pakka

ନିଜସ୍ଵ ମତ : ଚରିତ୍ରହୀନା

bbehera
  • ବବିତା ମହାପାତ୍ର

ଅନେକ ଦିନ ଧରି ଚରିତ୍ରହୀନା ଶବ୍ଦଟି ମତେ ଅଦ୍ଭୁତ ମନେ ହେଉଥିଲା । ଚରିତ୍ର ଶବ୍ଦର ପ୍ରକୃତ ସଂଜ୍ଞା କଣ ମୁଁ ଆଦୌ ଜାଣି ନଥିଲି । ହୁଏତ’ ଏଯାଏ ବି ନିର୍ଦ୍ଧିଷ୍ଟ ଭାବେ ସ୍ପଷ୍ଟ ନୁହେଁ ।

କିଛିଦିନ ପୂର୍ବରୁ ମୋର ପରିଚିତ ଜଣଙ୍କର ଦେହାନ୍ତ ହେବାର ଖବର ମତେ ଆଉ ଜଣେ ବନ୍ଧୁ ଦେଲେ । ସ୍ୱାଭାବିକ ଭାବେ ଦୁଃଖ ପ୍ରକାଶ କରିବା ସହ ମୃତ୍ୟୁର କାରଣ ଜାଣିବାକୁ ଚାହିଁବାରେ ଖବରଦାତା ବନ୍ଧୁ ଜଣକ ବିହ୍ଵଳିତ ଏବଂ ଦୁଃଖ ଜର୍ଜରିତ ହୋଇ ଯାହା କହିଲେ, ମୁଁ ଆଶ୍ଚର୍ୟ୍ୟ ହେଲି । ପୁଣି ସେଇ ଚରିତ୍ରହୀନା ଶଦ୍ଦଟି ମତେ ବିଭତ୍ସ ଭାବେ ଟିକି ଟିକି କରି କାଟି ପକେଇଲା ।

ଖବରଦାତା ବନ୍ଧୁ ଜଣକ କାନ୍ଦ କାନ୍ଦ ହୋଇ କହିଲେ, ମୃତ ବନ୍ଧୁ ମଣିଷ ହିସାବରେ ଖୁବ୍ ଭଲ ଥିଲେ । ପରୋପକାରୀ, ବନ୍ଧୁ ବତ୍ସଳ ଏବଂ ଆହୁରି ଅନେକ କିଛି ଥିଲେ । ଅଚାନକ ହୃଦ୍‌ଘାତ ଯୋଗୁ ମୃତ୍ୟୁ ହେଲା । ସେହି ବନ୍ଧୁଙ୍କର ପତ୍ନୀ ଅନ୍ୟ ଜଣେ ପୁରୁଷଙ୍କ ସହ ସମ୍ପର୍କ ରଖିଥିବାର କଥା ସେ ଜାଣିବା ପରେ ତାଙ୍କର ଏ ଅବସ୍ଥା ବୋଲି କହିଲେ । ଚରିତ୍ରହୀନା ସ୍ତ୍ରୀକୁ କିଏ ବା ବରଦାସ୍ତ କରିଥାନ୍ତା ? ଅଥଚ ମୃତ ବନ୍ଧୁଙ୍କର ଅନ୍ୟ ସହରରେ ଆଉ ଜଣେ ପ୍ରେମିକା ଥିବା କଥା ଖବରଦାତା ବନ୍ଧୁ ହିଁ ଆଗରୁ ମତେ ଜଣାଇଥିଲେ ।

