯାଉଛି ।

ଆଜିଠାରୁ ଏଠାରେ ଦେବୀଙ୍କର ପୂଜା ଆରମ୍ଭ ହୋଇଛି । ଆସନ୍ତ ୪ଦିନ ଧରି ଏଠାରେ ଦେବୀଙ୍କର ପୂଜା ଚାଲିବ । କରୋନା କଟକଣା ସମୟରେ ସାମାଜିକ ଦୂରତା ବଜାୟ ରଖି ଭକ୍ତମାନେ ଦେବୀଙ୍କୁ ଦୂରରୁ ଦର୍ଶନ କରି ଯାଉଛନ୍ତି । ପୂଜାରେ କର୍ତ୍ତା ଭାବରେ ପ୍ରଦୀପ ଷଢଙ୍ଗୀ ଓ ତାଙ୍କ ଧର୍ମପତ୍ନୀ ମମତା ଷଢଙ୍ଗୀ ବସିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପଡାର ବରିଷ୍ଠ ବ୍ୟକ୍ତି ଆଦିକନ୍ଦ ଷଢଙ୍ଗୀ, ବାସୁଦେବ ମେହେର, ଅଗସ୍ତି ରାଉତ, କାଶୀନାଥ ସିଂ, ଭାଗ୍ୟଧର ମିଶ୍ର, ରବିଚନ୍ଦ୍ର ପଟ୍ଟନାୟକ, ଦୟାନିଧି ଷଡ଼ଙ୍ଗୀ, ଶିବରାମ ମିଶ୍ର, ରାମଚନ୍ଦ୍ର ମିଶ୍ର, କିଶୋରଚନ୍ଦ୍ର ସାଏ, ବସନ୍ତ ତ୍ରୀପାଠୀ, ସୁବାସ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ପଟ୍ଟନାୟକ, ମାନସ ମହାନ୍ତି, ସୌରଭ ମେହେର, ରାକେଶ ପଧାନ, କୁନା ପଟ୍ଟନାୟକ ସହଯୋଗ କରୁଛନ୍ତି । ପୂଜକ ଭାବରେ ମହାଦେବ ମିଶ୍ର ରହିଛନ୍ତି । ଆଜି ମହିଳାମାନେ ସାମାଜିକ ଦୂରତା ବଜାୟ ରଖି କଳସ ଶୋଭାଯାତ୍ରା କରିଥିଲେ ।

Leave A Reply

Your email address will not be published.