ଓଡିଆ ଫିଲ୍ମଜଗତର ରାଜୁ ମିଶ୍ର ଆଉ ନାହା‌ନ୍ତି

ଭୁବନେ‌ଶ୍ୱର, (ସୁଶା‌ନ୍ତ ସାହୁ) : ଜଣାଶୁଣା ବିଶିଷ୍ଟ ଓଡ଼ିଆ ସିନେମା ନିର୍ଦ୍ଦେଶକ ରାଜୁ ମିଶ୍ର ଆଉ ନାହା‌ନ୍ତି । ତାଙ୍କ ବିୟୋଗରେ ସିନେମା ଜଗତରେ ଶୋକର ଛାୟା ଖେଳି ଯାଇଛି । ଓଡିଆ ଫିଲ୍ମ ଜଗତରେ ଅନେକ ସୁପରହିଟ ଫିଲ୍ମର ନିର୍ଦ୍ଦେଶନ ଦେଇଛନ୍ତି ରାଜୁ ମିଶ୍ର । କେବଳ ଓଡିଆ ନୁହେଁ ଅନେକ ଭାଷାରେ ମଧ୍ୟ ଚଳଚ୍ଚିତ୍ର ପ୍ରସ୍ତୁତ କରିଛନ୍ତି ସେ । ୨୦୧୨ ମସିହାରେ ରାଜୁ ମିଶ୍ରଙ୍କୁ ଜୟଦେବ ପୁରସ୍କାର ମିଳିଥିଲା । ମମତା ମାଗେ ଫୁଲ, ସତ ମିଛ, ସିଂହ ବାହିନୀ, ଜଗା ହାତରେ ପଘା, ପୁଅ ମୋର କଳା ଠାକୁର, ସାଗର ଗଙ୍ଗା, ପଥର ଖସୁଛି ବଡଦେଉଳ ଆଦି ଅନେକ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ ।

ରାଜୁ ମିଶ୍ର ଏକାଧାରରେ ନିର୍ଦ୍ଦେଶନା ଓ ସିନେମାଟୋଗ୍ରାଫର ଭାବେ କାର୍ୟ୍ୟ ମଧ୍ୟ କରିଥାନ୍ତି । ପୁନେ ସ୍ଥିତ ଫିଲ୍ମ ଆଣ୍ଡ ଫିଲ୍ମ ଟେଲିଭିଜନ ଇନଷ୍ଟୁଚ୍ୟୁଟରୁ ଡିଗ୍ରୀ ହାସଲ କରିଥିଲେ । ବର୍ତ୍ତମାନର ଓଲିଉଡ ଜଗତର ଅନେକ ପ୍ରତିଷ୍ଠିତ କଳାକାରଙ୍କୁ ସିନେ ଜଗତକୁ ଆଣିବାରେ ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ଭୂମିକା ରହିଛି । ବଦ୍‌ରାଗୀ କୁହାଯାଉଥିବା ରାଜୁ ମିଶ୍ର ବାସ୍ତବରେ ଥିଲେ ଜଣେ ସ୍ନେହୀ, ପରୋପକାରୀ ତଥା ସତ୍ ଚରିତ୍ରର ବ୍ୟକ୍ତିତ୍ୟ । ତାଙ୍କର ଅକସ୍ମାତ ବିୟୋଗରେ ସାରା ଓଲିଉଡ ଜଗତ ଆଜି ମର୍ମାହତ ।

Leave A Reply

Your email address will not be published.