pakka

ପଞ୍ଚାୟତ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ କୋଭିଡ୍‌-୧୯ ବୁଷ୍ଟର ଡୋଜ୍‌ ଦିଆଯିବ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ସରକାରୀ କର୍ମଚାରୀମାନଙ୍କୁ କୋଭିଡ-୧୯ ବୁଷ୍ଟର ଡୋଜ୍‌ ଦିଆଯିବ ବୋଲି ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ । ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ସମସ୍ତ କର୍ମଚାରୀଙ୍କୁ କୋଭିଡ ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିବା ସହ ନିର୍ବାଚନ ପୂର୍ବରୁ ସମସ୍ତଙ୍କୁ ବୁଷ୍ଟର ଡୋଜ ଦେବା ପାଇଁ ରାଜ୍ୟ ନିର୍ବାଚନ କମିଶନ୍‌ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ । ଏଥିପାଇଁ ରାଜ୍ୟ ସରକାର ପତ୍ର ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡିଥିଲେ । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପଞ୍ଚାୟତ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ସମସ୍ତ କର୍ମଚାରୀଙ୍କୁ ଯେଉଁମାନଙ୍କର କୋଭିଡ ୨ୟ ଡୋଜ ଟୀକା ନେବାର ୩ ମାସ କିମ୍ବା ୯୦ ଦିନ ପୂରଣ ହୋଇଥିବ ସେମାନଙ୍କୁ ବୁଷ୍ଟର ଡୋଜ ଦିଆଯିବ ବୋଲି କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ତଦ୍‌ ଅନୁସାରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତରଫରୁ ରାଜ୍ୟର ସମସ୍ତ ଜିଲ୍ଲାପାଳ, ସମସ୍ତ ମ୍ୟୁନିସିପାଲିଟି କମିଶନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା କର୍ମଚାରୀଙ୍କୁ କୋଭିଡ ବୁଷ୍ଟର ଡୋଜ୍‌ ଦେବା ଲାଗି ବିହିତ କାର୍ଯ୍ୟାନୁଷ୍ଟାନ ନିମନ୍ତେ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଜିଲ୍ଲାସ୍ତରର ସମସ୍ତ କର୍ମଚାରୀମାନେ ଯେପରି କୋଭିଡ ବୁଷ୍ଟର ଡୋଜ ଠିକ୍‌ ସମୟରେ ନେଇ ପାରିବେ ସେ ସମ୍ପର୍କରେ ବିଶେଷ ଦୃଷ୍ଟି ଦେବାକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପତ୍ର ମାଧ୍ୟମରେ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.

7 − three =