ନୂଆଦିଲ୍ଲୀ : ଅଯୋଧ୍ୟାରେ ନିର୍ମାଣ ହୋଇଥିବା ଭବ୍ୟ ରାମ ମନ୍ଦିରର ଜମି ଦୁର୍ନୀତି ମାମଲା କ୍ରମାଗତ ଭାବରେ ରାଜନୈତିକ ସ୍ତରରେ ଆଲୋଚନାର ବିଷୟ ପାଲଟିବାରେ ଲାଗିଛି । କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଅଯୋଧ୍ୟା ଜମି କ୍ରୟ ମାମଲାରେ ହୋଇଥିବା ଏହି ଘୋଟାଲା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ରାମଙ୍କ ନାମରେ ସଂଗୃହୀତ ଦାନରେ ଲୁଟ୍ ରହିଛି । ଏହା ଅତ୍ୟନ୍ତ ଗମ୍ଭୀର ବିଷୟ ବୋଲି ସେ କହିଛନ୍ତି । ବିଶ୍ୱାସ ନାମରେ ଦିଆଯାଇଥିବା ଦାନ କିଛି ଲୋକଙ୍କ ପକେଟକୁ ଯିବା ନିହାତି ଭୁଲ । ରାଜ୍ୟ ସରକାରଙ୍କ ଅନୁସନ୍ଧାନ କ୍ରମରେ ସେ କହିଛନ୍ତି ଯେ, ସରକାରଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ ନୁହେଁ, ଅନୁସନ୍ଧାନର ଆଦେଶ କେବଳ ଲୋକ ଦେଖାଣିଆ ।
ପ୍ରିୟଙ୍କା ଏହି ମାମଲାର ସୁପ୍ରିମକୋର୍ଟର ତଦନ୍ତ ଦାବୀ କରି କହିଛନ୍ତି ଯେ, ଜିଲ୍ଲା ସ୍ତରୀୟ ଅଧିକାରୀମାନେ ତଦନ୍ତ କରିବାରେ ସକ୍ଷମ ନୁହଁନ୍ତି । ଅଭିଯୋଗ ହୋଇଛି ଯେ, ରାମ ମନ୍ଦିରର ନିଷ୍ପତ୍ତି ଆସିବା ପରେ ଜମି କ୍ରୟ କରାଯାଇଥିଲା । ରାଜନେତା ଓ ଅଧିକାରୀମାନେ ଶସ୍ତା ମୂଲ୍ୟରେ ଜମି କିଣିଥିବା ଅଭିଯୋଗ ହୋଇଛି ।
ଏହା ଏକ ଗମ୍ଭୀର ବିଷୟ ବୋଲି ବିଏସ୍ପି ସୁପ୍ରିମୋ ମାୟାବତୀ କହିଛନ୍ତି । ଏହାକୁ ଏକ ଉଚ୍ଚ ସ୍ତରୀୟ କମିଟି ଦ୍ୱାରା ଯାଞ୍ଚ କରାଯିବା ଉଚିତ୍ । ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କଲେ ଭଲ ହେବ । ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଏହି ଘଟଣାର ଗମ୍ଭୀରତାର ସହ ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ।
ଏଠାରେ ସୂଚନାଯୋଗ୍ୟ ଯେ, ଅଯୋଧ୍ୟାରେ ହୋଇଥିବା ଜମି ଦୁର୍ନୀତି ସମ୍ପର୍କରେ ୟୁପିର ଯୋଗୀ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଅଯୋଧ୍ୟାରେ ହୋଇଥିବା ଜମି ଦୁର୍ନୀତି ମାମଲାର ସ୍ୱତନ୍ତ୍ର ସଚିବ ରାଜସ୍ୱ ଯାଂଚ କରିବେ । ଏହା ସହିତ ୧ ସପ୍ତାହ ମଧ୍ୟରେ ଅନୁସନ୍ଧାନର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଯୋଧ୍ୟା ଜମି ଚୁକ୍ତିରେ ବହୁ ମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ନାମ ଆସିଥିଲା ।