ମା’ ଭଗବତୀ, ମା’ ମଙ୍ଗଳା ଓ ମା’ ଉଗ୍ରତାରାଙ୍କ ପୀଠର ମାଷ୍ଟର ପ୍ଲାନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ

  • 5T ଉପକ୍ରମରେ କାର୍ଯ୍ୟକାରୀ ହେବ ଯୋଜନା

ଭୁବନେଶ୍ୱର : ଓଡିଶା ଯୁଗେ ଯୁଗେ ଏକ ପ୍ରମୁଖ ଶକ୍ତିପୀଠ ଭାବରେ ପ୍ରସିଦ୍ଧ ଲାଭ କରିଛି । ଓଡିଶାର ବିଭିନ୍ନ ଅଞ୍ଚଳରେ ମା’ ବିଭିନ୍ନ ରୂପରେ ପୂଜା ପାଇ ଆସୁଛନ୍ତି । ଶକ୍ତି ପୂଜାରେ ଚୈତ୍ର ମାସ ବିଶେଷ ଗୁରୁତ୍ୱ ବହନ କରିଥାଏ । ମା’ଙ୍କର ଚୈତ୍ର ମଙ୍ଗଳବାରକୁ ସାରା ଓଡିଶାର ମହିଳାମାନେ ଅତ୍ୟନ୍ତ ଭକ୍ତି ଓ ନିଷ୍ଠାର ସହ ପାଳନ କରିଥାନ୍ତି । ମା’ଙ୍କର ଏହି ପବିତ୍ର ମାସ ଅବସରରେ ଗତକାଲି ରାଜ୍ୟର ତିନୋଟି ପ୍ରମୁଖ ଶକ୍ତିପୀଠ କାକଟପୁରର ମା’ ମଙ୍ଗଳା, ଭୂଷୁଣ୍ଡପୁରର ମା’ ଉଗ୍ରତାରା ଓ ବାଣପୁରର ମା’ ଭବବତୀ ପୀଠର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ପ୍ରସ୍ତୁତ ମାଷ୍ଟର ପ୍ଲାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । 5T ଉପକ୍ରମରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ପୂର୍ତ୍ତ ବିଭାଗର ପର୍ଯ୍ୟଟନ ସ୍ଥଳ ଓ ଐତିହ କୀର୍ତ୍ତିରାଜୀର ସମନ୍ୱିତ ବିକାଶ ଯୋଜନାରେ ଏହାକୁ ସାମିଲ କରାଯାଇଛି । ଓଡିଶା ସେତୁ ନିର୍ମାଣ ନିଗମ ଉପରେ ବିକାଶ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।

ପୁରୀ ଜିଲ୍ଲାର କାକଟପୁରରେ ବିରାଜିତ ମା’ ମଙ୍ଗଳା ଲକ୍ଷ ଲକ୍ଷ ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ । ପଞ୍ଚଦଶ ଶତାବ୍ଦୀରେ ନିର୍ମିତ ମା’ ମଙ୍ଗଳାଙ୍କ ପୀଠର ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସହ ଘନିଷ୍ଠ ସଂପର୍କ ରହିଛି । ନବକଳେବର ସମୟରେ ଦଇତାପତି ସେବକମାନେ ମା’ଙ୍କ ଆଜ୍ଞାକ୍ରମେ ଏଠାରୁ ହିଁ ଦାରୁ ସନ୍ଧାନରେ ଯାଇଥାନ୍ତି । ଚୈତ୍ର ମାସରେ ଝାମୁ ଯାତ୍ରା ମା’ଙ୍କ ପ୍ରସିଦ୍ଧ ପର୍ବ । 5T ଉପକ୍ରମରେ ଏହି ପ୍ରାଚୀନ ଶକ୍ତିପୀଠର ବିକାଶ ନିମନ୍ତେ ପ୍ରସ୍ତୁତ ମାଷ୍ଟର ପ୍ଲାନରେ ମନ୍ଦିରରେ khondalite ପଥର ବିଛାଯିବା ସହିତ ମନ୍ଦିରର ରୋଷଘର ଓ ଜଳ ନିଷ୍କାସନ ବ୍ୟବସ୍ଥାର ସଂସ୍କାର କରାଯିବ । ଏହା ସହିତ ସେବାୟତ ଭବନ, ଭୋଗ ଦୋକାନ, ପ୍ରାଚୀ ନଦୀ କୂଳରେ ମୁଣ୍ଡନ kiosk, ଚନ୍ଦନଘାଟର ବିକାଶ, ଗୋଷ୍ଠୀ ଶୌଚାଳୟ ଆଦିର ବିକାଶ କରାଯିବ । ପୀଠକୁ ଅଧିକ ଆକର୍ଷଣୀୟ କରାଯିବା ପାଇଁ କୋଣାର୍କ ପାର୍ଶ୍ୱ ରାସ୍ତାରେ ଐତିହ ଦ୍ୱାର ନିର୍ମାଣ କରାଯିବ । ଯାତ୍ରୀମାନଙ୍କ ସୁବିଧାପାଇଁ ବିଭିନ୍ନ ପଦକ୍ଷେପ ନେବା ସହିତ ଆଲୋକିକରଣ, Landscaping ଓ ବୃକ୍ଷ ରୋପଣ କରାଯିବା ସହିତ ପାର୍କିଙ୍ଗ ସ୍ଥଳର ମଧ୍ୟ ବିକାଶ କରାଯିବ । ଓଡିଶା ସେତୁ ନିର୍ମାଣ ନିଗମ ୧୨ ମାସ ମଧ୍ୟରେ ଏହାକୁ ସଂପୂର୍ଣ୍ଣ କରିବ ।

