pakka

ମୁରିବାହାଲରୁ ବିଦ୍ୟୁତ୍ ତାର ଚୋରି ଘଟଣା : ମୁଖ୍ୟ ମାଷ୍ଟରମାଇଣ୍ଡ ନିଖିଳ ଜୈନ ସହ ଆଉ ୨ ଅଭିଯୁକ୍ତ କୋର୍ଟ ଚାଲାଣ, ଜିଲ୍ଲାସାରା ବଡଧରଣର ରାକେଟ୍‌ ସକ୍ରିୟ

bbehera

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲାସାରା ଲଗାତାର ଚାଲିଥିବା ବିଦ୍ୟୁତ ତାର ଚୋରି ସମ୍ପର୍କରେ ଏକ ବଡଧରଣର ରାକେଟ୍‌ ସକ୍ରିୟ ଥିବା ଅଭିଯୋଗ ହୋଇଆସୁଥିଲା । ଏହି ତାର ଚୋରୀ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ଶୁକ୍ରବାର ମୁରିବାହାଲ ଥାନା ପୁଲିସ ସଇଁତଳା ଥାନା ଦାବଜୁରୀ, ଭିରକାପଡ଼ା ଗ୍ରାମର ସାହେବ ଛତ୍ରିଆଙ୍କ ପୁଅ ପବିତ୍ର ଛତ୍ରିଆ (୨୬) ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ତାର ଚୋରୀ ରାକେଟ୍‌ର ମୁଖ୍ୟ ମାଷ୍ଟରମାଇଣ୍ଡ ବଙ୍ଗୋମୁଣ୍ଡାର ସ୍ଥାୟୀ ବାସିନ୍ଦା ଓ ଦେଓଗାଁର ହାର୍ଡୱେର ବ୍ୟବସାୟୀ କମଳ ଜୈନଙ୍କ ପୁଅ ନିଖିଳ ଜୈନ(୨୫)ଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିଲା । ପୁଲିସ ଶ୍ରୀ ଜୈନର ସହଯୋଗୀ କଣ୍ଟାବାଞ୍ଜି ଥାନା ଆମପଡ଼ାର ଲୋକନାଥ ବେହେରାଙ୍କ ପୁଅ ପ୍ରକାଶ ବେହେରା(୨୮) ଓ ଲୋଇସିଂହା ଥାନା ଫାସଡ ଗ୍ରାମର ଏମ୍‌ଡି ଅଖତର ଖାଁଙ୍କ ପୁଅ ଏମ୍‌ଡି ଅରମାନ ଖାଁ (୨୫)ଙ୍କୁ ଆଣି ଅଟକ ରଖି ଅଧିକ ତଦନ୍ତ ପରେ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି । ପୁଲିସ ଅଭିଯୁକ୍ତ ପାଖରୁ ୧୨ ବଣ୍ଡଲ ଚୋରି ବିଦ୍ୟୁତ ତାର, ଦୁଇଟି ବାଇକ (ଓଡି ୦୩ ଇ ୭୪୩୧) ଓ (ଟିଏନ ୪୨ ଏଡି ୦୫୨୨), ଏକ କଟର ଓ ଏକ ମନିପର୍ସ ଜବତ କରିଥିଲା । ପୁଲିସ ସୂତ୍ରରୁ ସୂଚନାମତେ ମୁରିବାହାଲ ଥାନା ପତ୍ରାପାଲି(କ) ଗ୍ରାମପଞ୍ଚାୟତ ଅଞ୍ଚଳରେ ବିଦ୍ୟୁତ୍ ତାର ଚୋରି ହେଉଥିବା ସମ୍ପର୍କରେ ମୁରିବାହାଲ ଓ ବଙ୍ଗୋମୁଣ୍ଡା ବିଦ୍ୟୁତ୍ ବିଭାଗ ପକ୍ଷରୁ ସୂଚନା ପାଇ କଣ୍ଟାବାଞ୍ଜି ବିଦ୍ୟୁତ୍ ବିଭାଗ ଏସ୍‌ଡିଓ ଜଗନ୍ନାଥ ପତିଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ପହଞ୍ଚି ଜଣେ ଯୁବକଙ୍କୁ ଚୋରି ବିଦ୍ୟୁତ୍ ତାର, ଦୁଇ ବାଇକ ଓ ଅନ୍ୟାନ୍ୟ ସାମଗ୍ରୀ ସହ ପୁଲିସକୁ ହସ୍ତାନ୍ତର କରିଥିଲେ । ଏସ୍‌ଡିଓ ଶ୍ରୀ ପତିଙ୍କ ଏତଲା ମୁତାବକ ପୁଲିସ କେସ୍‌ ନଂ ୧୪୫/୨୪ରୁଜ୍ଜୁ କରି ଅଧିକ ତଦନ୍ତ ଆରମ୍ଭ କରିଥିଲା । ପୁଲିସ ଅଭିଯୁକ୍ତର ସୂଚନା ଆଧାରରେ ଏହି ବିଦ୍ୟୁତ୍ ତାର ଚୋରୀ ଘଟଣାର ମୁଖ୍ୟ ମାଷ୍ଟରମାଇଣ୍ଡ ବଙ୍ଗୋମୁଣ୍ଡା ଓ ଦେଓଗାଁର ନାମକରା ବ୍ୟବସାୟୀ ନିଖିଳ ଜୈନଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିଲା । ମୁଖ୍ୟ ଅଭିଯୁକ୍ତର ସୂଚନା ଆଧାରରେ ପୁଲିସ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଥିଲା । ଏହାର ନେଟ୍‌ୱର୍କ ଜିଲ୍ଲାସାରା ବ୍ୟାପିଥିବା ବେଳେ ଏକ ବଡଧରଣର ରାକେଟ୍‌ କାମ କରୁଥିବା ତଥା ଏଥିରେ ବଙ୍ଗୋମୁଣ୍ଡା, ସଇଁତଳା, ଦେଓଗାଁ, ବଲାଙ୍ଗିର ଭଳି ଜିଲ୍ଲାର ବିଭିନ୍ନ ଅଞ୍ଚଳର ଅଭିଯୁକ୍ତ ଯୁବକ, କିଛି ବିଭାଗୀୟ କର୍ମଚାରୀ ଓ ବହୁ ବ୍ୟବସାୟୀମାନେ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ୍ ଅଧିକ ତଦନ୍ତ ଜାରି ରଖିଥିଲା । ପୁର୍ବରୁ ଏହି ଘଟଣାରେ ପୁଲିସ୍ ଦଫା ୩୭୯ ଆଇପିସିରେ ଅଭିଯୁକ୍ତ ଯୁବକ ପବିତ୍ର ଛତ୍ରିଆଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଥିଲା । ରବିବାର ଅଧିକ ତଦନ୍ତ ପରେ ମୁଖ୍ୟ ଅଭିଯୁକ୍ତ ନିଖିଳ ଜୈନ(୨୫), ପ୍ରକାଶ ବେହେରା(୨୮) ଓ ଏମ୍‌ଡି ଅରମାନ ଖାଁ ନିଜ ଦୋଷ ସ୍ଵୀକାର କରିବା ପରେ ସମସ୍ତଙ୍କୁ ଟିଟିଲାଗଡ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ସମସ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

jay balangir
Leave A Reply

Your email address will not be published.

4 × two =