
ଗାଡି ଚଢାଇ ୭ ଜଣ କୃଷକଙ୍କ ସହ ଜଣେ ସାମ୍ବାଦିକଙ୍କୁ ହତ୍ୟାର ପ୍ରତିବାଦରେ ଆନ୍ଦୋଳନ ଜାରି : ଆମ୍-ଆଦମୀ ପାର୍ଟି ପକ୍ଷରୁ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କେଣ୍ଡେଲ ଶୋଭାଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ ୩ ତାରିଖରେ ଉତ୍ତର ପ୍ରଦେଶର ଲଖିମ୍ପୁର କ୍ଷେରୀ ଅଞ୍ଚଳରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ନିରୀହ କୃଷକଙ୍କ ଉପରେ ଗାଡି ଚଢାଇ ଦେଇଥିଲେ । ଫଳରେ ଘଟଣାସ୍ଥଳରେ କୃଷକ ଆନ୍ଦୋଳନର ୭ ଜଣ କୃଷକ ଏବଂ ଜଣେ ସାମ୍ବାଦିକ ମୃତ୍ୟୁ ବରଣ କରିଥିଲେ । ଏହାର ପ୍ରତିବାଦରେ ଦେଶବ୍ୟାପି ବିଭିନ୍ନ ମହଲରେ ବିକ୍ଷୋଭ ଓ ଆନ୍ଦୋଳନ ଜାରୀ ରହିଛି । ଏହାର ଅନୁରୂପ ଭାବେ ବ୍ରହ୍ମପୁର ସହରରେ ମଧ୍ୟ ବିଭିନ୍ନ ବିରୋଧୀ ରାଜନୈତିକ ଦଳ ପକ୍ଷରୁ ବିକ୍ଷୋଭ ସହ ଆନ୍ଦୋଳନ ଜାରି ରହିଛି । ବ୍ରହ୍ମପୁରର ଆମ ଆଦମୀ ପାର୍ଟି ପକ୍ଷରୁ ଦୀର୍ଘ ୧୦ ଦିନ ଧରି ଆନ୍ଦୋଳନ ସହ ବିକ୍ଷୋଭ କରାଯାଇଥିଲା । ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଆନ୍ଦୋଳନର ଦଶମ ଦିବସର ସନ୍ଧ୍ୟାରେ ବ୍ରହ୍ମପୁର ସହରରେ କେଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା । କେଣ୍ଡେଲ ଜଳାଇ ଆମ୍ ଆଦମୀ ପାର୍ଟି, ଗଞ୍ଜାମ ତରଫରୁ ଶାନ୍ତିପୂର୍ଣ୍ଣ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆମ୍ ଆଦମୀ ପାର୍ଟିର ଜିଲ୍ଲା ଆବାହକ ସୁବାଷ ରାଉତ, ସମ୍ପାଦକ ଆଦିତ୍ୟ ରଥ, ଉପସଭାପତି ସୁଧୀର ପ୍ରଧାନ, ସି. ହରପ୍ରସାଦ, ମନୋଜ ମିଶ୍ର, ପ୍ରଶାନ୍ତ କୁମାର ନାୟକ, ପର୍ଶୁରାମ ସାହୁ, ମନୋଜ ବିଷୋୟୀ, ବିଷ୍ଣୁ ରଣା, ଅଭିମନ୍ୟୁ ଦଳାଇ ପ୍ରମୁଖ ଏହି ଶାନ୍ତିପୂର୍ଣ୍ଣ କେଣ୍ଡେଲ ଶୋଭାଯାତ୍ରାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।