pakka

ଆଜି ପବିତ୍ର ଅଁଳା ନବମୀ, ଶ୍ରୀରାଧା ପାଦ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

bbehera

ନିମାପଡ଼ା : ଆଜି ପବିତ୍ର ଅଁଳା ନବମୀ । କାର୍ତ୍ତିକ ଶୁକ୍ଲପକ୍ଷ ନବମୀ ତିଥିରେ ଓଡ଼ିଆଣି ବେଶରେ ଦର୍ଶନ ଦିଅନ୍ତି ଶ୍ରୀରାଧା । ପୁରୀ ଜିଲ୍ଲା ସାକ୍ଷୀଗୋପାଳସ୍ଥିତ ସାକ୍ଷୀଗୋପାଳ ମନ୍ଦିରରେ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ । ବର୍ଷକରେ କେବଳ ଏହି ଗୋଟିଏ ଦିନ ଭକ୍ତମାନେ ଠାକୁରାଣୀ ଶ୍ରୀଶ୍ରୀରାଧାରାଣୀଙ୍କର ପାଦ ଦର୍ଶନର ଦୁର୍ଲ୍ଲଭ ସୁଯୋଗ ପାଇଥାନ୍ତି । ଏହି ଅବସରରେ ଶ୍ରୀ ରାଧା ପାଦ ଦର୍ଶନ ନିମେନ୍ତ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତମାନଙ୍କ ଦର୍ଶନ ନିମନ୍ତେ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ୩ ଥାକିଆ ବାଉଁଶ ବ୍ୟାରିକେଡ୍‌ ନିର୍ମାଣ ହୋଇଛି । ଭକ୍ତମାନେ ବ୍ୟାରିକେଡ୍‌ ମଧ୍ୟରେ ଧାଡ଼ିରେ ଯାଇ ଶ୍ରୀରାଧାଙ୍କ ପାଦ ଦର୍ଶନ କରୁଛନ୍ତି । ପ୍ରଶାସନ ତରଫରୁ ମନ୍ଦିର ପରିସରରେ ୭ଟି ଓ ମନ୍ଦିର ଚାରିପଟେ ୧୨ଟି ସିସିଟିଭି କ୍ୟାମେରା ଲଗାଯାଇଛି । ସିଂହଦ୍ୱାରଠାରୁ ସାକ୍ଷୀଗୋପାଳ ବଜାର ରେଳ ଫାଟକ ପର୍ଯ୍ୟନ୍ତ ଧାଡ଼ି ଲମ୍ବିଛି । ପ୍ରାୟ ୨ କିମି ବ୍ୟାପୀ ଏହି ଧାଡ଼ିରେ ଆସି ଠାକୁରଙ୍କୁ ଦର୍ଶନ କରିବା ନିମନ୍ତେ ପ୍ରାୟ ୩ଘଣ୍ଟା ଲାଗୁଛି । ଭକ୍ତଙ୍କ ସୁବିଧା ନିମନ୍ତେ ଅସ୍ଥାୟୀ ଆଶ୍ରୟସ୍ଥଳ ଓ ଅସ୍ଥାୟୀ ପରିସ୍ରାଗାର ବ୍ୟବସ୍ଥା ହୋଇଛି । ପୁରୀ ଏସ୍‌ପି କେ. ବିଶାଲ ସିଂହ, ଅତିରିକ୍ତ ଏସ୍‌ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଏସ୍‌ଡିପିଓ ଦେବଦତ୍ତ ବରାଳ ଓ ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ପ୍ରସ୍ତୁତି ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି । ସମସ୍ତ ପୁଲିସ ବ୍ୟବସ୍ଥାକୁ ଦୁଇଜଣ ଅତିରିକ୍ତ ଏସ୍‌ପି ତଦାରଖ କରୁଛନ୍ତି । ଶ୍ରୀରାଧାରାଣୀଙ୍କ ପାଦ ଦର୍ଶନ ନିମନ୍ତେ ବରିଷ୍ଠ ନାଗରିକଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ସ୍ଥାନୀୟ କୋର୍ଟ ଉପର ପଡ଼ିଆଠାରୁ ମନ୍ଦିର ପର୍ଯ୍ୟନ୍ତ ୪ଟି ବ୍ୟାଟେରୀ ଚାଳିତ ଯାନର ବ୍ୟବସ୍ଥା ହୋଇଛି । ଭକ୍ତମାନେ ଏହି ଗାଡ଼ିରେ ବିନା ମୂଲ୍ୟରେ ଯିବା ଆସିବା କରିବା ନିମନ୍ତେ ସୁବିଧା କରାଯାଇଛି ।

Leave A Reply

Your email address will not be published.

eighteen + 8 =