ହର୍‌ଡାଟାଲ ଗ୍ରାମବାସୀ ଆତଙ୍କିତ : ରାଜ୍ୟ ସରକାରଙ୍କ ଚରମ ଅବହେଳାର ଅଭିଯୋଗ ଆଣିଲେ ପୂର୍ବତନ ବିଧାୟକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ କେର୍ମେଲାବାହାଲ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଗୋଟିଏ ୱାର୍ଡର ଆଦିବାସୀ ବହୁଳ ଗ୍ରାମ ହରିଡାଟାଲ ଗ୍ରାମକୁ ସ୍ବାସ୍ଥ୍ୟ ବ୍ୟବସ୍ଥା ଯୋଗାଇ ଦେବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ବୋଲି ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଏକ ବିବୃତିରେ ପ୍ରକାଶ କରିଛନ୍ତି ।

୧ ମାସ ଭିତରେ ମେଲେରିଆ ଓ ଟାଇଫଏଡ ଯୋଗୁଁ ଗ୍ରାମର ୩ ଜଣଙ୍କ ଜୀବନ ଯାଇଥିବା ବେଳେ ଏବେ ବି ଗ୍ରାମର ୩୦ରୁ ଉର୍ଦ୍ଧ୍ବ ମହିଳା, ପୁରୁଷ ଓ ଛୋଟ ଛୋଟ ଛୁଆମାନେ ରୋଗରେ ଆକ୍ରାନ୍ତ ହୋଇ ଥିବାବେଳେ ସେମାନଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ନିଜର ଅସାମର୍ଥ୍ୟତା ପ୍ରକାଶ କରିଛନ୍ତି ବୋଲି ଶ୍ରୀ ପୁରୋହିତ କହିଛନ୍ତି । ଗତକଲି ହର୍‌ଡାଟାଲ ଗ୍ରାମକୁ ଯାଇଥିବା ବେଳେ ଗ୍ରାମବାସୀମାନେ ଏବେ ଅଜଣା ରୋଗରେ ଆତଙ୍କିତ ଅବସ୍ଥାରେ ଥିବା କଥା ସେ ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ ଯୋଜନା କୁଆଡେ ଯାଇଛି, ସରକାରୀ ଚିକିତ୍ସା ଠାରୁ ବଞ୍ଚିତ ହେବା ପରେ ଗ୍ରାମର ଅନେକ ଗରିବ ଲୋକ ଧାର ଉଧାରି କରି ମେନେଜର ତାଣ୍ତି ୧୫ ହଜାର ଟଙ୍କା, ଶ୍ରୀ ଜୟଲାଳ ଏଣ୍ତଜା ୧୫ ହଜାର ଟଙ୍କା, ମୃତ୍ୟୁ ବରଣ କରିଥିବା ୮ବର୍ଷର ଝିଅ ସୀମା ଏଣ୍ତଜା ପରିବାର ୧ଲକ୍ଷ ୫୦ ହଜାର ଟଙ୍କା, ପାନାଲାଲ ନାୟକ ୨୫ ହଜାର ଟଙ୍କା, ଶ୍ରୀମତୀ ଯଶୋବନ୍ତି ପୋଢ ୫ ହଜାର ଏପରି ଅନେକଙ୍କ ଚିକିତ୍ସା ପାଇଁ ଗ୍ରାମବାସୀ ପାଖାପାଖି ୨୦ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କଲେଣି । ଅନେକ ମହାଜନମାନଙ୍କ ଠାରୁ ଅତ୍ୟାଧିକ ସୁଧରେ ଟଙ୍କା କରଜ ମଧ୍ୟ ନେଉଥିବା ଜଣାଯାଇଛି । ଗୋଟିଏ ଛୋଟିଆ ଗ୍ରାମର ଲୋକେ ମୃତ୍ୟୁର ଆତଙ୍କରେ ଆତଙ୍କିତ ଥିବା ବେଳେ ଏବେ ମଧ୍ୟ ଜଣେ ବି ସରକାରୀ ଡାକ୍ତର ସେ ଗାଁରେ ଡେରା ପକାଇ ନ ଥିବା ରାଜ୍ୟ ସରକାରଙ୍କ ଲୋକଙ୍କ ପ୍ରତି ସମ୍ବେଦନହୀନତାର ପରିଚୟ ବୋଲି ଶ୍ରୀ ପୁରୋହିତ କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ୫ଟି ସଚିବ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ସେ ଦାବୀ କରିଛନ୍ତି ।

Leave A Reply

Your email address will not be published.