ସାଗରପଡ଼ାରେ ଦୁଇ ଦିନ ହେଲା ପଡ଼ିରହିଛି ନିରାଶ୍ରିତା ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ଶବ, ପାଖରେ ବସି କାନ୍ଦୁଛି ଅନାଥ ଶିଶୁ
ବଲାଙ୍ଗିର, (କେପିଏନ୍ଏସ୍) : ଦୁଇ ଦିନ ହେଲା ଜଣେ ନିରାଶ୍ରିତା ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ଶବ ପଡ଼ିରହିଛି । ପାଖରେ ବସି କାନ୍ଦୁଛି ଅନାଥ ଶିଶୁ ସଂତାନ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ସାଗରପଡ଼ା ସ୍ଥିତ ଶିବମନ୍ଦିର ନିକଟରେ ରହିଥିବା ଏକ ବାସଗୃହରେ । ସୂଚନା ଅନୁସାରେ କୁନୀ ନାଏକ(୩୫) ନାମ୍ନୀ ଜଣେ ସ୍ୱାମୀ ପରିତ୍ୟକ୍ତା ନିରାଶ୍ରିତା ମହିଳା ଏଠାରେ ରହି ଆସୁଥିଲେ । କୌଣସି କାରଣରୁ ତାଙ୍କର ପାଖାପାଖି ଦୁଇ ଦିନ ତଳେ ଦେହାନ୍ତ ହୋଇଥିବା ବେଳେ ଶବ ପାଖରେ ବସି ଅନାଥ ଶିଶୁ ଆର୍ୟ୍ୟା ନାଏକ(୫) କାନ୍ଦୁଥିବା ଭଳି ଅଭାବନୀୟ ଦୁଃଖଦ ଦୃଶ୍ୟ ଦେଖାଯାଇଛି । ଦୁର୍ଗନ୍ଧରେ ଫାଟି ପଡ଼ୁଛି ଘର । ମୃତ ମହିଳାଙ୍କ ଦେହରେ ପୋକ ହୋଇ ସାରିଥିବା ବି ଦେଖଣାହାରୀମାନେ ଆଲୋଚନା କରୁଛନ୍ତି । ତେବେ ଖବର ପାଇ ବଲାଙ୍ଗିର ଟାଉନ୍ ପୋଲିସ ଘଟଣାସ୍ଥଳରେ ପହଂଚିଥିବା ବେଳେ ଏସ୍ଡିପିଓ ତୋଫାନ ବାଗ କହିଛନ୍ତି ଯେ, ଶବ ବ୍ୟବଚ୍ଛେଦ ପରେ କାହିଁକି ସଂପୃକ୍ତ ମହିଳାଙ୍କ ମୃତ୍ୟୁ ଘଟିଛି ସେ ସଂପର୍କରେ ଜଣାପଡ଼ିବ ।