
ଦେଓଗାଁ : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍ର ଜରାସିଂହାରେ ଆଜିଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ମା’ ପାଟଖଣ୍ଡାଙ୍କ ପାଞ୍ଚଦିନିଆ ଯାତ୍ରା। ପାରମ୍ପରିକ ରୀତିନୀତି, ଖଣ୍ଡା ଧୁଆ ପରମ୍ପରା ଓ ପାଟ ସିନ୍ଦୂର ବରଣକୁ ନେଇ ଚଳଚଞ୍ଚଳ ହୋଇଉଠିଛି ସମଗ୍ର ଜରାସିଂହା ଗାଁ। ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ମୂଳାଷ୍ଟମୀ ତିଥିରୁ ମନ୍ଦିରରେ ଚାଲିଥିବା ଷୋହଳ ଉପଚାର ପୂଜା ପରେ ମା’ ପାଟଖଣ୍ଡାଙ୍କ ପ୍ରତୀକ ଖଣ୍ଡା ଧୁଆ ପରମ୍ପରା ପାଳନ କରାଯାଇଛି। ୩୨ ଜଣ ଦେହୁରୀ ଏକ ପଟୁଆରରେ ଖଣ୍ଡାକୁ ସୋନଗଡ଼ ନଦୀକୁ ନେଇ ଧୋଇବା ପରେ ମନ୍ଦିରକୁ ଫେରାଇ ଆଣିଥିଲେ। ସେହିପରି ପାଟଣାଗଡ଼ର ମା’ ପାଟଣେଶ୍ୱରୀ ମନ୍ଦିରରୁ ଦୁଇଜଣ ସେବକ ପାଟ ଓ ସିନ୍ଦୂର ଧରି ପାଦରେ ଚାଲି ଚାଲି ଜରାସିଂହାରେ ପହଞ୍ଚିଥିଲେ। ଗାଁ ମୁଣ୍ଡରେ ଦେହୁରୀ ଓ ଗ୍ରାମବାସୀ ସେମାନଙ୍କୁ ପାରମ୍ପରିକ ରୀତିରେ ସ୍ୱାଗତ କରିଥିଲେ। ଜମିଦାର ଦୁର୍ଗା ପ୍ରସାଦ ସିଂହଦେଓ ଓ ବରୁଆ ସନ୍ତୋଷ ଥନାପତି ପାଟ ସିନ୍ଦୂର ବରଣ କରି ମନ୍ଦିରକୁ ନେଇଥିଲେ। ଏହାପରେ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ବିଭିନ୍ନ ଗାଁର ଗୌନ୍ତିଆ, ଝାଙ୍କର ଓ ସେବକଙ୍କ ଘରେ ମଧ୍ୟ ପୂଜାବିଧି ଅନୁଷ୍ଠିତ ହୋଇଥିଲା। ଯାତ୍ରା ପରିଚାଳନା କମିଟିର ସୂଚନା ଅନୁଯାୟୀ, ଆଜି ଅପରାହ୍ଣରେ ଗୁଡ଼ଭେଳା ବ୍ଲକ୍ର ନଅଗାଁ ନିକଟ ଦେଝାର ଜଙ୍ଗଲରେ ବରୁଆଙ୍କ ଦେହରେ ମା’ ପାଟଖଣ୍ଡା ଆବିର୍ଭାବ ହୋଇ ଜରାସିଂହା ଅଞ୍ଚଳକୁ ଆସିବେ। ରାଜୁଡ଼ା ଅମଳରୁ ଚାଲିଆସୁଥିବା ଏହି ଐତିହାସିକ ଯାତ୍ରା ପାଞ୍ଚ ଦିନ ଧରି ତିନୋଟି ଖଳାରେ ସ୍ୱତନ୍ତ୍ର ରୀତିନୀତି ଅନୁସାରେ ପାଳନ କରାଯିବ। ପରମ୍ପରା, ଆସ୍ଥା ଓ ଲୋକସଂସ୍କୃତିର ଏହି ମହାମିଳନକୁ ନେଇ ଜରାସିଂହା ଏବେ ଉତ୍ସବମୁଖର।