ଆତ୍ମସମର୍ପଣ କରିଥିବା ଦୁଇ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ବିବାହ ବନ୍ଧନରେ ବାନ୍ଧି ହେଲେ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଯେଉଁ ହାତରେ ଦିନେ ବନ୍ଧୁକ ଥିଲା ଆଜି ସେ ହାତରେ ମେହେନ୍ଦି ଲାଗିଛି । ପୁଲିସ ପାଖରେ ଆତ୍ମସମର୍ପଣ କରିଥିବା ଦୁଇ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ଏହି ଦୁଇ ଝିଅଙ୍କ ବିବାହ କରାଯାଉଛି । ଦୁଇ ଝିଅଙ୍କ ନାମ ହେଲା ସପନିତା ପାଟମାଝି ଓରଫ ନନ୍ଦିନୀ ଏବଂ ଫୁଲବତି ଉଷେଣ୍ଡା ଓରଫ କରୁଣା ସପନିତା । ସପନିତାର ଘର କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଗୁଡ୍ରି ଗ୍ରାମରେ । ସେ ୨୦୧୮ ମସିହାରେ ମାଓବାଦୀ ସଂଘଠନରେ ସାମିଲ ହୋଇଥିଲେ ଏବଂ ୨୦୧୯ ମସିହାରେ କନ୍ଧମାଳ ଏସ. ପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ସେହିଭଳି ଫୁଲବତିଙ୍କ ଘର ଛତିଶଗଡ ରାଜ୍ୟ କଂକେର ଜିଲ୍ଲା ଗୁମୁଡି ଗ୍ରାମରେ । ସେ ୨୦୦୮ମସିହାରେ ମାଓବାଦୀ ସଂଗଠନରେ ସାମିଲ ହୋଇଥିଲେ ଏବଂ ୨୦୨୧ ମସିହାରେ ପୁଲିସ ଡିଜିଙ୍କ ପାଖରେ ଆତ୍ମ ସମର୍ପଣ କରିଥିଲେ । ଆତ୍ମ ସମର୍ପଣ କରିବା ପର ଠାରୁ ଉଭୟ କନ୍ଧମାଳ ଜିଲ୍ଲା ପୁଲିସ ହେପାଜତରେ ରହିଥିଲେ । ରବିବାର ଦିନ ଉଭୟଙ୍କ ବାହାଘର ହୋଇଥିବା ବେଳେ ସପନିତାର ବିବାହ ଦାରିଙ୍ଗବାଡିର ବିନୋଦ ନାମକ ଯୁବକ ସହିତ ହେଉଛି ଏବଂ ଫୁଲବତିର ବିବାହ ଜି. ଉଦୟଗିରିର ସ୍ୱପ୍ନେଶ୍ୱର ନାମକ ଯୁବକ ସହିତ ହେଉଛି । ପୁଲିସ ପ୍ରଶାସନ ପକ୍ଷରୁ ବାହାଘରର ସମସ୍ତ ବ୍ୟବସ୍ଥା ହୋଇଛି । ଯେଉଁଥିରେ ପୁଲିସ ପ୍ରଶାସନିକ କର୍ମଚାରୀଙ୍କ ସମେତ ବର ଓ କନ୍ୟା ପକ୍ଷ ସାମିଲ ହୋଇଛନ୍ତି । ନନ୍ଦିନୀ କହିଛନ୍ତି, ସେ ଏସ୍‌ପିଙ୍କ ଝିଅ ହୋଇଯାଇଥିଲେ । ଏବେ ତାଙ୍କୁ ଛାଡ଼ି ଶାଶୁ ଘରକୁ ଯିବାକୁ ପଡ଼ୁଛି । ସେ ବାପା ଭଳି ତାଙ୍କୁ ଭଲ ରାସ୍ତାକୁ ଆଣିଥିଲେ। ଏବେ ବାହା ଦେଉଛନ୍ତି । ଏହାକୁ ନେଇ ସେ ଖୁସୀ । ସେପରି ଫୁଲବତି କହିଛନ୍ତି, ସମସ୍ତ ମାଓବାଦୀମାନେ ଅସ୍ତ୍ର ଛାଡ଼ି ଭଲ ବାଟକୁ ଆସିଯିବା ଉଚିତ୍ । ଏହା ଦ୍ୱାରା ସେମାନେ ନିଜର ଓ ସମାଜର ଉନ୍ନତିରେ ସାମିଲ ହୋଇପାରିବେ ।

Leave A Reply

Your email address will not be published.

19 + 15 =