ଆଗ୍ରିକଲଚର୍ ଇନ୍ସ୍ୟୁରେନ୍ସ କମ୍ପାନୀ ଅଫ ଇଣ୍ଡିଆ ଦ୍ଵାରା କ୍ରପ୍ କଟିଙ୍ଗ ସହିତ ମାସ୍କ୍ ଓ ସାନିଟାଇଜର ବଣ୍ଟନ

ଟିଟିଲାଗଡ, (ଗୌରବ ଦର୍ଜୀ) : ମରୁଡି ଗ୍ରସ୍ତ ଓ ଦାଦନ ପ୍ରବଣ ଅଞ୍ଚଳରେ ଚାଷୀଙ୍କ ଫସଲ ବର୍ଷକୁ ବର୍ଷ କ୍ଷତିଗ୍ରସ୍ତ ହେଉଥିବା ବେଳେ ବୀମା କମ୍ପାନୀ ଚଞ୍ଚକତା କରି ସହାୟତା ରାଶି ପ୍ରଦାନ କରୁ ନଥିବା ଅଭିଯୋଗ ହେଉଛି । ଏନେଇ ମାମଲା ହାଇକୋର୍ଟରେ ପହଞ୍ଚି ସାରିଲାଣି । ଚଳିତ ବର୍ଷ କ୍ରପ କଟିଙ୍ଗକୁ ନେଇ ବାଦ ବିବାଦ ଦେଖାଦେଇଛି । ଶଗଡଘାଟ ଗ୍ରାମରେ ବୀମା କମ୍ପାନୀ ସଦସ୍ୟ ଓ କୃଷି କର୍ମଚାରୀଙ୍କୁ ଚାଷୀ ଦୀର୍ଘ ସମୟ ଧରି ଅଟକ ରଖିଥଲେ । ଏପରି ସ୍ଥିତିରେ ମଙ୍ଗଳବାର ଉପଜିଲ୍ଲାପାଳ ସୌମେଶ ଉପାଧ୍ୟାୟ ଖୋଲାନ ପଞ୍ଚାୟତର ପଥର୍ଲା ଗ୍ରାମରେ ଚାଷ କ୍ଷେତକୁ ଯାଇ କ୍ରପ କଟିଙ୍ଗ କରାଇଛନ୍ତି ।

ଉପଜିଲାପାଳଙ୍କ ସହ ଉପଖଣ୍ଡ ଯୋଗାଣ ଅଧିକାରୀ ଅସିତ ମହାନ୍ତି, କୃଷି ଅଧିକାରୀ ବାଳକୃଷ୍ଣ ଗୌଡ, ବ୍ଲକ କୃଷି ଅଧିକାରୀ ଲାଲବିହାରି ମଲ୍ଲିକ, ଏଓ ବୈକୁଣ୍ଠ ପାଣିଗ୍ରାହୀ, ବୀମା କମ୍ପାନୀ ଆଗ୍ରିକଲଚର୍ ଇନ୍ସ୍ୟୁରେନ୍ସ କମ୍ପାନୀ ଅଫ ଇଣ୍ଡିଆର ବ୍ଲକ ସଂଯୋଜକ ଯୋଗେଶ୍ୱର ଦାଶ, ଟିଟିଲାଗଡ ବ୍ଲକ ସୁପରଭାଇଜର ଆନନ୍ଦ ଦର୍ଜୀ, ପରିସଂଖ୍ୟାନ ବିଭାଗ କର୍ମଚାରୀ ସୁଶାନ୍ତ ମାଝା ପ୍ରମୁଖଙ୍କ ଉପସ୍ଥିତିରେ ଚାଷୀଙ୍କ ଧାନ କାଟି ଓଜନ କରାଯାଇଥିଲା । କ୍ରପ କଟିଙ୍ଗ ସମୟରେ କମ୍ପାନୀ ଦ୍ଵାରା ଉପସ୍ଥିତ ଜନସାଧାରଣଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରିବା ସହ କୋରୋନା ମହାମାରୀରୁ କିପରି ବଞ୍ଚି ରହିବେ ସେଥିପ୍ରତି ଅବଗତ କରାଇଥିଲେ ଆଗ୍ରିକଲଚର୍ ଇନ୍ସ୍ୟୁରେନ୍ସ କମ୍ପାନୀ ଅଫ ଇଣ୍ଡିଆର ବ୍ଲକ ସଂଯୋଜକ ଶ୍ରୀ ଦାଶ । ବ୍ଲକ ଅଞ୍ଚଳରେ ହେକ୍ଟର ପ୍ରତି ଅମଳ ହାରାହାରି ୩୨ କ୍ୱିଣ୍ଟାଲ ରହିଥିବା ବେଳେ ରିପୋର୍ଟରେ ୨୪ କ୍ୱିଣ୍ଟାଲ ବାହାରିଥିବା ଜଣାଯାଇଛି । ବର୍ଷା ଅଭାବ ଯୋଗୁଁ ସାନ ଧାନ ଅନେକାଂଶରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ହେକ୍ଟର ପ୍ରତି କିଛି ଅଞ୍ଚଳରେ ୩ କ୍ୱିଣ୍ଟାଲରୁ କମ ଉତ୍ପାଦନ ହୋଇଥିବା କ୍ରପ କଟିଙ୍ଗ ରିପୋର୍ଟରେ ଜଣାପଡ଼ିଛି । ଚିରସ୍ରୋତା ଉଦ୍ଦେର ନଦୀ ପାର୍ଶ୍ବରେ କୃପ କଟିଙ୍ଗ ସମୟରେ ଉପସ୍ଥିତ ଉପଜିଲାପାଳଙ୍କୁ ଏଯାବତ ଚାଷୀଙ୍କ ଜମିକୁ ଜଳସେଚନ ବ୍ୟବସ୍ଥା ହୋଇ ନଥିବା ଅବଗତ କରାଯାଇଥିଲା । ଅପରପକ୍ଷରେ ଚାଷୀଙ୍କ ପାଇଁ ରହିଥିବା ଜଳନିଧି ଯୋଜନା, ସୋଲାର ପମ୍ପ ଆଦି ନେଇ ଚାଷୀ ଆବେଦନ କଲେ ମଧ୍ୟ କୌଣସି ସହାୟତା ମିଳୁ ନଥିବା ଅଭିଯୋଗ କରିଥିଲେ । ଯୋଜନା ନେଇ କୃଷି ଅଧିକାରୀ ବଦଳରେ ଜଣେ ରାଜନେତା ହିତାଧିକାରୀ ଚୟନ କରୁଥିବା ଅଭିଯୋଗ କରିଛନ୍ତି ଚାଷୀ ।

Leave A Reply

Your email address will not be published.