pakka

ମୋଦୀ ସରକାରଙ୍କ ଜନ ବିରୋଧୀ ନୀତି ବିରୁଦ୍ଧରେ ୫ ଅପ୍ରେଲ ଦିଲ୍ଲୀ ଅଭିଯାନକୁ ସଫଳ କରିବା ପାଇଁ ମିଳିତ କନ୍‌ଭେନ୍‌ସନ୍‌

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ବିଜେପି ନେତୃତ୍ଵାଧୀନ ମୋଦୀ ସରକାରଙ୍କ ଜନ ବିରୋଧୀ, ଶ୍ରମିକ, କୃଷକ ତଥା ଦେଶ ବିରୋଧୀ ନୀତି ବିରୁଦ୍ଧରେ ସିଆଇଟିୟୁ, ଅଖିଳ ଭାରତ କୃଷକ ସଭା, ଅଖିଳ ଭାରତ କ୍ଷେତ ମଜଦୁର ୟୁନିୟନ ଡାକରାରେ ୫ ଅପ୍ରେଲ ଦିଲ୍ଲୀ ଅଭିଯାନ ସଫଳ କରିବା ସହିତ ଦେଶର ସାଧାରଣ ଜନତା, ଶ୍ରମିକ, କୃଷକ, କ୍ଷେତ ମଜଦୁର କର୍ମଚାରୀ, ଯୁବ, ଛାତ୍ର, ମହିଳା, ଆଦିବାସୀ ସକଳ ସ୍ତରର ସାଧାରଣ ଲୋକଙ୍କ ୨୦ ଦଫା ଦାବୀରେ ପାର୍ଲିଆମେଣ୍ଟ ଅଭିଯାନ ପାଇଁ ସୁନ୍ଦରଗଡ଼ ଜିଲ୍ଲାର ଶହ ଶହ ସଂଖ୍ୟାରେ ସାମିଲ ହେବାକୁ ଶ୍ରମିକ ଭବନ, ସେକ୍ଟର ୧୬ଠାରେ ଶ୍ରମିକ, କୃଷକ ଓ କ୍ଷେତ ମଜଦୁରମାନଙ୍କ ଏକ ମିଳିତ କନ୍‌ଭେନ୍‌ସନ୍‌ ସିଆଇଟିୟୁ ନେତା ଜାହାଙ୍ଗୀର ଅଲ୍ଲୀ ଓ କୃଷକ ସଭା ନେତା ସୁରେନ୍ଦ୍ର ଦାଶଙ୍କ ମିଳିତ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କନ୍‌ଭେନ୍‌ସନ୍‌ରେ ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ବିରୁଦ୍ଧରେ ଜନସାଧାରଣ ଗର୍ଜନ କରିବାକୁ ଆହ୍ୱାନ ଦେଇଥିଲେ । ସକଳ କ୍ଷେତ୍ରରେ ମୋଦୀ ସରକାର ବିଫଳ ହୋଇଥିବା ବେଳେ ଦେଶର ହାତ ଗଣତି ନିର୍ଦ୍ଦିଷ୍ଟ ପୁଂଜିପତିମାନଙ୍କ ସ୍ଵାର୍ଥ ସାଧନ ପାଇଁ କାମ କରୁଥିବା ଅଭିଯୋଗ କରିଥିଲେ । ୨୦ ଦଫା ଦାବୀ ମଧ୍ୟରେ ସର୍ବନିମ୍ନ ମଜୁରୀ ମାସିକ ୨୦ ହଜାର କରିବା, କୃଷକମାନଙ୍କୁ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବା, ସମସ୍ତ ଗରିବ, ମଧ୍ୟବିତ୍ତ ଚାଷୀ, କୃଷି ଶ୍ରମିକଙ୍କ ଉପରୁ ସରକାର ଏକ କାଳୀନ ଋଣ ଛାଡ କରିବା, ୪ଟି ଲେବର କୋର୍ଡ ଓ ବିଦ୍ୟୁତ ସଂଶୋଧନ ବିଲ୍-୨୦୨୨ ଓ ପରିବହନ ସମ୍ବର୍ଦ୍ଧିତ ସଂଶୋଧିତ ଆଇନକୁ ବାତିଲ କରିବା, ମନରେଗାରେ ସର୍ବନିମ୍ନ ୨୦୦ ଦିନର କାମ ସହ ଦୈନିକ ୬୦୦ ଟଙ୍କା ମଜୁରୀ, ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧୀନରେ ଖାଲି ପଡିଥିବା ପଦବୀ ପୂରଣ କରିବା, ଦରବୃଦ୍ଧି ନିୟନ୍ତ୍ରଣ କରିବା, ସରକାରୀ ଗଣବଣ୍ଟନ ବ୍ୟବସ୍ଥାକୁ ସାର୍ବଜନୀନ କରିବା, ସମସ୍ତ ସ୍କିମ୍ ଶ୍ରମିକ ଯଥା ଅଙ୍ଗନୱାଡ଼ି, ଆଶା, ପାଚିକା, ଆଇସିଆରପି ଓ ବ୍ୟାଙ୍କ ମିତ୍ରମାନଙ୍କୁ ଶ୍ରମିକର ମାନ୍ୟତା ସହ ସାମାଜିକ ସୁରକ୍ଷା ପ୍ରଦାନ କରିବା, ପରିବହନ ଶ୍ରମିକମାନଙ୍କୁ ସର୍ବନିମ୍ନ ମଜୁରୀ ସହ ସାମାଜିକ ସୁରକ୍ଷା ପ୍ରଭୃତି ଦାବୀରେ ୫ ଅପ୍ରେଲ ଦିଲ୍ଲୀ ଅଭିଯାନକୁ ସଫଳ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ । ଏହି କନ୍‌ଭେନ୍‌ସନ୍‌ରେ ଅନ୍ୟମାନଙ୍କ ମଧ୍ୟରେ ସିଆଇଟିୟୁ ନେତା ହୃଦୟାନନ୍ଦ ଯାଦବ, ବି ପି ମହାପାତ୍ର, ତାଜମୁନ୍ ନେହାର, ନୃସିଂହ ନାରାୟଣ ପାଣିଗ୍ରାହୀ, ରାଜ କିଶୋର ପ୍ରଧାନ, ଯଯାତି କେଶରୀ ସାହୁ, ପ୍ରଭାତ ମହାନ୍ତି, ଲକ୍ଷ୍ମୀଧର ନାୟକ, ବୁବୁନ ମାଇତି, କୃଷକ ସଭା ନେତା ସମୀର ନାଏକ, ବୁଧନୀ ମୁଣ୍ଡାରୀ, କ୍ଷେତ ମଜଦୁର ୟୁନିୟନ ନେତା ରଜତ ମୁଣ୍ଡା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

four × 4 =