ବଲାଙ୍ଗିର, (କେପିଏନ୍ଏସ୍) : ଗାଳ୍ପିକ ପ୍ରଦୀପ ମିଶ୍ରଙ୍କ ମାତା ତଥା ଯଶସ୍ୱୀ କବି, ସୁଦକ୍ଷ ଶିକ୍ଷକ ସ୍ୱର୍ଗତ କୁଳମଣି ମିଶ୍ରଙ୍କ ଧର୍ମପତ୍ନୀ ଶ୍ରୀମତୀ ସଭାଗ୍ୟ ମଂଜରୀ ମିଶ୍ରଙ୍କ ଗତ ତା ୭/୨/୨୨ରେ ପରଲୋକ ହୋଇଯାଇଛି । ତାହାଙ୍କ ଅନ୍ତିମ ଶର୍ଯ୍ୟା ନିକଟରେ ଦୁଇ ପୁଅ, ତିନି ବୋହୂ, ତିନି ଝିଅ ଓ ଜ୍ଵାଇଁ ଉପସ୍ଥିତ ଥିଲେ । ଦିବଂଗତା ସୌଭାଗ୍ୟ ଦେବୀ ଅତ୍ୟନ୍ତ ଧର୍ମପରାୟଣା ଥିଲେ । ବରପାଲିପଡାର ରାଧେଶ୍ୟାମ ମହିଳା ସଂଘର ସେ ସଂସ୍ଥାପିକା ତଥା ସଂପାଦିକା ଥିଲେ । ତାହାଙ୍କ ତତ୍ତ୍ୱାବଧାନରେ ବରପାଲିପଡାରେ ନିୟମିତ ବ୍ୟବଧାନରେ ସତସଂଗ, ଭାଗବତ ପାରାୟଣ ସପ୍ତାହ, ଗୋପାଳ ସହସ୍ର ନାମ ଇତ୍ୟାଦି ଅନୁଷ୍ଠିତ ହେଉଥିଲା । ତାହାଙ୍କ ଦ୍ୱାରା ସଂକଳିତ ନିତ୍ୟକର୍ମ ପୂଜା ପଦ୍ଧତି ସତସଂଗୀମାନଙ୍କ ଦ୍ୱାରା ବହୁ ଆଦ୍ରୁତି ଲାଭ କରିଛି । ତାହାଙ୍କ ପ୍ରୟାଣର ଚତୁର୍ଦ୍ଦଶ ଦିବସରେ ଭଗବତୀ ହୋଟେଲରେ ଗତ ତା ୨୦/୨/୨୨ ଦିନ ଗଂଗାଭୋଜି ହେବା ସହିତ ତାହାଙ୍କ ତାଲପାଲିପଡା ସ୍ଥିତ ବାସଭବନରେ ଇସ୍କନ ସାଧୁମାନଙ୍କ ଗହଣରେ ହରିକୀର୍ତ୍ତନ ସମ୍ବଳିତ ମହୋତ୍ସବ ମଧ୍ୟ ପାଳିତ ହେଇଯାଇଛି । ସ୍ୱର୍ଗତା ସୌଭାଗ୍ୟ ଦେବୀଙ୍କୁ ନିବେଦିତ କରି ଶ୍ରୁତି ବିଦ୍ୟାଳୟ, ବଲାଙ୍ଗିର ତଥା ଚିନ୍ମୟ ମିଶନ, ବଲାଙ୍ଗିର ଦ୍ୱାରା ସାମୂହିକ କଠୋପନିଷଦ ପାଠ ମଧ୍ୟ ଆୟୋଜିତ ହେଇଥିଲା । ସ୍ୱର୍ଗତା ସୌଭାଗ୍ୟ ଦେବୀଙ୍କ ବିୟୋଗରେ ବଲାଙ୍ଗିରର ଆଧ୍ୟାତ୍ମିକ ମହଲରେ ଶୋକର ଛାୟା ଖେଳିଯାଇଛି ।