pakka

ଓଡ଼ିଶା ଯୋଡ-ବଲାଙ୍ଗିର ଛାଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାରର ସମ୍ମିଳନୀ କକ୍ଷରେ ଅଭିଭାବକ ମଂଚର କାର୍ଯ୍ୟକାରୀ କମିଟି ବୈଠକ ସଭାପତି ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଉପସଭାପତି ପ୍ରସନ୍ନ କୁମାର ମିଶ୍ର ସୂଚନା ଦେଇଥିଲେ ଯେ ଗତ ୧୫.୦୨.୨୩ରେ ଅନୁଷ୍ଠିତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ସମ୍ମିଳନୀରେ ଓଡିଶାର ସାମୁହିକ ବିକାଶ ପାଇଁ ‘ଓଡିଶା ଯୋଡ’କୁ ପ୍ରାଧାନ୍ୟ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିପାଇଁ ଆସନ୍ତା କିଛି ବର୍ଷ ମଧ୍ୟରେ ସଡକ, ଜଳ, ରେଳ ଓ ବିମାନ ପରିବହନ ବ୍ୟବସ୍ଥାକୁ ସୁଦୃଢ କରାଯିବ । ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ଟିଟିଲାଗଡ ନିର୍ବାଚନ ମଣ୍ଡଳିର ବିକାଶ ନେଇ ସମୀକ୍ଷା ବୈଠକ କରିଛନ୍ତି । କିନ୍ତୁ ଏସବୁ ନିର୍ବାଚନୀ ଅଭିଯାନ ମଧ୍ୟରେ କାଦୁଅ ଫିଙ୍ଗାରେ ବଲାଙ୍ଗିରର ବିକାଶ ବାଟବଣା ହୋଇ ଗଲାଣି । ଓଡିଶା ଯୋଡରେ ବଲାଙ୍ଗିର ଜିଲ୍ଲାକୁ ଯୋଡାଯିବ କି ଛଡାଯିବ ତାହା ସାଧାରଣ ଜନତା ବୁଝି ପାରୁନାହାନ୍ତି । ୧୯୬୭ ମସିହାରେ ଉଦ୍‌ଘାଟିତ ତୁଷୁରା ଏୟାରଷ୍ଟ୍ରିପ୍‌ରୁ ନିୟମିତ ବିମାନ ଉଡାନ ପାଇଁ ଅପ୍ରେଲ ୨୦୧୬ରେ ଏଆର ଓଡିଶା ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ଆନ୍ତରିକତା ଅଭାବରୁ ତାହା କାର୍ଯ୍ୟକାରୀ ହୋଇ ପାରୁନାହିଁ । ସେହିପରି ତେଲନଦୀ ଉପରେ କଳାହାଣ୍ଡିରେ ବ୍ୟାରେଜ ନିର୍ମାଣ ହେଲେ ତହିଁରେ କୌଣସି ବ୍ୟକ୍ତି ବିସ୍ତାପିତ ହେବେ ନାହିଁ ଏବଂ କଳାହାଣ୍ଡି, ବଲାଙ୍ଗିର, ସୋନପୁର ଓ ବୌଦ୍ଧ ଜିଲ୍ଲାର ଅନେକ ଅଂଚଳରେ ଜଳସେଚନର ବ୍ୟବସ୍ଥା ହେବା ସହ ତେଲନଦୀ ଦେଇ କଳାହାଣ୍ଡି-ବଲାଙ୍ଗିର-ସୋନପୁର-କଟକକୁ ସବୁ ଦିନିଆ ନୌପରିବହନର ସୁବିଧା ଉପଲବ୍ଧ ହୋଇ ପାରିବ । ପୁନଶ୍ଚ ନିର୍ମାଣାଧିନ ବଲାଙ୍ଗିର-ଖୋର୍ଦ୍ଧା ରୋଡ ରେଳପଥରେ ଆସନ୍ତା ଅପ୍ରେଲରୁ ବଲାଙ୍ଗିରରୁ ସୋନପୁର ରେଳ ଚଳାଚଳ ପାଇଁ ସମସ୍ତ ସୁଯୋଗ ଥିବା ସତ୍ୱେ ତାହା କାର୍ଯ୍ୟକାରୀ ହେବାରେ ସନ୍ଦେହ ପ୍ରକାଶ ପାଇଛି । କଟାବାଞ୍ଜି-ନବରଙ୍ଗପୁର ତଥା ବଲାଙ୍ଗିର-ନୂଆପଡା ନୂତନ ରେଳପଥ ପାଇଁ ଅଂଚଳର ଦୀର୍ଘ ଦିନର ଦାବୀକୁ କାର୍ଯ୍ୟକାରୀ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଗ୍ରହ ଅଭାବ ପରିଲକ୍ଷିତ ହେଉଛି । ଓଡିଶା ସରକାର ‘ଓଡିଶା ଯୋଡ’ କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାର ବିକାଶକୁ ତ୍ୱରାନ୍ୱିତ କରିବାର ଯୋଜନା କଲା ବେଳେ କେବିକେର ପ୍ରମୁଖ ଜିଲ୍ଲା ବଲାଙ୍ଗିରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିକାଶ ଯୋଜନାକୁ ଅଣଦେଖା କରି ‘ବଲାଙ୍ଗିର ଛାଡ’ ନୀତି ଆପଣାଉଥିବା ସାଧାରଣରେ ଆଲୋଚନା ହେଉଛି । ୫ଟି ସଚିବ ଏ ଦିଗରେ ଦୃଷ୍ଟି ଦେବେ ବୋଲି ଆଶା । ଏହି ବୈଠକରେ ସଂପାଦକ ଗୋବିନ୍ଦ ମିଶ୍ର, ଦିବାକର ହୋତା, ଛବିଲାଲ ବେହେରା, ପୁରୁଷୋତ୍ତମ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ଦାଶ, ହରେକୃଷ୍ଣ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ । କୃଷ୍ଣଚନ୍ଦ୍ର ମହାକୁର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

16 − nine =