ଖୋର୍ଦ୍ଧା ଜିଲ୍ଲା ବାଣପୁରର ମା’ ଭବବତୀଙ୍କ ପୀଠକୁ ପ୍ରତିଦିନ ହଜାର ହଜାର ଭକ୍ତ ମା’ଙ୍କ ଦର୍ଶନ ଓ ପୂଜା ପାଇଁ ଆସିଥାନ୍ତି । ମା’ଙ୍କ ପୀଠରେ ଦଶହରା ପର୍ବ ବିପୁଳ ଉତ୍ସାହ ମଧ୍ୟରେ ପାଳନ କରାଯାଇଥାଏ । ନବମ ଶତାବ୍ଦୀରେ ନିର୍ମିତ ମା’ଙ୍କ ମନ୍ଦିରର ବିକାଶ ପାଇଁ 5T ଉପକ୍ରମରେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି । ସିଂହଦ୍ୱାରଠାରୁ ଆରମ୍ଭ କରି ପରିକ୍ରମା, ଘାଟ, ଯାତ୍ରା ପଡିଆ, ଯାତ୍ରୀ ସୁବିଧା ତଥା ଜଗନ୍ନାଥ ମନ୍ଦିରର ବିକାଶ ପାଇଁ ଏଥିରେ ସ୍ୱତନ୍ତ୍ର ଫୋକସ ରଖାଯାଇଛି । ଏହା ସହିତ ବହୁମୂଖୀ ହଲ୍‌, ରାସ୍ତା ଓ ନଦୀଘାଟ ଆଦିର ବିକାଶ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ରାଜ୍ୟ ପ୍ରତ୍ନତତ୍ତ୍ୱ ନିର୍ଦ୍ଦେଶାଳୟ ତତ୍ତ୍ୱାବଧାନରେ ଓଡିଶା ସେତୁ ନିର୍ମାଣ ନିଗମ ୨୪ ମାସ ମଧ୍ୟରେ ଏହି କାର୍ଯ୍ୟ ସଂପାଦନ କରିବ ।

ଖୋର୍ଦ୍ଧା ଜିଲ୍ଲାର ଅନ୍ୟତମ ଶକ୍ତିପୀଠ ହେଉଛି ଭୁଷୁଣ୍ଡପୁରର ମା’ ଉଗ୍ରତାରାଙ୍କ ପୀଠ । ୧୩୫୨ ଖ୍ରୀଷ୍ଟାବ୍ଦରେ ନିର୍ମିତ ମା’ ଉଗ୍ରତାରାଙ୍କ ପୀଠ ଭକ୍ତମାନଙ୍କ ବିଶ୍ୱାସର କେନ୍ଦ୍ର ହୋଇ ରହିଆସିଛି । ଏହି ପୀଠର ବିକାଶ ପାଇଁ ପ୍ରସ୍ତୁତ ଯୋଜନାରେ ମନ୍ଦିରର ବିକାଶ ସହ arrival plaza, ଯାତ୍ରୀଙ୍କ ସୁବିଧା, parking landscaping, picnic spot, ଯାତ୍ରା ପଡିଆ ସହିତ ପୋଖରୀର ମଧ୍ୟ ପୁନରୁଦ୍ଧାର କରାଯିବ । ଓଡିଶା ସେତୁ ନିର୍ମାଣ ନିଗମ ଦ୍ଵାରା ୧୮ ମାସ ମଧ୍ୟରେ କାମ ଶେଷ କରାଯିବ ।

ଏହି ତିନି ଗୋଟି ପୀଠର ବିକାଶ ଯୋଜନାକୁ ଅନୁମୋଦନ କରିବା ସହ ନିର୍ଦ୍ଧାରିତ ସମୟରେ କାମ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେବାୟତମାନଙ୍କ ସହ ମଧ୍ୟ ଆଲୋଚନା କରି ଯୋଜନା ସଂପର୍କରେ ସେମାନଙ୍କ ମତାମତ ନେଇଥିଲେ ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ. ପାଣ୍ଡିଆନ ବିଭିନ୍ନ ସମୟରେ ଏହି ପୀଠମାନଙ୍କୁ ଯାଇ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ବିକାଶ ସଂପର୍କରେ ଆଲୋଚନା କରିଥିଲେ ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଉପସ୍ଥିତ ଥିଲେ ଓ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଭି.ଭି. ଯାଦବ ଉପସ୍ଥାପନା ରଖିଥିଲେ । ତିନି ପୀଠର ସେବାୟତମାନେ ସଂପୃକ୍ତ ଜିଲ୍ଲାପାଳମାନଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ବୈଠକରେ ଯୋଗ ଦେଇଥିଲେ । ସେବାୟତମାନେ ସେମାନଙ୍କ ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପର ଉଚ୍ଚ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.

three + ten =