
କଳାହାଣ୍ଡି, (କେପିଏନ୍ଏସ୍) : ଜଙ୍ଗଲରେ ପ୍ରାଣୀ ଶିକାର ପାଇଁ ବିଦ୍ୟୁତ ତାର ବିଛାଇ ଥିବା ଯୁବକ ନିର୍ମଳ ଗଉଡ଼ଙ୍କୁ ବିଶ୍ୱନାଥପୁର ବନ ବିଭାଗ ଗିରଫ କରିଛି । ପ୍ରାପ୍ତ ସୂଚନାନୁସାରେ ବିଶ୍ୱନାଥପୁର ବନବିଭାଗ ଅଧୀନରେ ଥିବା ଲାଞ୍ଜିଗଡ଼ ବ୍ଲକର କମର୍ଦ୍ଧା ପଞ୍ଚାୟତ ଓ ନର୍ଲା ପଞ୍ଚାୟତ ସୀମାନ୍ତରେ ଥିବା ଜଙ୍ଗଲରେ ଡଙ୍ଗରମାଲ ଗ୍ରାମର ନିର୍ମଳ ଗଉଡ଼ ଗତକାଲି ରାତିରେ ଅନ୍ୟ କିଛି ଲୋକଙ୍କ ସହ ମିଶି ଜନ୍ତୁ ଶିକାର ପାଇଁ ଗାଁ ନିକଟ ଜଙ୍ଗଲରେ ଜଙ୍ଗଲ କାଟି ଚାଷ କରିଥିବା ଜମିର ଚାରି ପାର୍ଶ୍ୱରେ ବିଦ୍ୟୁତ ତାରର ଫାଶ ବିଛାଇ ନିକଟସ୍ଥ ୩୩ କେଭି ଲାଇନରୁ ଚୋରାରେ ସଂଯୋଗ ଆଣିଥିଲେ । ନିର୍ମଳ ଏକ ମଞ୍ଚାରେ ଜଗି ରହିଥିବା ବେଳେ ବିଶ୍ୱନାଥପୁର ବିଦ୍ୟୁତ ବିଭାଗ କର୍ମଚାରୀମାନେ ପେଟ୍ରୋଲିଂ କରି ନିର୍ମଳଙ୍କୁ କାବୁ କରିଥିବା ବେଳେ ଅନ୍ୟମାନେ ଖସି ଯାଇଥିଲେ । ବିଦ୍ୟୁତ ବିଭାଗ ପକ୍ଷରୁ ପ୍ରଥମେ ନିକଟସ୍ଥ ନର୍ଲା ଥାନାକୁ ଫୋନରେ ଜଣାଇବା ପରେ ବିଶ୍ୱନାଥପୁର ରେଞ୍ଜ ଅଫିସ ବନବିଭାଗକୁ ଜଣାଇଥିଲେ । ଖବର ପାଇ ବନ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ନିର୍ମଳଙ୍କୁ ଗିରଫ କରି ବିଶ୍ୱନାଥପୁର ନେଇ ଆସିଥିଲେ । ବନବିଭାଗ ନିର୍ମଳଙ୍କୁ ପଚରା ଉଚରା ପରେ ଜଣା ପଡିଥିଲା ଯେ ବହୁଦିନ ହେଲା ଏମାନେ ପାୟ ୧୦ ଜଣିଆ ଟିମ୍ ଏହି ବନ୍ୟ ପ୍ରାଣୀ ଶିକାର କରୁଛନ୍ତି । ବର୍ତ୍ତମାନ ଏବେ ନିଜ ନିଜ ମଧ୍ୟରେ କଳହ ଯୋଗୁଁ ୫ ଜଣ ଅଲଗା ହୋଇ ଥିବା ନିର୍ମଳ ପ୍ରକାଶ କରିଥିବା ବିଦ୍ୟୁତ ଓ ବନବିଭାଗ କର୍ମଚାରୀମାନେ କହିଛନ୍ତି । ଅନ୍ୟପଟେ ମାସ ମାସ ଧରି ରାତିରେ ବିଦ୍ୟୁତ କାଟକୁ ନେଇ ଗ୍ରାହକ ଅସନ୍ତୁଷ୍ଟ ପ୍ରକାଶ କରିଥିବା ବେଳେ ବିଦ୍ୟୁତ ବିଭାଗ ପେଟ୍ରୋଲିଂ କରି ନିରାଶ ହୋଇ ପଡିଥିଲେ ।
