jayashree

ବିଜେପୁରରେ ନାବାଳକକୁ ହତ୍ୟା ଅଭିଯୋଗ : ପୋଖରୀ କୂଳରୁ ମୃତଦେହ ଉଦ୍ଧାର

ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ କର୍ଣ୍ଣପା ଗ୍ରାମରେ ଜଣେ ସାତ ବର୍ଷର ଶିଶୁକୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ଶିଶୁଜଣକ ହେଉଛନ୍ତି ରାଜିନ୍ଦ୍ର ଭୂଏଙ୍କ ପୁଅ ଆଶିଷ ଭୂଏ । ମିଳିଥିବା ସୂଚନା ଅନୁଯାୟୀ, ଗତ ୨୧ ତାରିଖ ଅପରାହ୍ନ ପ୍ରାୟ ୨ଟାରେ ଆଶିଷ ଖାଇସାରି ଖେଳିବାକୁ ଯାଇ ଆଉ ଘରକୁ ଫେରିନଥିଲେ । ବହୁ ଖୋଜାଖୋଜି ପରେ ପରିବାର ଲୋକେ ବିଜେପୁର ଥାନାରେ ଏକ ନିଖୋଜ ଏତଲା ଦେଇଥିଲେ । ତେବେ ୨୨ ତାରିଖ ରାତି ପ୍ରାୟ ୧୦ରୁ ୧୧ଟା ମଧ୍ୟରେ ଗାଁ ପୋଖରୀ ପାଖରେ ଆଶିଷଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ଶରୀରରେ ଗଭୀର ଆଘାତ ଚିହ୍ନ ସହ ରକ୍ତ ଲାଗିଥିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଖବର ପାଇ ବିଜେପୁର ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏହି ସନ୍ଦେହଜନକ ହତ୍ୟାକାଣ୍ଡ ଘଟଣାରେ ପୋଲିସ ସ୍ଥାନୀୟ ଜଣେ ୧୪ ବର୍ଷର ବାଳକ ଓ ତାଙ୍କ ବାପା-ମା’ଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି । ହତ୍ୟାକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ବେଳେ ତୁରନ୍ତ ଦୋଷୀଙ୍କୁ ଗିରଫ କରି କଠୋର ଦଣ୍ଡ ଦେବାକୁ ମୃତ ଶିଶୁଙ୍କ କାକା ଦାବି କରିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଓ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.