pakka

ବିଜୁବାବୁଙ୍କ ଜୟନ୍ତୀ ଅବସରରେ ବରଗଡ, ନୂଆପଡା ଓ କଳାହାଣ୍ଡି ଜିଲ୍ଲାରେ ୩୦୮୧ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଆରମ୍ଭ

bbehera
  • ଆମପାଣିରେ ବିଜୁ ଏକ୍ସପ୍ରେସ ଓ୍ଵେ ଲୋକାର୍ପିତ
  • ବିଜୁ ଏକ୍ସପ୍ରେସ ଓ୍ଵେ କେବଳ ରାସ୍ତା ନୁହେଁ, ଏ ଅଞ୍ଚଳ ପାଇଁ ଜୀବନ ରେଖା
  • ବିଜୁ ଏକ୍ସପ୍ରେସ ଓ୍ଵେ ବିଜୁ ଅର୍ଥନୈତିକ କରିଡର ରୂପାନ୍ତର ଲକ୍ଷ୍ୟ ହାସଲରେ ମାଇଲଷ୍ଟୋନ ହେବ – ମୁଖ୍ୟମନ୍ତ୍ରୀ
  • ମିଶନ ଶକ୍ତି ମା’ମାନଙ୍କୁ ୪୨ କୋଟି ଟଙ୍କାର ସହାୟତା 
     
    ଭୁବନେଶ୍ଵର : ଆଜି ମହାନ ଜନନାୟକ ବିଜୁ ପଟ୍ଟନାୟକ ଜୟନ୍ତୀ । ସାରା ରାଜ୍ୟ ଓଡିଶାର ଏହି ମହାନ ସନ୍ତାନଙ୍କ ଜୟନ୍ତୀକୁ ଶ୍ରଦ୍ଧାର ସହ ପାଳନ କରୁଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ, କଳାହାଣ୍ଡି ଓ ନୂଆପଡା ଜିଲ୍ଲା ଗସ୍ତରେ ଯାଇ ଆମପାଣିଠାରେ ବିଜୁ ଏକ୍ସପ୍ରେସ ଓ୍ଵେ’କୁ ଏବଂ ସୋହେଲାରୁ ଆମପାଣି ପର୍ଯ୍ୟନ୍ତ ବିଜୁ ଅର୍ଥନୈତିକ କରିଡର ଲୋକାର୍ପଣ କରିଛନ୍ତି । ଏହା ସହିତ ଏହି ତିନି ଗୋଟି ଜିଲ୍ଲାରେ ୩୦୮୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ମହିଳା ସଶକ୍ତିକରଣର କର୍ଣ୍ଣଧାର ବିଜୁବାବୁଙ୍କ ଜୟନ୍ତୀ ଅବସରରେ ବରଗଡ, ନୂଆପଡା ଓ କଳାହାଣ୍ଡି ଜିଲ୍ଲାର ମିଶନ ଶକ୍ତି ମା’ମାନଙ୍କୁ ୪୨ କୋଟି ଟଙ୍କାର ଋଣ ସହାୟତା ତଥା ସୁଧ ରିହାତି ମଧ୍ୟ ପ୍ରଦାନ କରିଛନ୍ତି । 

ଏହି ଅବସରରେ ଆୟୋଜିତ ସମାବେଶମାନଙ୍କରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜୁ ଏକ୍ସପ୍ରେସ ଓ୍ଵେ କେବଳ ଏକ ରାସ୍ତା ନୁହେଁ ଏହା ହେଉଛି ଏ ଅଞ୍ଚଳର ଜୀବନ ରେଖା । ଏହି ଏକ୍ସପ୍ରେସ ଓ୍ଵେ କେବଳ ଏ ଅଞ୍ଚଳ ନୁହେଁ ସାରା ଓଡ଼ିଶା ପାଇଁ ବିକାଶର ନୂଆ ଇତିହାସ ଲେଖିବ । ବିଜୁ ଏକ୍ସପ୍ରେସ ଓ୍ଵେ ଏ ଅଞ୍ଚଳ ପାଇଁ ଅନେକ ସୁଯୋଗ ଆଣିଛି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଚାଷୀ ପାଇଁ ବଜାର ସୁବିଧା ମିଳିବ । ଛାତ୍ରଛାତ୍ରୀମାନଙ୍କ ପାଠପଢା ପାଇଁ ସୁବିଧା, ବ୍ୟବସାୟୀମାନଙ୍କୁ ସୁବିଧା, ସ୍ୱାସ୍ଥ୍ୟ ସେବାରେ ଆହୁରି ଉନ୍ନତି ଆସିବ, ସାଧାରଣ ଲୋକ ମଧ୍ୟ ସୁବିଧାରେ ଯାତାୟତ ରୂପାନ୍ତର କାମକୁ ମଜଭୁତ କରିବ ।

ସୋହେଲାରୁ ଆମପାଣି ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସର ଦୁଇପାଖେ ବିଜୁ ଅର୍ଥନୈତିକ କରିଡର ହେବା ଦ୍ଵାରା ପୁଞ୍ଜି ବିନିଯୋଗ ବଢିବ ଏବଂ ନୂଆ ନୂଆ ଶିଳ୍ପ ଗଢି ଉଠିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।

ସେ କଥା ନୁହେଁ କାମରେ ବିଶ୍ୱାସ କରନ୍ତି ବୋଲି ତାଙ୍କ ଉକ୍ତିକୁ ଦୋହରାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ଅର୍ଥନୈତିକ କରିଡରକୁ ପୁଞ୍ଜିପତିମାନଙ୍କୁ ଆକର୍ଷଣ କରିବା ପାଇଁ ପ୍ରୋତ୍ସାହନ ଭାବରେ ଅତିରିକ୍ତ ୩୦ ପ୍ରତିଶତ ରିହାତି ନିବେଶକମାନଙ୍କୁ ମିଳିବ ।

ଶିଳ୍ପ ବିକାଶ କାର୍ଯ୍ୟ ତ୍ଵରାନିତ କରିବା ପାଇଁ ଆଗୁଆ ଜମି ଅଧିଗ୍ରହଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ବିଜୁ ଅର୍ଥନୈତିକ କରିଡର ଦ୍ଵାରା ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାବାସୀ ବିଶେଷ ଭାବରେ ଉପକୃତ ହେବେ । ପଶ୍ଚିମ ଓ ଦକ୍ଷିଣ ଓଡିଶା ମଧ୍ୟରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ଘଟିବ । ପର୍ଯ୍ୟଟନର ମଧ୍ୟ ବିକାଶ ଘଟିବ ।

ଘଟିପଡାରୁ ଆମପାଣି ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ ଓ୍ଵେ’ର ଚାରିଥାକିଆ ରାସ୍ତା କାମ ରେକର୍ଡ ଏକ ବର୍ଷ ମଧ୍ୟରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଓଡିଶାରେ ଭିତ୍ତିଭୂମି ବିକାଶ ପାଇଁ ଅଗ୍ରଣୀ ଭୂମିକା ନେଇଥିବା ମହାନ ଜନନାୟକ ବିଜୁ ବାବୁଙ୍କୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ବିଜୁବାବୁଙ୍କ ଆଦର୍ଶରେ ଏକ ସଶକ୍ତ ଓଡିଶା ଗଠନ ପାଇଁ ସେ କାମ କରି ଚାଲିଛନ୍ତି ।

ସମ୍ବଲପୁର- ରାଉଲକେଲା ରାସ୍ତା ବିଜୁବାବୁଙ୍କ ପରିକଳ୍ପନା ଥିଲା । L&T ରାସ୍ତା ଭାବେ ପରିଚିତ ଏହି ରାସ୍ତାର ଆରମ୍ଭ ସ୍ଵର୍ଗତ ବିଜୁବାବୁ ୧୯୯୩ ମସିହାରେ ଆରମ୍ଭ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଓଡିଶା ମାଟି ଓ ଏ ମାଟିର ମଣିଷର ସ୍ଵପ୍ନ ସହ ବିଜୁବାବୁ ସବୁବେଳେ ଯୋଡିହୋଇ ରହିଥିଲେ ବୋଲି ମତ ଦେଇ ତାଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । 

ଏହି ସବୁ କାର୍ଯ୍ୟକ୍ରମରେ ମନ୍ତ୍ରୀ ମଣ୍ଡଳର ସଦସ୍ୟ ତଥା ବିଧାୟକମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

4 × one =