ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକସ୍ତରୀୟ କ୍ରୀଡା ମହୋତ୍ସବକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କ୍ରୀଡା ମହୋତ୍ସବ ବିଭିନ୍ନ ବ୍ଲକରେ ଆୟୋଜିତ ଯେପରି ହେଉଛି, ସେହିପରି ଗଞ୍ଜାମରେ ବ୍ଲକସ୍ତରୀୟ କ୍ରୀଡା ବିବାଦୀୟ ପରିସ୍ଥିତି ଦେଖିବାକୁ ମିଳିଛି । କ୍ରୀଡା ମହୋତ୍ସବ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମରେ ଶୁକ୍ରବାର ଆୟୋଜିତ ହୋଇଥିଲା । ଗଞ୍ଜାମ ବ୍ଲକ ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟ ବିଭିନ୍ନ ଜନପ୍ରତିନିଧିମାନଙ୍କୁ ସେଠାରେ ଦେଖିବାକୁ ମିଳିନଥିଲା ଓ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅବଗତ କରାଯାଇନଥିବା ନେଇ ଅଭିଯୋଗ ହୋଇଛି । ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏନେଇ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଟା ପ୍ରଧାନଙ୍କୁ ପଚାରିବାରୁ ସେ କହିଥିଲେ, ବ୍ଲକସ୍ତରୀୟ କ୍ରୀଡା ମହୋତ୍ସବକୁ ଆମକୁ ଅବଗତ କରାଯାଇ ନାହିଁ । ଶାସକ ଦଳକୁ ଅଣଦେଖା କରାଯାଉଛି, କାହା ଇଂଗିତରେ ଏତେ ବଡ ପଦକ୍ଷେପ ନିଆଯାଇଛି, ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡ଼ିଛି । ଖେଳ ପଡିଆରେ ଖେଳାଳିମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିବା ଦେଖିବାକୁ ମିଳିଛି । ପାନୀୟ ଜଳ ବ୍ୟବସ୍ଥା, ଫାଷ୍ଟଏଡ଼ ବ୍ୟବସ୍ଥା, ଖେଳାଳିମାନେ ବସିବା ଉଠିବା ପାଇଁ ଟେଣ୍ଟର ସୁବିଧା, ଗ୍ଲୁକୋଜ, ଲେମ୍ବୁ ମିଳି ନଥିବା ସହ ନିମ୍ନମାନର ଖାଦ୍ୟ ଖେଳାଳିମାନଙ୍କୁ ମିଳିଥିବା ଆଉ କିଛି ଖେଳାଳି ଖାଦ୍ୟ ପାଇନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଖେଳାଳିମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ବ୍ଲକସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଇଓ ଭାଗିରଥି ବେହେରା, ଏବିଇଓ ବିଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, ଏବିଡ଼ିଓ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ନିମନ୍ତ୍ରିତ ଅତିଥି ଯୋଗଦେଇ କ୍ରୀଡା ମହୋତ୍ସବକୁ ଶୁଭ ଉଦ୍ଘାଟନ କରିଥିଲେ । ସ୍ଥାନୀୟ ଶିକ୍ଷାନୁଷ୍ଠାନ ଏବଂ ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ବିଭିନ୍ନ କ୍ରୀଡା ପ୍ରଶିକ୍ଷକ ଯୋଗଦେଇ କ୍ରୀଡା ପରିଚାଳନା କରିଥିଲେ । ଖୋ ଖୋ, କବାଡି, ଲଙ୍ଗଜମ୍ପ, ହାଇଜମ୍ପ, ସଟଫୁଟ୍, ଦୌଡ଼ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଗଞ୍ଜାମ ବ୍ଲକରେ ପ୍ରାୟ ୨୧ଟି ସ୍କୁଲ ଛାତ୍ରଛାତ୍ରୀ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିଥିଲେ ।