ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍‌ରେ ଛତ୍ରପୁର ପ୍ରେସ୍‌ କ୍ଲବ ବିଜୟୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) :ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ଛତ୍ରପୁରର ଅନ୍‌ସ୍ଲୋ ମିନିଷ୍ଟାଡିୟମରେ ଛତ୍ରପୁର ପ୍ରେସ୍‌ କ୍ଲବ ଓ ବ୍ରହ୍ମପୁର ପ୍ରେସ୍‌ କ୍ଲବ ମଧ୍ୟରେ ଏକ ବନ୍ଧୁତ୍‌ତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ଏହି କ୍ରିକେଟ ମ୍ୟାଚ୍‌ରେ ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଧ୍ୟାହ୍ନରେ ଏହାକୁ ଉଦ୍‌ଘାଟନ କରିବା ସହ ଅପରାହ୍ନରେ ପୁରସ୍କାର ବିତରଣ କରିଥିଲେ । ଟସ୍‌ ଜିତି ବ୍ରହ୍ମପୁର ପ୍ରେସ୍ ଏକାଦଶ ନିର୍ଧାରିତ ୧୫ ଓଭର୍‌ ଖେଳି ୧୦୮ ରନ୍‌ ସଂଗ୍ରହ କରିଥିଲେ । ବ୍ରହ୍ମପୁର ଏକାଦଶ ଦଳର ଗୋପାଳ ରେଡ୍ଡୀ ସର୍ବାଧିକ ୩୭ ରନ୍‌ ସଂଗ୍ରହ କରିଥିବା ବେଳେ ଛତ୍ରପୁରର ମିଥୁନ ବାରିକ ୩ ଓଭର ବୋଲିଂ କରି ୩ଟି ୱିକେଟ୍‌ ଅକ୍ତିଆର କରିଥିଲେ । ଜବାବରେ ଛତ୍ରପୁର ପ୍ରେସ୍‌ କ୍ଲବ ଏକାଦଶ ୧୧.୧ ଓଭର୍‌ରେ ୪ ୱିକେଟ୍‌ ହରାଇ ୧୦୯ ରନ୍‌ କରି ବିଜୟୀ ହୋଇଛି । ଦଳ ପକ୍ଷରୁ ସୁଧୀର ନାହାକ ସର୍ବାଧିକ ଅପରାଜିତ ୩୭ ରନ୍‌ କରିଥିବା ବେଳେ ମିଥୁନ ବାରିକ ୨୫ ରନ୍‌ କରି ଅପରାଜିତ ଥିଲେ । ଛତ୍ରପୁରର ବସନ୍ତ ମହାରଣା ୩ ରନ୍‌, ସରୋଜ ସାମଲ ୮ ରନ୍‌, ବିସ୍ମୟ ପ୍ରଧାନ ୭ ରନ୍‌ ଓ ଅଜିତ ସ୍ୱାଇଁ ଶୂନ୍ୟ ରନ୍‌ କରି ଆଉଟ୍‌ ହୋଇଥିଲେ । ବ୍ରହ୍ମପୁର ଦଳର ମନୋଜ ପଣ୍ଡା ପ୍ରଥମ ଓଭରର ପ୍ରଥମ ବଲରେ ଛତ୍ରପୁରର ଓପନ୍‌ର ଅଜିତ ସ୍ୱାଇଁ ଙ୍କୁ ଆଉଟ୍‌ କରି ଖେଳରେ ରୋମାଞ୍ଚ ଭରି ଦେଇଥିଲେ । ବ୍ରହ୍ମପୁରର ବାବୁଲା ପାଣିଗ୍ରାହୀ ୨ୟ ଓଭରର ଶେଷ ବଲ୍‌ରେ ଗୋଟିଏ ଓ ୪ର୍ଥ ଓଭରରେ ୨ଟି ୱିକେଟ୍‌ ନେଇ ଛତ୍ରପୁର ଦଳକୁ ସଙ୍କଟରେ ପକାଇଥିଲେ । ତେବେ ସୁଧିର ଏବଂ ମିଥୁନଙ୍କ ଯୋଡି ଚମତ୍କାର ଖେଳ ପ୍ରଦର୍ଶନ କରି ଛତ୍ରପୁରକୁ ଜିତାଇ ଥିଲେ । ୨୫ ରନ୍‌ ସହ ୩ ଓଭର ବୋଲିଂ କରି ୩ଟି ୱିକେଟ୍‌ ନେଇଥିବା ମିଥୁନ ବାରିକ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିବା ବେଳେ ସମାନ ସଂଖ୍ୟକ ରନ୍‌ (୩୭) କରିଥିବା ବ୍ରହ୍ମପୁରର ଗୋପାଳ ରେଡ୍ଡୀ ଓ ଛତ୍ରପୁରର ସୁଧୀର ନାହାକଙ୍କୁ ଶ୍ରେଷ୍ଠ ବ୍ୟାଟ୍‌ସ୍‌ମ୍ୟାନ୍‌ ଭାବେ ପୁରସ୍କୃତ କରାଯାଇଥିଲା । ମୁଖ୍ୟ ଅତିଥି ଛତ୍ରପୁର ଦଳକୁ ଚମ୍ପିୟନ ଓ ବ୍ରହ୍ମପୁର ଦଳକୁ ରନର୍ସ ଅପ୍‌ ଟ୍ରଫି ପ୍ରଦାନ କରି ଉଭୟ ସହରର ସାମ୍ବାଦିକ ମାନଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣକୁ ସର୍ବଦା ବଜାୟ ରଖିବାକୁ ଆହ୍ଵାନ ଦେଇଥିଲେ ।

Leave A Reply

Your email address will not be published.

4 × two =