କରୋନା କାଳର କରୁଣ ଦୃଶ୍ୟ : ମଜୁରୀ କରି ପେଟ ପୋଷୁଛନ୍ତି ସିଭିଲ୍‌ ଇଂଜିନିୟର୍‌

ଦେଓଗାଁ, (ମନିଷ କୁମାର ସାହୁ) : କରୋନାର କରୁଣ ଦୃଶ୍ୟ ସାରା ସମାଜରେ ଏବେ ଦେଖିବାକୁ ମିଳୁଛି । ଏଭଳି ଏକ ଦୃଶ୍ୟରେ ଜଣେ ଇଂଜିନିୟର୍‌ ମନରେଗା ମଜୁରୀ କାମ କରି ପେଟ ପୋଷୁଥିବା ଭଳି କରୁଣ କାହାଣୀଟିଏ ଆଖି ଝଲ୍‌ସେଇ ଦେଇଛି । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍‌ ଅନ୍ତର୍ଗତ ଜୁର୍ଲାକାନି ଗାଁର ବୈଶାଖୁ ବେରିଆଙ୍କ ପୁଅ ଅନନ୍ତ ଜଣେ ସିଭିଲ୍‌ ଇଂଜିନିୟର୍‌ । କରୋନା ସଂକ୍ରମଣ ପୂର୍ବରୁ ସେ ଚେନ୍ନାଇର ଏକ ଘରୋଇ କଂପାନୀରେ ଚାକିରୀ କରୁଥିଲେ । କିନ୍ତୁ କରୋନା ସଂକ୍ରମଣ ତଥା କଟକଣା ତାଙ୍କଠୁ ଚାକିରୀ ଛଡେ଼ଇ ନେଇଥିବା ବେଳେ ଏବେ ବାପାଙ୍କ ସହ ମନରେଗା କାମ କରୁଛନ୍ତି । ପରିବାରର ଆର୍ଥିକ ଅବସ୍ଥା ଠିକ୍‌ ନଥିବା ବେଳେ ତାଙ୍କ ବାପା ବି ଜଣେ ଦିନ ମଜୁରିଆ । ଏଭଳି ସ୍ଥିତିରେ ସେ ବି ମୁଣ୍ଡର ଝାଳ ତୁଣ୍ଡରେ ମାରି କୋଡ଼ି, କୋଦାଳ ଧରି ମାଟି ଖୋଳା କାମରେ ଅଂଟା ଭିଡ଼ିଛନ୍ତି । ଏହି ଘଟଣା ବଲାଙ୍ଗିର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବଲାଙ୍ଗିରର ଯୁବ ଜିଲ୍ଲାପାଳ ଚଞ୍ଚଳ ରାଣା ତାଙ୍କୁ ଡିଆର୍‌ଡିଏ.ରେ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିବା ପ୍ରାପ୍ତ ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.