jayashree

ଜାତି ପ୍ରମାଣପତ୍ର ପ୍ରଦାନରେ ଆର ଆଇଙ୍କ ଅସହଯୋଗ

  • ଅସନ୍ତୋଷ ପ୍ରକାଶ କଲେ ବିଧାୟକ ଦୁର୍ଗା ତନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ପାଇବା ସହିତ ଉଚ୍ଚଶିକ୍ଷା ପ୍ରାପ୍ତି ଇତ୍ୟାଦିରେ ବିଶେଷ ସୁବିଧା ପାଇବା ପାଇଁ ଅନେକ ଛାତ୍ରଛାତ୍ରୀମାନେ ସେମାନଙ୍କର ଆବଶ୍ୟକତା ଅନୁସାରେ ତହସିଲ କାର୍ଯ୍ୟାଳୟରୁ ଜାତି ପ୍ରମାଣପତ୍ର ପ୍ରାପ୍ତ କରିଥାନ୍ତି । ଏହି କ୍ରମରେ ଇସ୍ପାତ ସହରାଞ୍ଚଳର ଲୁଆକେରା ଏବଂ ତୁମକେଲା ଗ୍ରାମର କିଛି ଛାତ୍ରଛାତ୍ରୀମାନେ ରାଉରକେଲା ତହସିଲଦାରଙ୍କ ନିକଟରେ ଆବେଦନ ଦାଖଲ କରିଥିଲେ । ନିୟମାନୁସାରେ ଏହି ଆବେଦନକୁ ତହସିଲ ପକ୍ଷରୁ ରିପୋର୍ଟ ପ୍ରଦାନ ପାଇଁ ରାଜସ୍ୱ ନିରୀକ୍ଷକଙ୍କ ନିକଟକୁ ପଠାଇ ଦିଆଯାଇଥିଲା । ତେବେ ସମ୍ପୃକ୍ତ ଆର୍‌ଆଇ ଜଣଙ୍କ ବିଭିନ୍ନ ଆଳ ଦେଖାଇ ଆବେଦନକାରୀଙ୍କୁ ଜାତି ପ୍ରମାଣପତ୍ର ପାଇଁ ଆବଶ୍ୟକ ରିପୋର୍ଟ ପ୍ରଦାନ ନକରିବାରୁ ଆବେଦନକାରୀ ଛାତ୍ରଛାତ୍ରୀମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ଜାତି ପ୍ରମାଣପତ୍ର ନପାଇ ଉଚ୍ଚଶିକ୍ଷା ପାଇଁ ନିଜ ନିଜର ଆବେଦନ ଦାଖଲ କରି ନପାରି ହଇରାଣ ହରକତ ହେଉଥିବା ଖବର ପାଇ ଆଜି ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀ ରାଉରକେଲା ତହସିଲଦାରଙ୍କ କାର୍ଯ୍ୟାଳୟକୁ ଯାଇ ଲୋକଙ୍କ ସମସ୍ୟା ସମ୍ବନ୍ଧରେ ତହସିଲଦାରଙ୍କୁ ଅବଗତ କରାଇବା ସହିତ ଫୋନ ଯୋଗେ ସମ୍ପୃକ୍ତ ରାଜସ୍ୱ ନିରୀକ୍ଷକଙ୍କୁ ତାଗିଦ କରିଥିଲେ । ସମ୍ପୃକ୍ତ ଆର୍‌ଆଇଙ୍କ କାର୍ଯ୍ୟପଦ୍ଧତି ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ଯେପରି ନହୁଏ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ତହସିଲଦାରଙ୍କୁ ବିଧାୟକ ଦୁର୍ଗା ଚରଣ ତନ୍ତୀ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.