
- “ସାଇବର ସଚେତନତା ହିଁ ଡିଜିଟାଲ୍ ସୁରକ୍ଷାର ପ୍ରଥମ ପଦକ୍ଷେପ”
ବଲାଙ୍ଗିର, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଗାନ୍ଧୀନଗର ପଡ଼ା ସ୍ଥିତ ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ସଚେତନତାମୂଳକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସ୍କୁଲ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସେବାଶ୍ରୀ ଭୋଇଙ୍କ ମାର୍ଗଦର୍ଶନରେ ତଥା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସ୍ୱରୂପା ମଞ୍ଜରୀ ସାମନ୍ତରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଛାତ୍ରୀମାନଙ୍କ ମଧ୍ୟରେ ବିଦ୍ୟାଳୟ ସୁରକ୍ଷା, ସାଇବର ସୁରକ୍ଷା, ପରିବେଶ ସୁରକ୍ଷା ଓ ଦାୟିତ୍ୱବୋଧ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଏକ ସଚେତନତା ରାଲି ବାହାର କରାଯାଇଥିଲା । ଶିକ୍ଷୟିତ୍ରୀ ନୂତନ ନାୟକ, ଯାଜ୍ଞସିନୀ ମହାପାତ୍ର, ଅଂଶୁ ସାହାଣୀ, ପ୍ରିୟମ୍ବଦା ଦେବ, ନମିତା କର, ସବିତା ମିଶ୍ର, ରଶ୍ମିତା ଦାଶ, ସୌମ୍ୟାଶ୍ରୀ ସାହୁ, ସୋମନାଞ୍ଜଳି ସାହୁ, ଧାରାଶ୍ରୀ ଧିମହୀ ବେହେରା, ସଂଗୀତା ସାହୁ, ବିନ୍ଦୁରେଖା ସାହୁ, ଲିଲି ଭୋଇ, ଦୀପ୍ତି ବେହେରା ଓ ଶିକ୍ଷକ ରଞ୍ଜିତ ମିଶ୍ର, ହରି ଖେତୀ, ସୁରେଶ ବାରିକଙ୍କ ସହ ଛାତ୍ରୀମାନେ ବିଭିନ୍ନ ସଚେତନତାମୂଳକ ସ୍ଲୋଗାନ ଦେଇ ଲୋକଙ୍କୁ ବିଦ୍ୟାଳୟ ସୁରକ୍ଷା ଓ ସୁରକ୍ଷିତ ଆଚରଣ ସମ୍ପର୍କରେ ସଚେତନ କରିଥିଲେ । ରାଲିରେ ଛାତ୍ରୀମାନଙ୍କ ଉତ୍ସାହ ଓ ଶୃଙ୍ଖଳା ଦେଖିବାକୁ ମିଳିଥିଲା । ଏହି ଅବସରରେ ବଲାଙ୍ଗିର ପୁଲିସ ପକ୍ଷରୁ ଛାତ୍ରୀମାନଙ୍କୁ ସାଇବର ସୁରକ୍ଷା ଓ ବିଦ୍ୟାଳୟ ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା । ବିଶେଷକରି ଅନଲାଇନ୍ ଠକେଇ, ଅଜଣା ଲିଙ୍କ୍ରେ କ୍ଲିକ୍ ନ କରିବା, ବ୍ୟକ୍ତିଗତ ତଥ୍ୟ ଓ ପାସୱାର୍ଡ କାହା ସହିତ ଅନାବଶ୍ୟକ ଭାବେ ଅଂଶୀଦାର ନ କରିବା ଏବଂ ସୋସିଆଲ୍ ମିଡିଆର ସୁରକ୍ଷିତ ବ୍ୟବହାର ନେଇ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା । ବଲାଙ୍ଗିର ପୋଲିସ ପକ୍ଷରୁ ସାଇବର କ୍ରାଇମର ଆଇଆଇସି ଭାରତୀ ନାଏକ ଓ ଏସ୍ଆଇ ବୈଦୁର୍ଯ୍ୟ ପଧାନ ସାଇବର ସୁରକ୍ଷାର ଗୁରୁତ୍ୱ ଉପରେ ଶିକ୍ଷାଦାନ କରି କହିଥିଲେ ଯେ, ଆଜିର ଡିଜିଟାଲ୍ ଯୁଗରେ ଇଣ୍ଟରନେଟ୍ର ସୁବିଧା ସହିତ ଏହାର ସୁରକ୍ଷିତ ବ୍ୟବହାର ସମ୍ପର୍କରେ ଜାଣିବା ମଧ୍ୟ ଅତ୍ୟନ୍ତ ଆବଶ୍ୟକ । ଅଜଣା ବ୍ୟକ୍ତିଙ୍କ ମେସେଜ୍, ଫୋନ୍ କଲ୍ କିମ୍ବା ଲିଙ୍କ୍ ଉପରେ ବିଶ୍ୱାସ ନ କରିବା, ଓଟିପି, ପାସୱାର୍ଡ ଓ ବ୍ୟକ୍ତିଗତ ସୂଚନା କାହାକୁ ନ ଦେବା ଏବଂ କୌଣସି ସନ୍ଦେହଜନକ ଘଟଣା ଘଟିଲେ ଅଭିଭାବକ, ଶିକ୍ଷକ କିମ୍ବା ସମ୍ପୃକ୍ତ ଅଧିକାରୀଙ୍କୁ ତୁରନ୍ତ ଜଣାଇବାକୁ ସେମାନେ ଛାତ୍ରୀମାନଙ୍କୁ ପରାମର୍ଶ ଦେବା ସହ ସାଇବର ସଚେତନତା ହିଁ ଡିଜିଟାଲ୍ ସୁରକ୍ଷାର ପ୍ରଥମ ପଦକ୍ଷେପ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ସପ୍ତାହର ଶେଷ ଦିନରେ ବିଦ୍ୟାଳୟ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବିଦ୍ୟାଳୟର ଶିକ୍ଷୟିତ୍ରୀ ଲିଜାରାଣୀ ସାହୁ ଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ । ଛାତ୍ରୀମାନେ ବିଦ୍ୟାଳୟ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ପରିବେଷଣ କରି ସୁରକ୍ଷିତ ବିଦ୍ୟାଳୟ ପରିବେଶର ବାର୍ତ୍ତା ଦେଇଥିଲେ । ଏହା ସହିତ ବିଦ୍ୟାଳୟ ପରିବେଶକୁ ପରିଷ୍କାର ଓ ସୁନ୍ଦର ରଖିବା ପାଇଁ ଛାତ୍ରୀମାନଙ୍କୁ ପ୍ରେରିତ କରାଯାଇଥିଲା । ସପ୍ତାହବ୍ୟାପୀ ବିଭିନ୍ନ ପ୍ରକାର ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ ଛାତ୍ରୀମାନଙ୍କ ମଧ୍ୟରେ ସୁରକ୍ଷା, ଶୃଙ୍ଖଳା, ସ୍ୱଚ୍ଛତା ଓ ଦାୟିତ୍ୱବୋଧ ବୃଦ୍ଧି କରିବାରେ ସହାୟକ ହେବ ବୋଲି ବିଦ୍ୟାଳୟର ଅଭିଭାବକମାନେ ମତ ପ୍ରକାଶ କରିଥିଲେ ।