
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପୋଲିସ ପୋଷାକ ପିନ୍ଧି ଲୋକଙ୍କୁ ଲୁଟୁଥିବା ଦୁର୍ବୃତ୍ତ ଗିରଫ । କେସିଙ୍ଗା ଅଞ୍ଚଳର ପ୍ରଦୀପ ଗହୀର ନାମକ ବ୍ୟକ୍ତି ନିଜର ଜଣେ ସଂପର୍କୀୟଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଦ୍ୱିପହର ପାଖାପାଖି ୨ଟା ୩୦ ସମୟରେ ପରିଶ୍ରା କରିବା ପାଇଁ ମହାରାଜ ସାଗର ଆଡ଼କୁ ଯାଇଥିଲେ । ସେତେବେଳେ ଜଣେ ଅଚିହ୍ନା ବ୍ୟକ୍ତି ପ୍ରଦୀପଙ୍କୁ ଅଟକାଇ ନିଜକୁ ପୋଲିସ କହି ତାଙ୍କ ଠାରୁ ଟଙ୍କା ମାଗିଥିଲେ । ପ୍ରଦୀପଙ୍କ ପାଖରେ ଟଙ୍କା ନ ଥିବାରୁ ଫୋନ ପେ ଜରିଆରେ ୭୦୦ ଟଙ୍କା ଏକ ନମ୍ବରକୁ ପଠାଇବା ସହ ମୋବାଇଲ ଛଡ଼ାଇ ନେଇ ଛୁରୀ ଦେଖାଇ ପଳା ବୋଲି କହିଥିଲେ । ଏହି ଘଟଣା ଘଟିବା ପରେ ସଙ୍ଗେ ସଙ୍ଗେ ଟିଟିଲାଗଡ଼ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ ପ୍ରଦୀପ । ଏହି ଖବର ପାଇ ଥାନାଧିକାରୀ କଲ୍ୟାଣୀ ବେହେରା, ଏସ୍ଆଇ ହୀରା ଖାଲକୋ, ଏଏସ୍ଆଇ କାର୍ତ୍ତିକ ପ୍ରଧାନ, କପୁର ଚନ୍ଦ ପଧାନ, ହୋମଗାର୍ଡ ବିଭୀଷଣ ସାହୁ ଓ ଅନ୍ୟ ପୋଲିସ ଯାଇ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସହରରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଖଜୁରପଡ଼ାର ମୁକୁନ୍ଦ ବାଗକୁ ଠାବ କରିବାରେ ସଫଳ ହୋଇଥିଲେ । ପଚରା ଉଚରା କରିବାରୁ ସବୁ ଦୋଷ ମାନିବା ସହ ଚୋରିରେ ବ୍ୟବହୃତ ହୋଇଥିବା ପୋଲିସ ଡ୍ରେସ, ଛୁରୀ, ଗୋଟିଏ ଓପୋ ମୋବାଇଲ, ସହ ନମ୍ବର ବିହୀନ ହୋଣ୍ଡା ଏକଟିଭା ସ୍କୁଟି ଜବତ ହୋଇଛି । ସୋମବାର ଅପରାହ୍ନରେ ଟିଟିଲାଗଡ଼ ଥାନାରେ ଏସ୍ଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ ଓ ଥାନାଧିକାରୀ କଲ୍ୟାଣୀ ବେହେରା ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏସ୍ଡିପିଓ ଶ୍ରୀ ପ୍ରଧାନ ମୁକୁନ୍ଦ ବାଗ ଜଣେ ପେଶାଦାର ଅପରାଧୀ, ତା ନାଁରେ ପୂର୍ବରୁ ୨୦ରୁ ଅଧିକ ମାମଲା ରହିଥିବା ପ୍ରକାଶ କରିବା ସହ ଆଜି ତାକୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଇଛନ୍ତି ।