ନର୍ଲା ଠାରୁ ବିଶ୍ୱନାଥପୁର ଓ ଲାଞ୍ଜିଗଡ଼ ଆସିଥିବା ୩୩ କେଭି ବିଦ୍ୟୁତ ତାର ୫୦ କିମି ବାଟ ବିଭିନ୍ନ ଜଙ୍ଗଲ ଦେଇ ଆସିଥିବା ବେଳେ ବିଦ୍ୟୁତ ବିଭାଗ ପାଇଁ ପେଟ୍ରୋଲିଂ କରିବା ସମ୍ଭବ ହେଉନଥିଲା । ଗ୍ରାହକଙ୍କର ବାରମ୍ବାର ଅସନ୍ତୁଷ୍ଟ ଯୋଗୁଁ ଗତ ଶୁକ୍ରବାର ଦିନ ରାତିରେ ପେଟ୍ରୋଲିଂ କରିବା ସମୟରେ କମର୍ଦ୍ଧା ପଞ୍ଚାୟତ ନିକଟସ୍ଥ ଜଙ୍ଗଲ ରାତ୍ର ୧୧ ଘଣ୍ଟା ସମୟରେ ୫ ଜଣ ଲୋକଙ୍କୁ ଦେଖି ପଚରାଉଚରା କରିଥିଲେ । କିନ୍ତୁ ସେମାନେ କିଛି ଉତ୍ତର ନଦେଇ ଚାଲି ଯାଇଥିଲେ । ପରେ ଆଖପାଖ ଅଞ୍ଚଳରେ ବିଦ୍ୟୁତ ତାର ଟଣା ଯାଇଥିବା ଦେଖି ସନ୍ଦେହ କରିଥିଲେ । ପ୍ରାୟ ଦୁଇ ଦିନ ରାତିରେ ସେହି ସ୍ଥାନରେ ବିଦ୍ୟୁତ ବିଭାଗର ଲାଞ୍ଜିଗଡ଼ ଯନ୍ତ୍ରୀ ସୌଦାଗର ମେହେର, ରାଜେନ୍ଦ୍ର ପଣ୍ଡା, ପ୍ରକାଶ ପୁଝାରୀ, ଭରତ ଚଣ୍ଡୀ, ସଞ୍ଜୀବ ସାହୁ, ନରେନ୍ଦ୍ର ବେହେରା ଓ ଜଗଜୀବନ ନିହାଲ ପ୍ରମୁଖ ଛାପା ମାରି ରବିବାର ଯୁବକ ନିର୍ମଳଙ୍କୁ କାବୁ କରି ବନବିଭାଗଙ୍କୁ ହସ୍ତାନ୍ତର କରିଥିଲେ ।
ଏନେଇ ବିଶ୍ୱନାଥପୁର ରେଞ୍ଜର ଲକ୍ଷ୍ୟ ମହାନନ୍ଦଙ୍କୁ ପଚାରିବାରୁ ଗତ ରାତି ୧୧ଟା ସମୟରେ ଡଙ୍ଗରମାଲ ଗ୍ରାମର ନିର୍ମଳ ଗଉଡ଼ଙ୍କୁ ଗିରଫ କରି ପଚରା ଉଚରା କରିବା ପରେ ଅନ୍ୟ ଶିକାରୀ ମାନଙ୍କ ତଲାସରେ ଆମ କର୍ମଚାରୀମାନେ ଯାଇଛନ୍ତି । ନିର୍ମଳକୁ ମଙ୍ଗଳବାର ଦିନ କୋର୍ଟ ଚାଲାଣ କରାଯିବ ବୋଲି ପ୍ରକାଶ କରିଥିଲେ ।
ସୂଚନାଯୋଗ୍ୟ ଯେ, ଲାଞ୍ଜିଗଡ଼ ଓ ନର୍ଲା ବ୍ଲକ ଅଧିକାଂଶ ଅଞ୍ଚଳରେ ଜଙ୍ଗଲଗୁଡିକରେ ଶିକାରୀମାନେ ପ୍ରାୟ ପ୍ରତିଦିନ ବିଦ୍ୟୁତ ତାର ବିଛାଇ ଜନ୍ତୁ ଶିକାର କରୁଥିବା ସୂଚନା ମିଳୁଛି । ତେଣୁ ପୋଲିସ ଓ ବନ ବିଭାଗ ଏ ଦିଗରେ ଦୃଷ୍ଟି ଦେଇ ଦୃଢ ପଦକ୍ଷେପ ନେବାକୁ ଦାବୀ ହେଉଛି ।