p purohi

ମୁରିବାହାଲ ବ୍ଲକ ଖରାଲି ଗ୍ରାମକୁ ଗୁଜୁରାଟରୁ ଫେରିଲା ରୁଦ୍ରାକ୍ଷ ମହାକୁରଙ୍କ ମୃତଦେହ, ଗାଁରେ ଶୋକର ଛାୟା

dr. purohit
  • ନୂଆଁଖାଇ ପୂର୍ବରୁ ବ୍ଲକକୁ ଫେରିଲାଣି ୩ ଦାଦନ ଶ୍ରମିକଙ୍କ ମୃତଦେହ
  • ମାସକରେ ଗାଁ ଭିଟାମାଟିକୁ ଫେରିଲାଣି ୬ ଶବ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ମହାନ ସାଂସ୍କୃତିକ ଗଣପର୍ବ ନୂଆଁଖାଇ । କିନ୍ତୁ ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳର ବିଭିନ୍ନ ଗାଁକୁ ଦାଦନ ଶ୍ରମିକଙ୍କ ମୃତଦେହ ଫେରିବା ଭଳି ଅଭାବନୀୟ ଧାରା ଜାରି ରହିଛି । ୪୮ଘଣ୍ଟା ମଧ୍ୟରେ ବ୍ଲକର ୩ଜଣ ଦାଦନ ଶ୍ରମିକଙ୍କ ମୃତଦେହ ବିଭିନ୍ନ ଗାଁକୁ ଫେରିଥିବା ଭଳି ଦୁଃଖଦ ଘଟଣା ଘଟିଯାଇଛି । ଶୁକ୍ରବାର ଆନ୍ଧ୍ରପ୍ରଦେଶର ତିରୁପତି ଅଞ୍ଚଳକୁ ଦାଦନ ଖଟିବାକୁ ଯାଇଥିବା ମୁରିବାହାଲ ଥାନା ଲଖନା ଗ୍ରାମର ଭୀମରାଜ ହଂସ(୩୬) ଓ ତେତେଲଖୁଣ୍ଟି ଗ୍ରାମର ନରେଶ ପୁଟେଲ(୨୨)ଙ୍କ କୂଅରେ ପଡ଼ିଥିବା ମୋବାଇଲ୍ ଉଦ୍ଧାର ବେଳେ ଦୁଃଖଦ ମୃତ୍ୟୁ ଘଟିଥିଲା । ଉଭୟଙ୍କ ମୃତଦେହ ଗାଁକୁ ଫେରିବା ପରେ ଉଭୟ ଗାଁରେ ଶୋକର ବାତାବରଣ ଦେଖାଦେଇଥିଲା । ଠିକ୍ ସେହିପରି ଶନିବାର ବ୍ଲକର ମାଳିଶିରା ପଞ୍ଚାୟତ ଖରାଲି ଗ୍ରାମର ବୁଦ୍ଧଦେବ ମହାକୁରଙ୍କ ପୁଅ ରୁଦ୍ରାକ୍ଷ ମହାକୁର(୩୬)ଙ୍କ ଗୁଜୁରାଟର ସୁରଟ ସହର ପୂର୍ବରୁ ଥିବା ଅଙ୍କଲେଶ୍ୱରରେ ଦୁଃଖଦ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ ରୁଦ୍ରାକ୍ଷ ନିଜ ପତ୍ନୀ, ଜଣେ ଝିଅ (୧୧) ଓ ପୁଅ(୭) ସହ ସପରିବାର ସେଠାରେ ରହି ଏକ ମେଡିସିନ କମ୍ପାନୀରେ କାମ କରୁଥିଲେ । ଶନିବାର ସନ୍ଧ୍ୟାରେ ସେ ସ୍କୁଟିରେ ବଜାରକୁ ଯାଇ ଫେରି ସ୍କୁଟି ଗ୍ୟାରେଜରେ ରଖି ଉଭୟ ହାତରେ ଦୁଇ ବ୍ୟାଗ୍ ସଉଦା ଧରି ରହୁଥିବା ୪ମହଲା କୋଠାକୁ ଚଢୁଥିଲେ । ହଠାତ୍ ସେ ପଡିଯିବାରୁ ତାଙ୍କ ମୁଣ୍ଡ ପଛ ପଟେ ଗୁରୁତର ଆଘାତ ଲାଗିଥିଲା । ଦାୟିତ୍ୱରେ ଥିବା ସିକ୍ୟୁରିଟି ଗାର୍ଡ ଓ ଅନ୍ୟମାନେ ତାଙ୍କୁ ଉଦ୍ଧାର କରି ତୁରନ୍ତ ମେଡିକାଲ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ରବିବାର ଅପରାହ୍ନରେ ପରିବାର ଲୋକେ ସେଠାରୁ ତାଙ୍କ ମୃତଦେହ ଧରି ଖରାଲି ଗ୍ରାମ ଅଭିମୁଖେ ବାହାରିଥିଲେ । ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ତାଙ୍କ ପରଲୋକରେ ସମ୍ପୂର୍ଣ୍ଣ ପରିବାର ଅସହାୟ ହୋଇଯାଇଛନ୍ତି । ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଶୋକସନ୍ତପ୍ତ ଖରାଲି ଗ୍ରାମବାସୀ ଦାବୀ କରିଛନ୍ତି । ଗତ ୧ ମାସ ମଧ୍ୟରେ ବ୍ଲକ ଅଞ୍ଚଳକୁ ପୂର୍ବରୁ ତିନିଜଣ ଦାଦନ ଶ୍ରମିକଙ୍କ ମୃତଦେହ ବିଭିନ୍ନ ଗାଁକୁ ଫେରିଥିବା ବେଳେ ଏବେ ନୂଆଁଖାଇର ୪୮ଘଣ୍ଟା ପୂର୍ବରୁ ଆହୁରି ୩ଜଣଙ୍କ ମୃତଦେହ ଫେରିଲାଣି । ଏପରି ମାସକରେ ୬ଶବ ବ୍ଲକର ବିଭିନ୍ନ ଗାଁକୁ ଫେରିଲାଣି । ଏହା ପୂର୍ବରୁ ମଧ୍ୟ ବହୁ ଦାଦନ ଶ୍ରମିକଙ୍କ ମୃତଦେହ ବ୍ଲକ ଅଞ୍ଚଳକୁ ଫେରିସାରିଛି । ନୂଆଁଖାଇ ପାଇଁ ସମଗ୍ର ଅଞ୍ଚଳ ଉତ୍ସବମୁଖର, ଖୁସିରେ ଥିବା ବେଳେ ମୃତ ତିନି ଦାଦନଙ୍କ ପରିବାର ଓ ସଂପୃକ୍ତ ଗ୍ରାମଗୁଡ଼ିକ ପାଇଁ ଦୁଃଖଦ ପରିବେଶ, କାନ୍ଦବୋବାଳିରେ ଅଞ୍ଚଳ ଫାଟି ପଡ଼ୁଛି । ବାରମ୍ବାର ଦାଦନ ଶ୍ରମିକଙ୍କ ମୃତଦେହ ଗାଁକୁ ଫେରୁଥିବା ବେଳେ ଅନ୍ୟପଟରେ ନୂଆଁଖାଇ ପରେ ପରେ ଲୋକେ ପୁଣି ପେଟର ଭୋକ ମେଣ୍ଟାଇବା ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବା ପାଇଁ ସର୍ଦ୍ଧାରଠାରୁ ବଏନା ନେଇ ଯିବା ପାଇଁ ବାଧ୍ୟ ହୋଇଥାନ୍ତି । ଏହି ଅଞ୍ଚଳର ବେକାର ଯୁବକ ଯୁବତୀଙ୍କୁ କର୍ମ ସଂସ୍ଥାନର ଅଭାବ ଯୋଗୁଁ ସେମାନେ ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଯିବା ପାଇଁ ବାଧ୍ୟ ହେଉଥିବା ବେଳେ ତାହେଲେ ଦାଦନ ଦୂରୀକରଣ ପାଇଁ ସରକାରଙ୍କ ବିଭିନ୍ନ ଯୋଜନାରେ ଆସୁଥିବା କୋଟି କୋଟି ଟଙ୍କା କେବଳ କାଗଜ କଲମରେ ସୀମିତ କି ବୋଲି ଗୁରୁତର ପ୍ରଶ୍ନ ଉଠିଛି ।

nrusinghnath
Leave A Reply

Your email address will not be published.