ହଂସପୁର ଗାଁ ଯୁବ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡ଼ାଙ୍କୁ ହତ୍ୟା : ଗିରଫ ଶୂନ୍‌, ପୋଲିସର ତଦନ୍ତ ଜାରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସଜିଲ୍ଲା ଅଧିନସ୍ଥ ଛତ୍ରପୁର ଥାନା ହଂସପୁର ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି ।ଗଞ୍ଜାମ ଜିଲ୍ଲାରେ ପଞ୍ଚାୟତ ଓ ପୋୖର ନିର୍ବାଚନ ଶାନ୍ତି-ଶୃଙ୍ଖଳାର ସହ ସମାହିତ ହୋଇଥିବା ବେଳେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ସିମେଣ୍ଟ ବ୍ୟବସାୟୀଙ୍କ ମୁଣ୍ଡଉପରେ ଠେଙ୍ଗା, ଲୁହାରଡ଼ରେ ପିଟି ପିଟି ହତ୍ୟା କରାଯାଇଥିବା ଖବର ଗଞ୍ଜାମ ପୋଲିସକୁ ଚିନ୍ତା ଘାରିଦେଇଛି । ପ୍ରକାଶଥାଉକି, ହଂସପୁର ଗ୍ରାମର ଯୁବ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡ଼ା (୩୫)ଙ୍କ ଉପରେ ପଛପଟୁ ଆତର୍କିତ ଭାବେ ସଂଘବଦ୍ଧ ଆକ୍ରମଣ ହୋଇଥିବା କୁହାଯାଏ । ଶୁକ୍ରବାର ରାତି ପ୍ରାୟ ୧୧ଟାରେ କୃଷ୍ଣଚନ୍ଦ୍ର ସବୁଦିନ ପରି ଦୋକାନ ବନ୍ଦ କରି ମନ୍ଦିରକୁ ଯାଇ ଦିଅଁଙ୍କ ଦର୍ଶନ କରି ସାରିବା ପରେ ସେ କିଛି ବୁଲା କୁକୁରଙ୍କୁ ବିସ୍କୁଟ ଓ ପାଉଁରୁଟି ଆଦି ଖାଇବାକୁ ଦେଇ ଘରକୁ ଫେରୁଥିଲେ । ହେଲେ ପୂର୍ବରୁ ଜଗି ରହିଥିବା କିଛି ଦୁର୍ବୃତ୍ତ କୃଷ୍ଣଚନ୍ଦ୍ରଙ୍କୁ ଅଟକାଇ ଠେଙ୍ଗା, ଲୁହାରଡ଼, ପଥରରେ ଆକ୍ରମଣ କରିଥିବା ଜଣାଯାଉଛି । କୃଷ୍ଣଚନ୍ଦ୍ରଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହେବା ବେଳକୁ ଦୁର୍ବୃତ୍ତ ମାନେ ଚମ୍ପଟ ମାରିଥିଲେ । ମୁର୍ମୁର୍ଷୁ ଅବସ୍ଥାରେ ତାଙ୍କୁ ଗାଁ ଲୋକଙ୍କ ସହଯୋଗରେ ଆତ୍ମୀୟମାନେ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଫଳରେ ଏବେ ଯାଏଁ ଗାଁରେ କୋକୁଆ ଭୟ ଦେଖାଦେଇଛି । ଛତ୍ରପୁରଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରୀ ରଖିଛନ୍ତି । ଘଟଣାସ୍ଥଳରେ ଛତ୍ରପୁର ହେଡକ୍ୱାଟରର ବରିଷ୍ଠ ପୋଲିସ ଅଧିକାରୀ ଓ ସାଇନଟିଫିକ୍ ଟିମ୍ ସହ ସଦଳବଳେ ପହଞ୍ଚି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛନ୍ତି । ଶନିବାର ସନ୍ଧ୍ୟାସୁଦ୍ଧା କାହାରିକୁ ଗିରଫ ଅବା ଅଟକ ରଖାଯାଇନାହିଁ ବୋଲି ଛତ୍ରପୁରର ବରିଷ୍ଠ ଥାନାଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି । ତେବେ ଘଟଣାର ୨୪ ଘଣ୍ଟା ବିତିଯାଇଥିବା ବେଳେ ଅପରାଧୀ ଧରାପଡ଼ିନଥିବା ନେଇ ହଂସପୁର ଗ୍ରାମରେ ଉଦ୍‌ବେଗଜନକ ପରିସ୍ଥିତି ଦେଖାଦେଇଛି ।

ସୂଚନାଯୋଗ୍ୟ ଯେ, ନୀଳାଦ୍ରିପୁର, ଆଲିଆବାଦ, ହଂସପୁର, କରପଡ଼ା, ମାଧପୁର, ବରଙ୍ଗ, ପୋଟ୍ଟଲାମପୁର ଆଦି ଅଞ୍ଚଳ ଛତ୍ରପୁର ଥାନା ଅଧୀନରେ ଅନତି ଦୂରରେ ରହିଛି । ଏହିସବୁ ଅଞ୍ଚଳ ନିମନ୍ତେ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଫାଷ୍ଟ-ଟ୍ରାକ୍ ପୋଲିସ ଆଉଟ ପୋଷ୍ଟ ବ୍ୟବସ୍ଥା କରିବା ପାଇଁ ଜନସାଧାରଣରେ ବିଭିନ୍ନ ମହଲରେ ଦାବୀ ହେଉଅଛି । ବହୁ ବର୍ଷଧରି ଏହି ସବୁସ୍ଥାନମାନଙ୍କରେ ବଡ଼ଧରଣର ଗଣ୍ଡଗୋଳ, ହିଂସାକାଣ୍ଡ, ହତ୍ୟାକାଣ୍ଡ ଭଳି ଘଟଣା ଏକ ପ୍ରଥାଭାବେ ପାଲଟିଛି । ପୋଲିସ, ଆମ୍ବୁଲାନ୍ସ, ଦମକଳଗାଡ଼ି ଏହି ସବୁ ଅଞ୍ଚଳ ପରିଧି-ସ୍ଥାନରେ ଜରୁରୀ ପହଞ୍ଚିବା କଷ୍ଟକର ହୋଇଛି । ତେଣୁ ରାଜ୍ୟପ୍ରଶାସନ ଏଦିଗରେ ଧ୍ୟାନଦେଇ ଲୋକଙ୍କ ଧନଜୀବନ ସୁରକ୍ଷା ମଣିବା ଭଳି ଆଶୁ-ବ୍ୟବସ୍ଥିତ କରିବାକୁ ଦାବୀ ହୋଇଛି ।

Leave A Reply

Your email address will not be published.