ଜିଲ୍ଲାସ୍ତରୀୟ ୮୦ ତମ ସ୍ଵାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ

csstore

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର ରାମେଶ୍ୱର ଷ୍ଟାଡିୟମ ଠାରେ ଆୟୋଜନ ହେବାକୁ ଥିବା ଜିଲ୍ଲାସ୍ତରୀୟ ୮୦ ତମ ସ୍ଵାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ- ଜିଲ୍ଲା ପରିଷଦ ଅଶ୍ୱିନୀ ମେହେର, ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ତାମସୀ ତାମସ୍ମିତା ନାଏକ, ଉପଜିଲ୍ଲାପାଳ ଡ. ସୌମ୍ୟରୂପା ରଥ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ପ୍ରମୁଖ ବିଭାଗୀୟ ଅଧିକାରୀ, ସମସ୍ତ ସ୍କୁଲ ଓ କଲେଜର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ସମାଜସେବୀ, ଶିକ୍ଷାବିତ, ଗଣମାଧ୍ୟମ ପ୍ରତିନିଧି, ସ୍ଵେଛାସେବୀ ଅନୁଷ୍ଠାନର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହାକୁ କିପରି ମହାସମାରୋହରେ ପାଳନ କରାଯିବ ସେହି ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ସ୍ଵାଧୀନତା ଦିବସ ପାଳନ ଦିନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ପ୍ରାତଃ ୪.୩୦ ମି. ସମୟରେ ରାମଧୂନ ପରିବେଷଣ ପରେ ପ୍ରଭାତ ଫେରି ପ୍ରତ୍ୟୁଷ ୫.୩୦ ରୁ ୬ ଘଟିକା ସମୟରେ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ, ଯୁବକ ଓ ମହିଳା ସଂଘ ଏବଂ ସମସ୍ତ ଅନୁଷ୍ଠାନ ନିଜ ନିଜ ଅଞ୍ଚଳରେ ପ୍ରଭାତ ଫେରି କରିବେ । ପରେ ସହରରେ ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଗୁଡିକରେ ଉକ୍ତ ଦିନ ସକାଳ ୭.୩୦ ମିନିଟ୍‌ରୁ ୮ ଘଟିକା ସମୟ ମଧ୍ୟରେ ରାଷ୍ଟ୍ରୀୟ ସଙ୍ଗୀତ ଗାନ ପୂର୍ବକ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ଜାତୀୟ ଦିବସରେ ସହରର ସମସ୍ତ ମାନ୍ୟଗଣ୍ୟ ଅତିଥିଙ୍କୁ ଆମନ୍ତ୍ରିତ କରାଯିବ । ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ, ଏଥିରେ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉକ୍ତ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିପାରିବେ । ବିଭିନ୍ନ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ୟାରେଡ଼ରେ ଅଂଶ ଗ୍ରହଣ କରିବେ । ଏଥିପାଇଁ ଅଗଷ୍ଟ ମାସ ୧୧, ୧୨ ଏବଂ ୧୩ ତାରିଖ ପର୍ଯ୍ୟନ୍ତ ରିଜର୍ଭ ଇନ୍ସପେକ୍ଟରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ୟାରେଡ଼ ଅଭ୍ୟାସ ଅନୁଷ୍ଠିତ ହେବ । ଏହି ବର୍ଷ ମୋଟ ୪୨ ଗୋଟି ପ୍ୟାରେଡ ଗ୍ରୁପ ରହିବେ । ପ୍ୟାରେଡ୍ ପ୍ରତିଯୋଗିତାର ଶ୍ରେଷ୍ଠ ବିବେଚିତ ଦଳଙ୍କୁ ଏବଂ ଅନ୍ୟାନ୍ୟ କୃତୀ ଦଳଙ୍କୁ ମେମୋରିଆଲ୍ ପୁରସ୍କାର ପ୍ରଦାନ କରାଯିବ । ଅନୁଷ୍ଠିତ ସମସ୍ତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଉତ୍ସବର ଆୟୋଜିତ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ । ଏଥିସହ ପ୍ୟାରେଡ ପଡିଆ ସାଜସଜ୍ଜା, ବ୍ୟାରିକେଡ଼ ନିର୍ମାଣ, ଶାନ୍ତିଶ୍ରୁଙ୍ଖଳା ରକ୍ଷା, ପାନୀୟ ଜଳ ଯୋଗାଣ, ପରିଷ୍କାର ପରିଚ୍ଛନ୍ନତା, ଅସ୍ଥାୟୀ ଶିବିର ବ୍ୟବସ୍ଥା ନିମନ୍ତେ ସମ୍ପୃକ୍ତ ଅଧିକାରୀଙ୍କୁ ଦାୟିତ୍ଵ ଦିଆଯାଇଥିଲା । ପରେ କାରାଗାର ଓ ବୃଦ୍ଧାଶ୍ରମ, ବାଳାଶ୍ରମ ଅନ୍ତେବାସୀଙ୍କୁ ମିଷ୍ଠାନ୍ନ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରୀତି ସୁନା ସଭା ପରିଚାଳନା କରିବା ସହିତ ସ୍ଵାଗତ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.