ସର୍ବଭାରତୀୟ ସ୍ତରରେ ଗର୍ବିତ କଲେ କଳାହାଣ୍ଡିର ପୁଅ : ପିଏମ୍ ୟୁବା ପାଇଁ ଚୟନିତ ହେଲେ ଯୁବ ଗାଳ୍ପିକ ଡିଲେଶ୍ୱର ରଣା

ଭବାନୀପାଟଣା, (ପି.କେ. ସାହୁ) : ପିଏମ୍ ୟୁବା ମେଣ୍ଟରସିପ୍ ଯୋଜନାରେ ମନୋନୀତ ହୋଇଛନ୍ତି କଳାହାଣ୍ଡିର ଉଦୀୟମାନ ଯୁବ ଲେଖକ ଡିଲେଶ୍ବର ରଣା । ଏହି ଯୋଜନାରେ ଶ୍ରୀ ରଣା ମାସିକ ୫୦ ହଜାର ଟଙ୍କା ଲେଖାଏଁ ୬ ମାସ ସର୍ବମୋଟ ତିନି ଲକ୍ଷ ଟଙ୍କା ପାଇବେ । ଏଥିସହ ତାଙ୍କର ପାଣ୍ଡୁଲିପିଟି ନେସନାଲ୍ ବୁକ୍ ଟ୍ରଷ୍ଟ ଦ୍ୱାରା ପୁସ୍ତକ ଆକାରରେ ପ୍ରକାଶ ପାଇବ ଏବଂ ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୂଦିତ ହେବ । ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଓ ନେସନାଲ୍ ବୁକ୍ ଟ୍ରଷ୍ଟ ପକ୍ଷରୁ ୩୦ ବର୍ଷ ବୟସ ଭିତରେ ଥିବା ଯୁବଲେଖକଙ୍କ ଠାରୁ ପାଣ୍ଡୁଲିପି ଆହ୍ୱାନ କରାଯାଇଥିଲା । ‘ଭାରତୀୟ ସ୍ୱାଧୀନତା ସଂଗ୍ରାମ’ ବିଷୟକୁ ନେଇ ଲିଖିତ ଶ୍ରୀ ରଣାଙ୍କ ଉପନ୍ୟାସିକା ମନୋନୀତ ହୋଇଛି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଧଅଁରାମାଲ ଗ୍ରାମର ବ୍ରଜ ରଣା ଓ ବିଦୁସୁତା ରଣାଙ୍କ ସୁପୁତ୍ର ଡିଲେଶ୍ବର ଗଳ୍ପ, କବିତା ରଚନା ସହ ଅଭିନୟ, ସାହିତ୍ୟ ସଂଗଠନ ଆଦିରେ ସକ୍ରିୟ ରହିଛନ୍ତି । ନିକଟ ଅତୀତରେ ପ୍ରକାଶିତ ତାଙ୍କର ଗଳ୍ପ ସଂକଳନ ‘ସେଁର୍‌ରା’ ବିପୁଳ ପାଠକୀୟତା ଲାଭ କରିଛି । ସାହିତ୍ୟ ସାଧନା ପାଇଁ ସେ କଥା ନବପ୍ରତିଭା ପୁରସ୍କାର, କାଦମ୍ବିନୀ ଗଳ୍ପ ଉନ୍ମେଷ ପୁରସ୍କାର, ତପସ୍ୟା ସମ୍ଭାବନା ପୁରସ୍କାର, ପଲ୍ଲବନ ଶବ୍ଦ ସମ୍ମାନ ପାଇବା ସହ କେନ୍ଦ୍ର ସାହିତ୍ୟ ଏକାଡେମୀର ‘ଯୁବସହିତି’ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିସାରିଛନ୍ତି । ସେହିପରି ଦେଶର ବିଭିନ୍ନ ମଞ୍ଚରେ ଅଭିନୟ କରିବା ସହ ବଲିଉଡ ଫିଲ୍ମ ‘ଏ ରେଡ୍ ଶାର୍ଟ’ରେ ଅଭିନେତା ରଘୁବୀର ଯାଦବଙ୍କ ସହ ଅଭିନୟ କରିଛନ୍ତି । ସଂପ୍ରତି ଜିଲ୍ଲା ଶିକ୍ଷା ବିଭାଗର ଜନଜାତି ସାଧନ କେନ୍ଦ୍ରରେ କାର୍ୟ୍ୟରତ ଡିଲେଶ୍ବର ଗ୍ଲୋବାଲ୍ ଲାଇଫରେଚର୍ ଫାଉଣ୍ଡେସନର ଆବାହକ ଅଛନ୍ତି । ଦେଶର ବିଭିନ୍ନ ଭାଷାରୁ ଚୟନିତ ମୋଟ ୭୫ ଜଣ ଲେଖକଙ୍କ ମଧ୍ୟରେ ଶ୍ରୀ ରଣା ସାମିଲଥିବାରୁ କଳାହାଣ୍ଡି ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.