ଭରଚୁଆଲ ମାଧ୍ୟମରେ ପାଳନ ହେଲା ଜିଲ୍ଳା ସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ

  • ଜିଲ୍ଲାରେ ମ୍ୟାଲେରିଆ ରୋଗର ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ସାମୂହିକ ପ୍ରଚେଷ୍ଟା ଉପରେ ଗରୁତ୍ବ ପ୍ରଦାନ : ଜୁନ ଠାରୁ ସେପ୍ଟେମ୍ବର ମାସ ପର୍ୟ୍ୟନ୍ତ ନିରାକରଣ ପାଇଁ ବିଶେଷ ଯତ୍ନବାନ ହେବାକୁ ପରାମର୍ଶ ଦେଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ପୂର୍ବାହ୍ନ ୧୧ ଘଣ୍ଟାରେ ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଶ୍ୱ ମ୍ୟାଲେରିଆ ଦିବସ ଅନୁଷ୍ଠିତ କରାଯାଇଥିଲା । ସାମ୍ପ୍ରତିକ କରୋନା କଟକଣା ଦୃଷ୍ଟିରୁ ଏହି କାର୍ୟ୍ୟକ୍ରମ ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ଭରଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । କାର୍ୟ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀ ଅଧ୍ୟକ୍ଷତା କରି ଜିଲ୍ଲାରେ ମ୍ୟାଲେରିଆ ରୋଗର ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ଅଦ୍ୟାବଧି ଜିଲ୍ଲାରେ ବଣ୍ଟନ କରାଯାଇଥିବା ଔଷଧ ଉପଚାରିତ ମଶାରୀର ଜନସାଧାରଣଙ୍କ ଦ୍ୱାରା ସୁନିଶ୍ଚିତ ବ୍ୟବହାର କରାଇବାକୁ ବିଭାଗୀୟ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଜୁନ ମାସରୁ ସେପ୍ଟେମ୍ବର ମାସ ପର୍ୟ୍ୟନ୍ତ ତଥା ବର୍ଷା ଋତୁ ପୂର୍ବରୁ ଜିଲ୍ଲାର ସହରାଞ୍ଚଳ ଓ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଗୁଡିକରେ ମଶା ସଂଖ୍ୟାକୁ ଦମନ ଓ ବଂଶ ବୃଦ୍ଧିକୁ ରୋକିବା ନିମନ୍ତେ ମଶାଧୂଆଁର ପ୍ରୟୋଗ, ଘାସ ବୁଦା ପ୍ରଭୁତିକୁ ସମୟ ପୂର୍ବରୁ ସଫା କରିବା ନିମନ୍ତେ ଗୁରୁତ୍ୱାରୋପ କରିଛନ୍ତି, ଯାହାଦ୍ୱାରା ଜିଲ୍ଲାରେ ମ୍ୟାଲେରିଆ ସଂକ୍ରମଣକୁ ପ୍ରତିହତ କରିବାରେ ବିଶେଷ ସହାୟକ ହେବ । ଭାରପ୍ରାପ୍ତ ସିଡି ଏମଓପିଏଚଓ ଡ. ରମେଶ ଚନ୍ଦ୍ର ସ୍ୱାଇଁ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ଡ. ନବକିଶୋର ବେହେରା,ଏଡିପିଏଚଓ, ଭିବିଡି ଦିବସପାଳନର ତାତ୍ପର୍ୟ ଓ ଆଭିମୁଖ୍ୟ ସହ ବିଶ୍ୱ, ଦେଶ ଓ ରାଜ୍ୟରେ ମ୍ୟାଲେରିଆ ସଂକ୍ରମଣର ସ୍ଥିତି ଓ ପରିସ୍ଥିତି ଉପରେ ଆଲୋକପାତ କରିଥିଲେ । ବିଭାଗୀୟ ଜିଲ୍ଲା ଭିବିଡି ପରାମର୍ଶଦାତା ଚନ୍ଦ୍ରଶେଖର ମିଶ୍ର ସୁବର୍ଣ୍ଣପୁର ଜିଲ୍ଲାରେ ମ୍ୟାଲେରିଆକୁ ସମ୍ପୂର୍ଣ୍ଣ ନିରାକରଣ ପାଇଁ ସମ୍ପୃକ୍ତ ବିଭାଗ ଗୁଡିକ ତରଫରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସେ ଏହି ଅବସରରେ ଜିଲ୍ଲାରେ ମ୍ୟାଲେରିଆ କୁ ପ୍ରତିହତ କରିବା ପାଇଁ ଜିଲ୍ଲାର ନିଜସ୍ୱ ଇନୋଭେଟିଭ କାର୍ୟ୍ୟକ୍ରମ “ମ୍ୟାଲେରିଆ ସଂଡେ”ର ସଫଳ କାର୍ୟ୍ୟକାରିତା ଉପରେ ସୂଚନା ଦେଇଥିଲେ । ଚଳିତ ବର୍ଷ ଦିବସ ପାଳନ ଅବସରରେ ଶୀର୍ଷକ “ଶୂନ୍ୟ ମ୍ୟାଲେରିଆ ଲକ୍ଷ୍ୟ ହାସଲ” ରହିଛି । ଆଜିର ଏହି କାର୍ୟ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ଉଷା କୁମାରୀ ଯୋଗଦାନ କରିଥିବା ବେଳେ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର ସମ୍ପୃକ୍ତ ଅଧିକାରୀ, ସ୍ୱାସ୍ଥ୍ୟ ଅଧିକାରୀ ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶ୍ରୀ ପ୍ରମୋଦ କୁମାର ସାହୁ, ଏମପିଏଚଏସ କାର୍ୟ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଜୟ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.