ବଲାଙ୍ଗିର, (କେପିଏନ୍ଏସ୍) : ଓଡ଼ିଶା ସରକାରଙ୍କ ଜାଗା ମିଶନ ଅନ୍ତର୍ଗତ ୨୪୩ ଜଣ ବଲାଙ୍ଗିର ପୌରାଂଚଳରେ ବସବାସ କରୁଥିବା ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ଜିଲ୍ଲାପାଳ ତଥା ପୌର ପ୍ରଶାସକ ଚଂଚଳ ରାଣାଙ୍କ ଦ୍ୱାରା ବଂଟନ କାର୍ଯ୍ୟ ଆରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଆନନ୍ଦନଗର-୩ (ସୂର୍ଯ୍ୟନଗର)ରୁ ବିସ୍ଥାପିତ ହୋଇଥିବା ହିତାଧିକାରୀମାନଙ୍କୁ ଏହି କାର୍ଯ୍ୟାଦେଶ ଆବଂଟନ ହୋଇଅଛି । ସୂଚନା ଯୋଗ୍ୟ ଯେ, ଗତ ନଭେମ୍ବର ୧୫ ତାରିଖରେ ଚାରୋଟି ବସ୍ତିର ଏହି ୨୪୩ ଜଣ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ୱାର୍ଡ ନଂ.୧୭ ସ୍ଥିତ ମାଲଗୋଦାମପଡ଼ାରେ ଚିହ୍ନଟ ହୋଇଥିବା ୯ ଏକର ଜାଗାରେ ପ୍ରତି ହିତାଧିକାରୀଙ୍କ ପିଛା ୩୨୩ ବର୍ଗଫୁଟ୍ର ଜମି ଅଧିଗ୍ରହଣ ପ୍ରମାଣପତ୍ର (ଏଲଆର୍ସି) ବଲାଙ୍ଗିର ଜିଲ୍ଲାପାଳଙ୍କ ଉପସ୍ଥିତିରେ ଆବଂଟନ କରାଯାଇଥିଲା ।
ପରବର୍ତ୍ତି ପର୍ଯ୍ୟାୟରେ ଏହି ୨୪୩ ହିତାଧିକାରୀଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ବିସ୍ତୃତ ପ୍ରକଳ୍ପ ବିବରଣୀ (ଡିପିଆର୍) ପଠାଯାଇଥିଲା, ଯାହା ଜାଗା ମିଶନ ଅନ୍ତର୍ଗତ ପୁନଃ ବସତି ସ୍ଥାପନ ପାଇଁ ନୂତନ ବିଜୁ ଆଦର୍ଶ କଲୋନୀ ନିର୍ମାଣ କରାଯିବ । ଏହି ପର୍ଯ୍ୟାୟ କ୍ରମରେ ଆଜିଠାରୁ ୨୪୩ ଜଣ ହିତାଧିକାରୀଙ୍କୁ ଆବାସ ଯୋଜନାର କାର୍ଯ୍ୟାଦେଶ ଦେବାର ଆରମ୍ଭ କରାଯାଇଛି । ବଲାଙ୍ଗିର ସହରର ବିଭିନ୍ନ ବସ୍ତି ଉନ୍ନୟନ ସଂଘଙ୍କ ପୂର୍ଣ୍ଣ ସହଯୋଗରେ ଏହି ସବୁ ଆବାସ ଗୃହ ନିର୍ମାଣ କରାଯିବ । ସୂଚନା ଥାଉ କି ମାଲଗୋଦାମପଡ଼ା ସ୍ଥିତ ଏହି ବିଜୁ ଆଦର୍ଶ କଲୋନୀରେ ପ୍ରାୟ ୭୦୦ଟି ଗୃହ ନିର୍ମାଣ କାର୍ଯ୍ୟ କରାଯିବ । ପ୍ରତ୍ୟେକ ଗୃହ ପାଇଁ ପାଇଖାନା, ଆଲୋକୀକରଣ, ରାସ୍ତା, ଡ୍ରେନ୍, ପାନୀୟ ଜଳ ଯୋଗାଣ, ପାର୍କ ତଥା ଓପନ୍ ସ୍ପେସ୍ ଡେଭ୍ଲପ୍ମେଂଟ୍ ଏବଂ ପରିଚୟ ଗୃହର ନିର୍ମାଣ ମଧ୍ୟ କରାଯିବ । ବଲାଙ୍ଗିର ପୌରାଂଚଳର ବିଭିନ୍ନ ବସ୍ତିର ହିତାଧିକାରୀମାନେ ଓଡ଼ିଶା ସରକାରଙ୍କ ଏହି ପ୍ରଶଂସନୀୟ ପଦକ୍ଷେପକୁ ପୂର୍ଣ୍ଣ ରୂପେ ସ୍ୱାଗତ କରିବା ସହ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଆଜିକାର ଆବାସ ଯୋଜନା କାର୍ଯ୍ୟାଦେଶ ବଂଟନ ସମୟରେ ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦର୍ଶନ ସାଏ ଓ ପୌର ପରିଷଦର ବିପିନ ବିହାରୀ ଦୀପ ଉପସ୍ଥିତ ଥିଲେ ।