ଏଯାଏ ବି ଚରିତ୍ରଟି କେବଳ ମହିଳା ମାନେ ଧାରଣ କରନ୍ତି ଜାଣି ଆଶ୍ଚର୍ୟ୍ୟ ଲାଗିଲା । ଯଦି ସେ ଭଳି କୌଣସି ପରିସ୍ଥିତି ଦାମ୍ପତ୍ୟ ଜୀବନରେ ଆସୁଚି ତେବେ ସ୍ୱାମୀ /ପୁରୁଷ ଟି ନିଜକୁ ଅନୁଧ୍ୟାନ କରି ନେବା ଠିକ୍ ହୁଅନ୍ତା । ସ୍ତ୍ରୀଟିଏ ମଣିଷ ବୋଲି ଅନେକ ଏବେ ଯାଏ ବିଚାର କରନ୍ତି ନାହିଁ । ସେମାନେ ବି ମନ ମୁତାବକ ବ୍ୟବହାର, ସ୍ନେହ, ସଖ୍ୟ, ଶାରୀରିକ, ମାନସିକ ସୁଖ ଖୋଜନ୍ତି ଏତକ ସଭିଏଁ ବୁଝିବା ଉଚିତ୍ । କେବଳ ଟଙ୍କା, ସୁନା, ପୋଷାକ କିମ୍ବା ବାହାରକୁ ବୁଲେଇ ନେଲେ ସ୍ୱାମୀ ଗୋଟିଏ ସ୍ତ୍ରୀର ମନ ପସନ୍ଦର ପୁରୁଷ ହୋଇପାରେ, ତାହା ଆଦୌ ନୁହେଁ । ଏହା ଭିନ୍ନ ବି ମଣିଷ ଭାବେ ସ୍ତ୍ରୀ/ନାରୀର ଅନେକ କିଛି ଆବଶ୍ୟକ ଥାଏ ।

ନାରୀଟିଏ ଜଞ୍ଜାଳମୁକ୍ତ ହୋଇ କିଛି ସମୟ ପସନ୍ଦର ପୁରୁଷ ସହ ସମୟ ବିତେଇବାକୁ ଚାହିଁପାରେ । କୌଣସି ପୁରୁଷ, ଯାହାକୁ ସେ ନିଜର ବନ୍ଧୁଟିଏ ବୋଲି ଗ୍ରହଣ କରେ ତା କାନ୍ଧରେ ମୁଣ୍ଡ ରଖି ହଜି ଯିବାକୁ ଚାହିଁପାରେ । ସବୁ ସମ୍ପର୍କ ଯେ କେବଳ ଶାରୀରିକ ସୁଖ ଖୋଜେ, ତାହା ନିହାତି ଏକ ଭୁଲ ଧାରଣା । ତେଣୁ ଏଥିରେ ପ୍ରଶ୍ନ ଚିହ୍ନ କାହିଁକି ? ସ୍ୱାମୀ/ପୁରୁଷଟି ଯଦି ଏତକ ବୁଝି ନିଅନ୍ତା, ତେବେ ସମାଧାନ ହେଇ ପାରନ୍ତା । ଅଥଚ ସ୍ୱାମୀ/ପୁରୁଷ ସ୍ଥଳ ବିଶେଷରେ ଅନ୍ୟ ମହିଳା ମାନଙ୍କର ଦୁଃଖ ବୁଝି ପାରୁଥିବା ବେଳେ ତା’ ପାଇଁ ଯାବତୀୟ କାମ କରୁଥିବା ସ୍ତ୍ରୀକୁ ଅବେହେଳା କରିବା ଏବଂ ପରେ ଚରିତ୍ରହୀନା ବୋଲି ଆଖ୍ୟାୟିତ କରିବା ଗୋଟେ ପୁରୁଷପ୍ରବଣ ମାନସିକତାର ଉଦାହରଣ ଭଳି ବୁଝାପଡେ ।

ନାରୀ ମୁକ୍ତିର କଥା କହୁଥିବା ଅନେକ ବ୍ୟକ୍ତି ମଧ୍ୟ ଏ ସମାନ ବିଚାରଧାରା ଦ୍ଵାରା ଆକ୍ରାନ୍ତ । ସବୁଠାରୁ ବେଶୀ କଷ୍ଟ ହେଲା, ନିଜେ ମହିଳାମାନେ ମଧ୍ୟ ଏ ପୁରୁଷ ପ୍ରବଣ ମାନସିକତାରୁ ବାହାରେ ନୁହଁନ୍ତି ।

jay balangir
Leave A Reply

Your email address will not be published.

seven − 4 =