ପୁରୀରେ ହେବ ପ୍ରଥମ କିନ୍ନର ଆଶ୍ରୟ ସ୍ଥଳୀ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀରେ ହେବ ରାଜ୍ୟର ପ୍ରଥମ କିନ୍ନର ଆଶ୍ରୟ ସ୍ଥଳୀ । ଏଥି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କଠାରୁ ଜିଲ୍ଲା ପ୍ରଶାସନକୁ ସବୁଜ ସଙ୍କେତ ମିଳିସାରିଛି । ସୋମବାର ପୁରୀ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର ତାଲିମ ଶିବିରରେ ଏହି ସୂଚନା ପ୍ରଦାନ କରାଯାଇଛି । ୧୮ ବର୍ଷ ଏବଂ ତା’ଠାରୁ ଅଧିକ ବୟସର କିନ୍ନରଙ୍କୁ ଚିହ୍ନଟ କରି ଭୋଟର ତାଲିକାରେ ସାମିଲ କରିବା ପାଇଁ ଏହି ତାଲିମ ଶିବିର ଆୟୋଜନ କରାଯାଇଥିଲା । ଜିଲ୍ଲାପାଳ ସମର୍ଥ ବର୍ମା ଏହି ଶିବିରର ଉଦ୍‌ଘାଟନ କରିଥିଲେ । ପୁରୀରେ ଥିବା ୧୮ ବର୍ଷରୁ ଅଧିକ ପ୍ରତ୍ୟେକ କିନ୍ନରଙ୍କର ପଞ୍ଜୀକରଣ କରାଇ ସେମାନଙ୍କର ମତଦାନର ଅଧିକାର ସୁରକ୍ଷିତ କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ‘ସାଥୀ’ ଅନୁଷ୍ଠାନ ଏହି ଶିବିର ଆୟୋଜନ କରିଥିଲା । ଉପଜିଲ୍ଲାପାଳ ଭବତାରଣ ସାହୁ କାର୍ଯ୍ୟକ୍ରମରେ ଯୋଗ ଦେଇ କିନ୍ନରଙ୍କ ବିକାଶ ନିମନ୍ତେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । କିନ୍ନରଙ୍କ ସୁବିଧା ପାଇଁ ଗ୍ରହଣ କରାଯାଇଥିବା ବ୍ୟବସ୍ଥାବଳୀ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରାଯିବ ବୋଲି ପ୍ରକଳ୍ପ ପରାମର୍ଶଦାତା ସିଦ୍ଧାର୍ଥ ରାୟ କହିଥିଲେ । ସାଥୀ ଅନୁଷ୍ଠାନର ସହ-ନିର୍ଦ୍ଦେଶକ ବିଶ୍ୱଭୂଷଣ ପଟ୍ଟନାୟକ, ଶର୍ମିଷ୍ଠା ଦାସ, ରାଜବୀର ଦାସ ଓ ଅସିତ କୁମାର ରାଉତ ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.

2 × 1 =