
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ଅନ୍ତର୍ଗତ ମାନମୁଣ୍ଡା ଗ୍ରାମରେ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ମିଳିବାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତ ମହିଳା ହେଉଛନ୍ତି ୨୧ ବର୍ଷୀୟା ମେଦିନି ବାଡ଼ା। ଦୁଇ ବର୍ଷ ପୂର୍ବେ ସେ ମାନମୁଣ୍ଡା ଗ୍ରାମର ଦିବ୍ୟକିଶାନଙ୍କୁ ବିବାହ କରିଥିଲେ। ସୂଚନା ଅନୁସାରେ, ଗତକାଲି ଦିନ ପ୍ରାୟ ୧୧ଟା ସମୟରେ ମେଦିନି ବେକରେ ଫାଶୀ ଲଗାଇଥିବା ଜଣାପଡ଼ିଥିଲା। ତେବେ ଏନେଇ ସ୍ୱାମୀ କିମ୍ବା ତାଙ୍କ ପରିବାର ପକ୍ଷରୁ ପୁଲିସକୁ ସୂଚନା ଦିଆଯାଇନଥିଲା। ପରେ ରାତି ପ୍ରାୟ ୮ଟାରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା। ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ନଥିବାରୁ ମୃତଦେହ ଉଦ୍ଧାର ପ୍ରକ୍ରିୟା ବିଳମ୍ବିତ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ, ମେଦିନିଙ୍କ ପରିବାର ଲୋକେ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘଦିନ ଧରି କଳହ ଲାଗି ରହିଥିବା ବେଳେ ତାଙ୍କ ଝିଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଝୁଲାଇ ଦିଆଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ତେବେ ମେଦିନିଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା, ତାହା ଏବେ ରହସ୍ୟ ଘେରରେ। ପୁଲିସର ତଦନ୍ତ, ସାଇଣ୍ଟିଫିକ୍ ଟିମ୍ର ଯାଞ୍ଚ ଏବଂ ବ୍ୟବଚ୍ଛେଦ ରିପୋର୍ଟ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।