ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପତ୍ନୀ ଆଣିଲେ ହତ୍ୟା ଅଭିଯୋଗ

ପାଟଣାଗଡ଼, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଯୋଗୀମୁଣ୍ଡା ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇ ଥିବା ଜଣାପଡିଛି । ସୂଚନା ଅନୁସାରେ, ମୃତକ ଜଣକ ହେଲେ ନେପାଳ ମେହେର(୨୮) । ନେପାଳଙ୍କ ମୃତଦେହ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଥିବା ବେଳେ ପତ୍ନୀ ଗୀତାଞ୍ଜଳି(୨୪) ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି କାକା ଶ୍ୱଶୁର, କାକୀ ଶାଶୁ ଏବଂ ଅନ୍ୟମାନଙ୍କ ନାଁରେ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ, ନେପାଳ ମେହେର ବୁଲି ବୁଲି ସାମଗ୍ରୀ ବିକ୍ରି କରି ଚଳୁଥିଲେ । ଗତ କିଛିଦିନ ତଳେ କାକାଘର ପରିବାର ପକ୍ଷରୁ କାକା ମାୟାଧର ମେହେର, ସେବା ମେହେର, ସୁଜନ ମେହେର ମୃତ ନେପାଳଙ୍କ ସହ ଝଗଡ଼ା କରି ଘରୁ ତଡ଼ି ଦେଇଥିଲେ । କେବଳ ସେତିକି ନୁହେଁ, ଘରକୁ ଫେରିଲେ ନେପାଳ ଓ ପତ୍ନୀ ଗୀତାଞ୍ଜଳିଙ୍କୁ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଇଥିଲେ । ଫଳରେ ଉଭୟ ସ୍ୱାମୀ-ସ୍ତ୍ରୀ ବନାଇମୁଣ୍ଡାରେ ତାଙ୍କ ବାପା ସୁଦାମ ମେହେରଙ୍କ ଘରେ ରହୁଥିଲେ । ତେବେ ଗତ ୩୧ ତାରିଖରେ ନେପାଳ ସାମଗ୍ରୀ ବିକ୍ରି କରିବା ପାଇଁ ଯୋଗୀମୁଣ୍ଡା ଯାଇ ଘରକୁ ନ ଫେରିବାରୁ ୧ ତାରିଖ କିଛି ଲୋକଙ୍କ ସହ ଗୀତାଞ୍ଜଳି ତାଙ୍କୁ ଖୋଜିବାକୁ ବାହାରିଥିଲେ । ଯୋଗୀମୁଣ୍ଡାରେ ପହଞ୍ଚିବା ପରେ ନେପାଳଙ୍କୁ ପାଟଣାଗଡ଼ ଡାକ୍ତରଖାନା ଅଣାଯାଇଥିବା ଖବର ପାଇ ସେମାନେ ସେଠାରେ ପହଞ୍ଚିଥିଲେ । ହେଲେ ନେପାଳଙ୍କ ମୃତ୍ୟୁ ହୋଇସାରିଥିବା ଜାଣିବାକୁ ପାଇଥିଲେ । ପୁଲିସ ଶବକୁ ଜବତ କରିବା ସହ ଆଜି ସକାଳେ ଅପମୃତ୍ୟୁ ତଦନ୍ତ କରିବା ପରେ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏ ସଂକ୍ରାନ୍ତରେ ପାଟଣାଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଧିକ ତଦନ୍ତ ପରେ ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି ଥାନାଧିକାରୀ ଅନନ୍ତ ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.

1 × 2 =