pakka

ବଲାଙ୍ଗିରଠାରେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ

bbehera
  • ଜିଲ୍ଲାର ପ୍ରଗତି ନିମନ୍ତେ ସମନ୍ଵୟ ରଖି ଯୋଜନାଗୁଡିକର ସଫଳ ରୂପାୟନ ଉପରେ ଗୁରୁତ୍ଵାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହଠାରେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ ହୋଇଯାଇଛି । ପ୍ରବାଦ ପୁରୁଷ ଓଡ଼ିଶାର ବରପୁତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ଅତିଥି ଭାବେ ଯୋଗଦେଇ ସରକାରଙ୍କ ବିଭିନ୍ନ ଉନ୍ନୟନ ଓ ଲୋକାଭିମୁଖୀ ଯୋଜନାଗୁଡିକ ସମ୍ପର୍କରେ ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରତିନିଧି ମାନେ ନିଜେ ସଚେତନ ହେବା ସହ ଜନସାଧାରଣଙ୍କୁ ମଧ୍ୟ ସଚେତନ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାର ପ୍ରଗତି ନିମନ୍ତେ ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରତିନିଧି ଓ ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ଵୟ ରଖି ଯୋଜନାଗୁଡିକର ସଫଳ ରୂପାୟନ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ । ସଭାରେ ଜିଲ୍ଲାପାଳ ଚଞ୍ଚଳ ରାଣା ଅତିଥି ଭାବେ ଯୋଗଦେଇ ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରତିନିଧିମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରିବା ଏହି ଦିବସ ପାଳନର ଉଦ୍ଦେଶ୍ୟ ତେଣୁ ଯୋଜନା ସମ୍ପର୍କରେ ଅବଗତ ହେବା ସହ ଯୋଜନାର ସୁଯୋଗ ନେଇ ଅଞ୍ଚଳର ବିକାଶ ନିମନ୍ତେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ୧୭ଟି ଲକ୍ଷ୍ୟ ନେଇ ଏହାର ସ୍ଥାନୀୟକରଣ ନିମନ୍ତେ ୯ ଗୋଟି ବିଷୟ ଭିତ୍ତିକ କ୍ଷେତ୍ର ସମ୍ପର୍କରେ ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରତିନିଧି ମାନେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସିଂ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳନର ତତ୍ପର୍ଯ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେବା ସହ ଜିଲ୍ଲାରେ ବିଭିନ୍ନ ଯୋଜନା ଜରିଆରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକର ରୂପରେଖ ଓ କାର୍ଯ୍ୟକାରିତା ସମ୍ପର୍କରେ ଆଲୋକପାତ କରିଥିଲେ । ବିଭିନ୍ନ ଯୋଜନା ମାଧ୍ୟମରେ ହୋଇଥିବା ସଫଳତା ସମ୍ପର୍କରେ ସେ ସୂଚନା ଦେଇଥିଲେ । ସଭାରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରମୋଦ କୁମାର ମିଶ୍ର ଦୀର୍ଘ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଓରମାସର ଯୁଗ୍ମ ସିଇଓ କମଳେନ୍ଦୁ ପାଲ ଜାତୀୟ ଗ୍ରାମୀଣ ଜୀବିକା ମିଶନ, ମିଶନ ଶକ୍ତି, ଓରମାସ ଜରିଆରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ଓ ଏହାର କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ଦେଇଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର ୫’ଟି ମାଧ୍ୟମରେ ବିଦ୍ୟାଳୟ ରୂପାନ୍ତରିକରଣ ସମ୍ପର୍କରେ ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ । ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲର ସମସ୍ତ ୯ ଗୋଟି ବିଷୟ ଭିତ୍ତିକ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ବଙ୍ଗୋମୁଣ୍ଡା ବ୍ଲକର ଭାଲୁମୁଣ୍ଡା ଗ୍ରାମ ପଞ୍ଚାୟତକୁ ୩ ଲକ୍ଷ ଟଙ୍କା, ଖପ୍ରାଖୋଲ ବ୍ଲକର ଲାଠୋର ଗ୍ରାମ ପଞ୍ଚାୟତକୁ ୨ ଲକ୍ଷ ଟଙ୍କା ଓ ଆଗଲପୁର ବ୍ଲକର ନଅଗାଁ ଗ୍ରାମ ପଞ୍ଚାୟତକୁ ୧ ଲକ୍ଷ ଟଙ୍କା ଡମି ଚେକ ଆକାରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଜିଲ୍ଲାପାଳ ସମ୍ପୃକ୍ତ ସରପଞ୍ଚଙ୍କୁ ପୁରସ୍କାର ସ୍ୱରୂପ ପ୍ରଦାନ କରିଥିଲେ । ସେହିପରି ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲର ୯ ଗୋଟି ବିଷୟ ଭିତ୍ତିକ କ୍ଷେତ୍ରର ପ୍ରତ୍ୟେକ କ୍ଷେତ୍ର ନିମନ୍ତେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଜିଲ୍ଲାର ୯ ଗୋଟି ଗ୍ରାମ ପଞ୍ଚାୟତକୁ ୧ ଲକ୍ଷ ଟଙ୍କା ଲେଖାଏଁର ପୁରସ୍କାର ଡମି ଚେକ ମାଧ୍ୟମରେ ପ୍ରଦାନ କରାଯାଇଥିଲା । ଦାରିଦ୍ର୍ୟ ମୁକ୍ତ ଓ ଉନ୍ନତ ଜୀବିକା ଯୁକ୍ତ ଗ୍ରାମ ପଞ୍ଚାୟତ ଭାବେ ବଙ୍ଗୋମୁଣ୍ଡା ବ୍ଲକର ଭାଲୁମୁଣ୍ଡା ଗ୍ରାମ ପଞ୍ଚାୟତ, ସୁସ୍ଥ ଗ୍ରାମ ପଞ୍ଚାୟତ ଭାବେ ଖପ୍ରାଖୋଲ ବ୍ଲକର ପଡିଆବାହାଲ ଗ୍ରାମ ପଞ୍ଚାୟତ, ଶିଶୁ ଅନୁକୂଳ ଗ୍ରାମ ପଞ୍ଚାୟତ ଭାବେ ଟିଟିଲାଗଡ ବ୍ଲକର ସିହିନୀ ଗ୍ରାମ ପଞ୍ଚାୟତ, ପର୍ଯ୍ୟାପ୍ତ ଜଳ ଉପଲବ୍ଧ ଗ୍ରାମ ପଞ୍ଚାୟତ ଭାବେ ଖପ୍ରାଖୋଲ ବ୍ଲକର ପଡିଆବାହାଲ ଗ୍ରାମ ପଞ୍ଚାୟତ, ସୁସ୍ଥ ଓ ସବୁଜ ଗ୍ରାମ ପଞ୍ଚାୟତ ଭାବେ ଖପ୍ରାଖୋଲ ବ୍ଲକର ଲାଠୋର ଗ୍ରାମ ପଞ୍ଚାୟତ, ଭିତ୍ତିଭୂମି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ଗ୍ରାମ ପଞ୍ଚାୟତ ଭାବେ ଟିଟିଲାଗଡ ବ୍ଲକର ସିହିନୀ ଗ୍ରାମ ପଞ୍ଚାୟତ, ସାମାଜିକ ଭାବେ ସୁରକ୍ଷିତ ଗ୍ରାମ ପଞ୍ଚାୟତ ଭାବେ ଆଗଲପୁର ବ୍ଲକର ନଅଗାଁ ଗ୍ରାମ ପଞ୍ଚାୟତ, ସୁଶାସନ ଥିବା ଗ୍ରାମ ପଞ୍ଚାୟତ ଭାବେ ପୁଇଁତଲା ବ୍ଲକର ଭାଲେର ଗ୍ରାମ ପଞ୍ଚାୟତ ଓ ମହିଳା ଅନୁକୂଳ ଗ୍ରାମ ପଞ୍ଚାୟତ ଭାବେ ଖପ୍ରାଖୋଲ ବ୍ଲକର ମହରାପଦର ଗ୍ରାମ ପଞ୍ଚାୟତକୁ ପୁରସ୍କୃତ କରାଯାଇଥିଲା । ସଭା ଶେଷରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ଜିଲ୍ଲା ପରିଷଦର ସଭ୍ୟ ସଭ୍ୟା, ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ନିର୍ବାହୀ ଅଧିକାରୀ, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

5 + four =

error: Content is protected !!