mahavir

ମହାନଦୀ ସାହିତ୍ୟ ସଂସଦ ପକ୍ଷରୁ ବୈଶାଖୀ–୨୦୨୬ ବିଷୁବ ଆସର

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁରର ଅଗ୍ରଣୀ ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ ପକ୍ଷରୁ “ବୈଶାଖୀ–୨୦୨୬” ଅବସରରେ ଏକ ସାରସ୍ୱତ କାର୍ଯ୍ୟକ୍ରମ ‘ବିଷୁବ ଆସର’ ଆୟୋଜିତ ହୋଇଯାଇଛି । ଓଡ଼ିଆ ନବବର୍ଷର ପବିତ୍ର ପର୍ବକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମ ସାହିତ୍ୟ ପ୍ରେମୀମାନଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ସୃଜନାତ୍ମକ ଚେତନା ସୃଷ୍ଟି କରିଥିଲା । “ବିଷୁବ ସ୍ପନ୍ଦନ ଓ ସାହିତ୍ୟ ସୃଜନ” ଶୀର୍ଷକରେ ଆୟୋଜିତ ବୌଦ୍ଧିକ କଥାଚକ୍ରରେ ବରିଷ୍ଠ ସାହିତ୍ୟିକ ସତ୍ୟମୋହନ ଦେଓ ଅତିଥି ଆଲୋଚକ ଭାବେ ଯୋଗଦେଇ ଓଡ଼ିଆ ନବବର୍ଷର ସାମ୍ପ୍ରଦାୟିକ ଓ ସାହିତ୍ୟିକ ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ସେ ସାହିତ୍ୟ ସୃଜନରେ ନୂତନତ୍ୱ, ଚିନ୍ତନର ବିସ୍ତାର ଓ ସମାଜ ସହ ସମ୍ପର୍କ ସୃଷ୍ଟିର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଆୟୋଜିତ ମନୋଜ୍ଞ କବିତା ସନ୍ଧ୍ୟାରେ ସଂସଦର ସଭ୍ୟ ଓ ପ୍ରତିଭାଶାଳୀ କବିମାନେ ନିଜନିଜ କବିତା ଆବୃତ୍ତି କରି ସମାବେଶକୁ ସାହିତ୍ୟମୟ ପରିବେଶରେ ଭରି ଦେଇଥିଲେ । ସଂସଦର ସଭାପତି ଡ. ସୌରଭ ରଞ୍ଜନ ଖମାରୀଙ୍କ ପରିଚାଳନାରେ ଅନୁଷ୍ଠିତ ସାରସ୍ୱତ ସମାରୋହରେ ଉପସଭାପତି ବେଣୁଧର ପ୍ରଧାନ ସ୍ୱାଗତ ଅଭିଭାଷଣ ରଖିଥିବାବେଳେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସାଧାରଣ ସମ୍ପାଦକ ଲକ୍ଷ୍ମୀ ନାରାୟଣ ସାହୁ । ପ୍ରାରମ୍ଭରେ ଭାରତୀୟ ସଙ୍ଗୀତର ବିଶିଷ୍ଟ ଗାୟିକା ଆଶା ଭୋସଲେଙ୍କ ବିୟୋଗରେ ନିରବ ପ୍ରାର୍ଥନା ପରେ ଶେଷ ପର୍ବରେ ସଂସଦର ସହ-ସମ୍ପାଦକ ବ୍ରତାନନ୍ଦ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କବି ପ୍ରଦ୍ୟୁମ୍ନ ସାହୁ, ଶ୍ୟାମା ଓମ୍ ପ୍ରସାଦ ମିଶ୍ର, ରଞ୍ଜିତା ପଣ୍ଡା, ରଞ୍ଜୁ ଅମାତ, ସସ୍ମିତା ମେହେର, ଜଳଦେବ ବେରିହା, ଶିବରାଜ ମିଶ୍ର, ଆରତୀ ଖମାରୀ, ଇତିଶ୍ରୀ ଡାଙ୍ଗ‌, ଏସ୍ ଏସ୍ ପ୍ରିୟଦର୍ଶିନୀ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ସମସ୍ତଙ୍କୁ ପଣା ପାଣି ଦ୍ୱାରା ଆପ୍ୟାୟିତ କରାଯାଇଥିଲା । ବରିଷ୍ଠ ସଦସ୍ୟ ପ୍ରଭୁଦତ୍ତ ରଥ ଓ ନିର୍ମଳ ମେଲ୍ଲି ଆସରକୁ ଆୟୋଜନ କରିବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.